ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ
ବିପିନ ବିହାରୀ ମହାନ୍ତି
କୌଣସି ପ୍ରଥା , ଚଳଣି, ଶାସନ ବା ଏହିପରି ଯାହାକିଛି, ଅନେକ ଦିନ ଚାଲିଲା ପରେ ଏହା ଦୁର୍ନୀତି ଗ୍ରସ୍ଥ ଏବଂ କୁସଂସ୍କାର ବିଜଡିତ ହୋଇପଡେ । ଏଥିରୁ ମୁକ୍ତି ପାଇଁ ପରିବର୍ତ୍ତନର ସ୍ୱର ଉଠେ ଏବଂ ଏହାକୁ ସାମ୍ନା କରି ନୂତନକୁ ସ୍ୱାଗତ କରାଯାଏ ଅଥବା ତାହାର ପୂର୍ବ ନିର୍ମଳ ବା ପରିମଳ ଅବସ୍ଥାକୁ ଅଣାଯାଏ । ଏ ପ୍ରକାର ପରିବର୍ତ୍ତନ ଆଣିବାକୁ କୁହନ୍ତି ବିପ୍ଲବ । ଅର୍ଥାତ୍ ବିପ୍ଲବର ଅନ୍ୟନାମ ପରିବର୍ତ୍ତନ ।
ଧର୍ମ ଜଗତରେ କୌଣସି ଧର୍ମ ଏଥିରୁ ବାଦ୍ ଯାଆନ୍ତି ନାହିଁ । କାଳକ୍ରମେ ସେମାନେ ନିଜ ଆଦର୍ଶ ହରାଇ ବସନ୍ତି ଖାସ୍୍ କେତକ ସ୍ୱାର୍ଥନ୍ୱେଷୀଙ୍କ ଲାଭଖୋର କାରଣରୁ । ଏଣୁ ଧର୍ମର ବିଭାଜନ ଘଟେ । ଏହାର ସୁପ୍ରଥା ଯାଗାରେ କୁପ୍ରଥା ସ୍ଥାନାଧିକାର କରେ । ଏହାହିଁ କୁସଂସ୍କାର ।
ବୈଦିକ ହିନ୍ଦୁଧର୍ମ ତା’ ମୂଳାବସ୍ଥାରେ ତା’ ଆଦର୍ଶ ଓ ନୀତିରେ ଯାହାଥିଲା ଏବେ ତାହା ସୁଦୂର ପରାହତ । ଆମ ଜଗନ୍ନାଥ ଧର୍ମ ଓ ସଂସ୍କୃତିର ଏହି ବୈଦିକ ହିନ୍ଦୁ ଧର୍ମ ଅନ୍ତର୍ଗତ ଥିଲା ଅଥବା ଅଛି । ଏଥିରେ କାଳକ୍ରମେ ନାନା କୁସଂସ୍କାର ପ୍ରବେଶ କଲା । ଏହାକୁ ମୂଳରୂପକୁ େ‘ରାଇ ଆଣି ତଥା ପରିବର୍ତ୍ତନର ନୂତନ ସ୍ୱାଦ ପାଇଁ ମହାବୀର ଏବଂ ବୁଦ୍ଧ ଇତ୍ୟାଦି ମହାପୁରୁଷ ମାନେ ଆନ୍ଦୋଳନ କଲେ । ବୌଦ୍ଧଧର୍ମ ବା ଜୈନଧର୍ମ ଅନ୍ୟକିଛି ନୁହେଁ , ଏହା ଜଗନ୍ନାଥ ବା ହିନ୍ଦୁଧର୍ମର ଏକ ସଂସ୍କ।।ରିକ ରୂପ । ସମୟ କ୍ରମେ ବୁଦ୍ଧ ଅବତାର ବାଦ୍ ମଧ୍ୟରେ ପଶିଗଲେ । ମହାବୀର ଜଗନ୍ନାଥଙ୍କ ସହିତ ମିଶିଗଲେ । ଜାତିପ୍ରଥା ବିରୁଦ୍ଧରେ ସଂଗ୍ରାମ କରୁଥିବା ଏବଂ ମାନବଧର୍ମକୁ ଆପଣେଇଥିବ ଦୁଇ ଧର୍ମ ଶେଷରେ କଳୁଷିତ ହୋଇଗଲେ ବା ପ୍ରଦୂଷିତ ହୋଇଗଲେ ।
ଯୁଗଯୁଗ ଧରି ନାରୀ ସମାଜ ଏକ ପଦଦଳିତ ଗୋଷ୍ଠୀଭାବେ ବିଚାର ହୋଇଛନ୍ତି । ସତେ ଯେମିତି ପୁରୁଷର ପିତ୍ୟାର୍ଥେ ନାରୀର ସୃଷ୍ଟି । ତା’ର ନିଜସ୍ୱ ବୋଲି କିଛି ନାହିଁ ଅଥଚ ନାରୀହିଁ ସର୍ଜନାର ଚାବିକାଠି , ଧାତ୍ରୀ ଏବଂ ସୁରକ୍ଷା ଦାତ୍ରୀ । ସର୍ବୋପରି ସେ ଗୋଟିଏ ମା’ ଭଗିନୀ, ଜାୟା, ଏବଂ ଗୃହକର୍ତ୍ତି ଇତ୍ୟାଦି ଭାବରେ ପୁରୁଷ ଜାତିର ଦେବୀ ଶଦୃସ; କିନ୍ତୁ ସେ ସବୁ ପ୍ରକାର କଷଣ ଏବଂ ଲାଂଛନାରେ ଶିକାର ହୋଇ ଏବଂ ସବୁ କିଛି ଯନ୍ତ୍ରଣାକୁ ଧରିତ୍ରୀ ପରି କେବଳ ସହି ଚାଲିଥାଏ ।
ଜଗନ୍ନାଥ ସଂସ୍କୃତିରେ ନାରୀ ଜାତିର ଜାଗରଣ ଏବଂ ସମାଜର ଭୟଙ୍କର କଳଙ୍କ: ଜାତିପ୍ରଥା ବିରୁଦ୍ଧରେ ଧାର୍ମିକୀ ବିପ୍ଲବର ସ୍ୱର ଉଠାଇଛନ୍ତି ବଳରାମଦାସ । ଯଦିଓ ତାଙ୍କ ମାଣବସା ଗୁରୁବାର ପୁସ୍ତକଟି କୃଷିର ଆରାଧ୍ୟ ଦେବୀ । ଲକ୍ଷ୍ମୀ ପୂଜାର ମୂଳମନ୍ତ୍ରର ସାରଭିତ୍ତିକ , ତଥାପି ଉପରୋକ୍ତ କଥା ଉପରେ ତାଙ୍କର ଗୁରୁତ୍ୱ ଯଥେଷ୍ଟ । ସେଥିପାଇଁ ଏକ ନାଟକୀୟ ଭାବରେ ସେ ଉପସ୍ଥାପନା କରିଛନ୍ତି ମାଣବସା କାହାଣୀ : ମାର୍ଗଶୀର ମାସରେ ପାଳନ ହେଉଥିବା ଗୁରୁବାର ଲକ୍ଷ୍ମୀ ପୂଜା କଥା; ତା’ କାହାଣୀ, ତା’ର କଥା, ତା’ ଉପକାର ଏବଂ ପରିଶେଷରେ ଅସଲ ଉଦ୍ଦେଶ୍ୟ ଏବେ ଏଠାରେ ଆଲୋଚ୍ୟ ବିଷୟ ।
ସାଧାରଣତଃ ମାର୍ଗଶୀର ମାସଟି ‘ମୃଗଶୀରା’ ନକ୍ଷତ୍ରାନୁସାରେ ନାମିତ ହୋଇଛି । ଏହି ମାସରେ ପ୍ରଥମାଷ୍ଟମୀ, ଓଢ଼ଣୀ ଷଷ୍ଠୀ, କାଞ୍ଜିଅଳା ନବମୀ ଏବଂ ମାଣବସା ଗୁରୁବାର ପଡ଼େ । ମାଣବସା ଗୁରୁବାରେ ‘ମହାଲକ୍ଷ୍ମୀ ପୂଜା’ ହୁଏ । କୁହାଯାଏ ଯେ ବାରମାସ ମ୍ମରେ ମାର୍ଗଶୀର ଶ୍ରେଷ୍ଠ ଅଟେ : ମାସାନାଂ ମାର୍ଗଶୀର୍ଷୋହଂ ।
ଗୁରୁବାରଦିନ ମହାଲକ୍ଷ୍ମୀ ବ୍ରତ ସାଧାରଣତଃ ମାର୍ଗଶୀର, ମାଘ, ବୈଶାଖ ଏବଂ ଆଷାଢ଼ମାସରେ ପାଳନ କରାଯାଏ । କିନ୍ତୁ ମାଣବସା ଗୁରୁବାର କହିଲେ, ମାର୍ଗଶୀର ମାସର ଶେଷ ଗୁରୁବାର ଅର୍ଥାତ୍ ପୂର୍ଣ୍ଣମୀ ପୂର୍ବ ଗୁରୁବାରକୁ ବୁଝାଏ । ଏହା ଧାନ ଅମଳବେଳ । ଗୁରୁବାର ପୂର୍ବ ଦିନ ଅର୍ଥାତ୍ ବୁଧବାର ରାତିରୁ ଗୃହିଣୀମାନେ ଅରୁଆ ଚାଉଳ ପିଠଉର ଚିତ୍ତାରେ ଦାଣ୍ଡ ଦୁଆର ମୁହଁରୁ ମାଣପୂଜା ଘରଯାଏଁ ଲକ୍ଷ୍ମୀଙ୍କର ଆଗମନ ସୂଚକ ଚିତା ପକାନ୍ତି । ଏ ଚିତା ଲକ୍ଷ୍ମୀଙ୍କ ପାଦର ଚିହ୍ନ । ଘରଦ୍ୱାର, ବରଣ୍ଡା, ଅଗଣା ଏବଂ ବାରି କଲେଇ ଗଦାଯାଏଁ ଗୋବରରେ ଲିପାଯାଏ । ଏଥିରେ ଧାନଶିଷାର ଚିତା ପକାଯାଏ । ଏଥିରେ ଅନ୍ୟ ଚିତା ପଡ଼େ ନାହିଁ । ଏହି ସମୟରେ ଗାଁ ଦାଣ୍ଡରେ କଳେଇ ବୁହାଯାଇ ଖଳାକୁ ଅଣାଯାଏ । ଏହାକୁ ଲକ୍ଷ୍ମୀଙ୍କର ବିଜେ ବୋଲି ସ୍ୱାଗତ କରି ଦାଣ୍ଡରେ ତାଙ୍କ ପୂଜା କରାଯାଏ । ଏହାକୁ ଦାଣ୍ଡ ପହଁରା ଓଷା କହନ୍ତି ।
ଶେଷ ଗୁରୁବାରଟି ସ୍ୱତନ୍ତ୍ର । ଏହିିଦିନ ମାଣପୂଜା ଅର୍ଥାତ୍ ଲକ୍ଷ୍ମୀ ପୂଜା କରାଯାଏ । ପୂର୍ବବତ୍ ସେହିଦିନ ସକାଳୁ ଗୃହ ଏବଂ ଅଗଣା ଇତ୍ୟାଦି ଗୋବରରେ ଲିପାଯାଏ । ସବୁଆଡ଼ ଅର୍ଥାତ୍ ପରିବେଶର ଶୁଦ୍ଧି ଏବଂ ପବିତ୍ରତା ରଖାଯାଏ । ନୂଆ ବେତ ଟୋକେଇ ଓ ଗୌଣିରେ ଶୁକ୍ଳଧାନ ପୂର୍ଣ୍ଣ କରାଯାଏ । ଶୁକ୍ଳଧାନର ମେଣ୍ଟାକୁ ବେଣୀଦ୍ୱାରା ମଣ୍ଡିତ କରି ଖଟୁଲି ଥାପେ, ଛୋଟ ମାଣରେ ବିରି ଭରି ରଖେ, ଓଡ଼ିଆ ହିନ୍ଦୁ ଗୃହିଣୀ । ଛିଟାକନାରେ ଖଟୁଲିକୁ ବୋହୂ ରୂପରେ ଘୋଡ଼ାଇ ଦିଏ । ଏକ ସୁନାର ଅଳଙ୍କାରକୁ ଲକ୍ଷ୍ମୀ ମନେକରି ସେ ଖଟୁଲିକୁ ପିନ୍ଧାଇ ଦିଏ । ‘ଳଲଗା ଅଁଳା, ‘ଳଲଗା କଣ୍ଟେଇ କୋଳି ଡାଳ, ମୂଳାଗଛ, ଆଖୁ ଗଣ୍ଡିରା, ସୋରିଷ ‘ୁଲ ଓ ଗେଣ୍ଡୁ‘ୁଲ ଦେଇ ମାଣକୁ ସଜାଏ; ସିନ୍ଦୁର ଓ ଚନ୍ଦନ ତହିଁରେ ଲଗାଏ; ଧୂପ ଦୀପରେ ବନ୍ଦନା କରେ; ଛେନା, ଗୁଡ଼, ମଣ୍ଡାପିଠା, କାକରା, ବିରିବରା, ବିରି ଲଡ଼ୁ, ଖିରୀ ଓ ଚକୁଳି ପିଠା ଦେଇ ଭୋଗ କରେ । ଏହାପରେ ପରିବାରର ସମସ୍ତ ସଦସ୍ୟ ଲକ୍ଷ୍ମୀଙ୍କୁ ମୁଣ୍ଡିଆମରି ପ୍ରସାଦ ପାଆନ୍ତି । ଏ ଭୋଗ ପଡୋ଼ଶୀ ବା ବିବାହିତ ଝିଅମାନେ ପାଆନ୍ତି ନାହିଁ । ଏ ଭୋଗକୁ ଲାଗି କହନ୍ତି ।
ଏହି ପୂଜାରେ ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀପୁରାଣ’ ପଢ଼ାଯାଏ । ସଂ୍ମାରେ ଧୂପ ଓ ଦୀପ ଦେଇ ମା’ଙ୍କର ପୂଜା କରାଯାଏ । ମାଣଧାନକୁ ତୋଳି ମାଣ ବଣାରେ ରଖାଯାଏ । ମାଣ ପାହିଲି, ଖଟୁଲି ଓ ଛିଟକନା ଏକତ୍ର ରଖାଯାଏ । କେହି କେହି ସେହି ଦିନ ବସାଇ ମାଣ ଉଜାଇଁ ଦିଅନ୍ତି; ଆଉ କେହି ମାଘ ମାସ ଶେଷଗୁରୁବାରେ ଉଜାନ୍ତି । କେହିବି ମାର୍ଗଶୀର ଶେଷ ପାଳିରେ ମାଣ ବସାଇ ପୌଷର ପ୍ରଥମ ଗୁରୁବାରେ ଉଜାନ୍ତି । ଉଜୁଆଁ ଧାନକୁ ଚାଉଳକରି ଖିରି କରାଯାଏ । ଏହା ପରିବାର ଛଡ଼ା ଅନ୍ୟ କେହି ପାଆନ୍ତି ନାହିଁ । ଲକ୍ଷ୍ମୀପୂଜା ଓଡ଼ିଶାର ଏକ କୃଷି ସଂପର୍କିତ ପୂଜା । ଏଣୁ ଧାନ ଅମଳବେଳେ ପ୍ରଥମେ ମାଣଧାନକୁ ପୂଜା କରାଯାଏ । ମାଣବସା ଗୁରୁବାର ନେଇ ରାଧାମୋହନ ଗଡ଼ନାୟକ କୁହନ୍ତି :
ଖଳାରେ ଖଳାରେ କଳେଇ ଗଦାର ସୁଷମା
ସକଳ ନୟନେ ଦିଶୁଛି ଅତୁଳା ଅସମା ।ା
ପିଠଉର ଝୋଟ ମେଳି ପାଖେ ଲେଖି ସରସେ
ପଲ୍ଲୀ ଘରଣୀ ଲକ୍ଷ୍ମୀ ପୂଜଇ ହରଷେ ।ା
ସ୍ୱାଗତ ଲକ୍ଷ୍ମୀ ପୌଷ
ଘରେ ଘରେ ତୁମେ ଆଣିଛ ଅନ୍ନ, ଆୟୁଷ ।ା
: ସ୍ୱାଗତ ଲକ୍ଷ୍ମୀ ପଉସ
ମାଣବସା ଓଡ଼ିଶାରୁ ଉତ୍ପତ୍ତି । ଓଡ଼ିଶାରେ ତା’ର ପୂଜା ବିଶ୍ୱାସ ଏହା ସାଧବ ପରିବାରରୁ ଉତ୍ପତ୍ତି ନେଇଛି । କିମ୍ବଦନ୍ତୀରୁ ମିଳେଯେ, କଳିଙ୍ଗର ଏକ ନଗରରେ ଚିତ୍ରକେତୁ ନାମକ ଏକ ଧନୀ ସାଧକ ଥିଲେ । ତାଙ୍କର ଶ୍ୟାମାନାମ୍ନୀ ଏକ କନ୍ୟା ପ୍ରଥମେ ମାଣବସା ବ୍ରତ କରି ଲକ୍ଷ୍ମୀଙ୍କୁ ପୂଜା କରୁଥିଲେ ।
ଭକ୍ତକବି ବଳରାମ ଦାସ ମହାପ୍ରଭୁ ଜଗନ୍ନାଥଙ୍କର ଚରିତ୍ର ଓ ଚରିତ ବର୍ଣ୍ଣନାକରି ଏହି ଲକ୍ଷ୍ମୀପୁରାଣ ନାମକ ଅଭିନବ ଗ୍ରନ୍ଥ ରଚନା କରିଛନ୍ତି । ଏହା ସମାଜରେ ପ୍ରଚଳିତ ଦୁଇଟି ଘୃଣ୍ୟ ଏବଂ ନିନ୍ଦନୀୟ ପ୍ରଥା :
ନାରୀ ଦୁର୍ଦ୍ଦଶା ଏବଂ ଛୁଆଁ, ଅଛୁଆଁ ବରୁଦ୍ଧରେ ଏକ ସଂଗ୍ରାମ ନିମନ୍ତେ ଅଭିଯାନ । ନାରୀକୁ ସମ୍ମାନ ଦିଅ; ସମାଜରୁ ଛୁଆଁ ଅଛୁଆଁର ଜାତିଭେଦ ଉଠା । ଏହାହିଁ ଏହାର ସ୍ଲୋଗାନ । ଏହାକୁ ଆଧାର କରି ଲକ୍ଷ୍ମୀପୂରାଣର କାହାଣୀଟି ଏହିପରି ବର୍ଣ୍ଣିତ ହୋଇଛି: ମାଣବସା ଗୁରୁବାର ଦିନ ମା’ ଲକ୍ଷ୍ମୀ ପ୍ରାତଃ କାଳରୁ ମନ୍ଦିର ଛାଡ଼ି ନଗର ମ୍ମରେ ପହଞ୍ôଚଛନ୍ତି । ସେ ପ୍ରତିଘର ବୁଲି ତାଙ୍କ ପୂଜା ଦେଖୁଛନ୍ତି । ଶେଷରେ ସେ ଶ୍ରୀୟା ଚଣ୍ଡାଳୁଣୀ ପୂଜା ଓ ଭକ୍ତିରେ ପ୍ରୀତ ହୋଇ ତାକୁ ବର ଯାଚିଛନ୍ତି :
“ପୁଲକ ଭରେ ଲକ୍ଷ୍ମୀ ଦେବୀ ବୋଇଲେ; ଆଲୋ ଶ୍ରିୟା,
ମୋହରି ପୂଜା କରିବା ପାଇଁ ତୋହର ଅଛି ହିୟା ।
ଆଶିଷ ଏବେ ଦେଉଛି ମୁହିଁ, ସକଳ ଶ୍ରୀ ଲଭିବୁ ତୁହି,
ସୁଖରେ ଘର ଦୁଆର କରି; ରହିବୁ ମହାସୁଖେ
ଧରଣୀ ତଳେ କାଟିବୁ ଦିନ; ହରଷ କର ବୁକେ ।ା”
– ଶ୍ରୀୟା ଚଣ୍ଡାଳୁଣୀ, ଶାମୁକାର ସ୍ୱପ୍ନ
ଏହି ସମୟରେ ବଳରାମ ଓ ପ୍ରଭୁ ଜଗନ୍ନାଥ ମୃଗୟାରୁ ସେହି ପଥଦେଇ େ‘ରିଲାବେଳେ ତାଙ୍କୁ ଦଖିଥିଲେ । ଏଣୁ ମନ୍ଦିର ବାହୁଡ଼ନ୍ତେ ବଳରାମ ଜଗନ୍ନାଥଙ୍କୁ କହିଲେ, ଲକ୍ଷ୍ମୀ ଅଛବ ଘରେ ବିଜେ କରିଥିଲା । ସେ ଜାତି ଅଜାତି ନମାନି ଯେଣେ ତେଣେ ପଶିଯାଉଛି ଏବଂ ଏପଟେ ଆସି ଶ୍ରୀ ମନ୍ଦିରକୁ ମଙ୍ଗୁଳି ଚାଲିଛି । ଲକ୍ଷ୍ମୀଙ୍କୁ କ୍ଷମା ନାହିଁ । ତାକୁ ମନ୍ଦିର ପ୍ରବେଶ ନିଷେଧ କରେ । ଜଗନ୍ନାଥ ସେହି କଥା ଲକ୍ଷ୍ମୀଙ୍କୁ ଶୁଣାଇଦେଲେ । ଲକ୍ଷ୍ମୀ ଏନେଇ ଜଗନ୍ନାଥ ଓ ବଳରାମଙ୍କ ସହିତ ତାଙ୍କ ପୂର୍ବ ଜନ୍ମର ଚରିତକୁ ବାଖ୍ୟାକରି ଜାତିଅଜାତିର ସଂଜ୍ଞା ବୁଝାଇଦେଲେ । ପୁନଶ୍ଚ ଅନୁନୟ ଓ ବିନୟ କଲେ । ତଥାପି ତାଙ୍କ ଯୁକ୍ତିକୁ ଗ୍ରହଣ କରାଗଲା ନାହିଁ । ତାଙ୍କୁ ମନ୍ଦିରରୁ ବିଦାକୀ କରାଗଲା । ଏଣୁ ଲକ୍ଷ୍ମୀ ଅଭିଶାପ ଦେଲେ :
ଯେବେ ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଆତଯାତ,
ବୁଲିବୁଲି ମୁଠେ ତୁମେ ନପାଇବ ଭାତ ।
ଭିକ ମାଗିଲେ ତୁମ୍ଭଙ୍କୁ ଭିକ ନମିଳିବ
ରଙ୍କପରି ବୁଲିବୁଲି ଦରିଦ୍ର ହୋଇବ ।ା
ମୁଁ ଚଣ୍ଡାଳୁଣି ଯେବେ ତୋଳି ଦେବି ଭାତ
ତେବେ ସେ ଭୁଞ୍ଜିବ ହେ, ତ୍ରୈଲୋକର ନାଥ ।
ଏହି ପଂକ୍ତିଗୁଡ଼ିକରେ ମହାଲକ୍ଷ୍ମୀଙ୍କର ଅନ୍ତରାଳରେ ଉତ୍କଳୀୟ ନାରୀର ମନୋଭାବନା ‘ୁଟାଇ କବି ବଳରାମ ଦାସ, ତତ୍କାଳୀନ ସମାଜର ଏକ ବିଦ୍ରୋହ ବହ୍ନିର ପ୍ରଜ୍ୱଳନ କରିଛନ୍ତି ।
ଏହାପରେ ମହାଲକ୍ଷ୍ମୀ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇ ଏକ ସ୍ୱତନ୍ତ୍ର ସୁରମ୍ୟ ନବର ସମୁଦ୍ର କୂଳରେ ପ୍ରତିଷ୍ଠା କରି ରହିଛନ୍ତି । ବେତାଳମାନଙ୍କୁ ନିର୍ଦ୍ଦେଶ ଦେଇ ଶ୍ରୀ ମନ୍ଦିରକୁ ଶୂନ୍ୟ କରିଦେଇଛନ୍ତି । ଦୂଇ ଭାଇ ଲକ୍ଷ୍ମୀଛଡ଼ା ହୁଅନ୍ତେ, ଦାସଦାସି, ପଣ୍ଡା, ପଢ଼ିହାରୀ ଏବଂ ଅନ୍ୟମାନେ ପ୍ରଭୁଙ୍କର ସେବା ବନ୍ଦ କରିଦେଲେ । ଶେଷକୁ ବଳରାମ ଓ ଜଗନ୍ନାଥ ପଥର ଭିକାରୀ ପାଲଟିଗଲେ । ଅନ୍ନଜଳ କିଛି ମିଳିଲା ନାହିଁ । ପାଇବା ପଦାର୍ଥ ଉଭାନ ହେଲା । ପରିଶେଷରେ ଭୋକିଲା ଦୁଇଭାଇ ଲକ୍ଷ୍ମୀଙ୍କ ନଗରରେ ପହଞ୍ôଚଲେ । ତଥାପି ଜାତିର ଘୃଣ୍ୟମନ୍ୟତା ମନରୁ ଯାଇନାହିଁ । ରୋଷେଇ କରି ଖାଇବେ ବୋଲି କହିଲେ । ତାଙ୍କୁ ସବୁ ଯୋଗାଇ ଦିଆଗଲା ଅଥଚ ଚୁଲି ଜଳିଲା ନାହିଁ । ଏବେ ପାଟିରୁ ‘ିଟିଲା : ଜାତି ପଛେ ଯାଉ ତା’ର ଘରେ ଖାଉ ଭାତ ।
ଏଥର ଲକ୍ଷ୍ମୀ ନିଜେ ତାଙ୍କୁ ଅଭ୍ୟର୍ଥନା କଲେ । ସେମାନଙ୍କର ଚିହ୍ନ ପରିଚନ ହେଲା । ଦୁଇଭାଇ ତାଙ୍କୁ ମନ୍ଦିରକୁ େ‘ରିବାକୁ ଅନୁରୋଧ କଲେ । ଏଥିକୁ ଲକ୍ଷ୍ମୀ ଅଭିମାନ କରି କହିଲେ :
କମଳିନୀ ବୋଲୁଛନ୍ତି ଆଉ କାହିଁ ପାଇଁ
ଯେତେବେଳେ ତୁମେ ମୋତେ ଦେଲ ଘଉଡ଼ାଇ ।
ଏବେ ମୁଁ ଯେ ନଆସଇ ବିଜେ କର ତୁମେ
ଗୋବିନ୍ଦ ବୋଇଲେ : ଦୋଷ କରିଅଛୁ ଆମ୍ଭେ ।ା
ଏଥିକୁ ମହାଲକ୍ଷ୍ମୀ ଉତ୍ତରିଲେ :
ପ୍ରଭୁହେ ତୁମ୍ଭ ଆଦେଶ ପାଇ ଦେଉଳ ଛାଡ଼ିଥିଲି,
ପୁଣି ଏ ତୁମ ଆଦେଶ ପାଇ ଯିବି ମୁଁ ଯିବି େ‘ରି ।ା
ମାତର ଦେବ ଗୋଟିଏ ଅଳି କୁହତ ଏବେ ବିଚାର କରି
ସେ ଯେଉଁ ପୂଜାରେ ମୋତେ ଘରକୁ ନେଲା ଟାଣି
ତାହାର କଥା କ’ଣ ଭଲା ବୁଝୁଛ ମହାମାନୀ ।ା
ଉତ୍ତରରେ ପ୍ରଭୁ ଜଗନ୍ନାଥ କହିଲେ :
ଶ୍ରୀୟାର କରେ ତୁମେ ତ’ ଦାନ ଦେଇଛ ଭରପୂର
ଶ୍ରୀୟାର ଯୋଗେ ଉଦ୍ଧରିବେ ଏବେ ତା’ ଜାତିକୂଳ
ଏଣିକି ଆମ ଦେଉଳେ ଜାଣ ସଭିଏଁ ହେବେ ଏକଇ ପ୍ରାଣ
ଦେଉଳେ ଥିଲା ଯେ ଭେଦଭାଦ ଏଥର ହେଲା ରଦ
ଚଣ୍ଡାଳର ହାତରୁ ଦ୍ୱିଜ, ଖାଇବେ ମହାରଦ ।ା
– ଶ୍ରୀୟା ଚଣ୍ଡାଳୁଣୀ : ଶାମୁକାର ସ୍ୱପ୍ନ ।ା
ତେବେ ଏତିକି ନୁହେଁ, ଶ୍ରୀ ମନ୍ଦିରରୁ ଛୁଆଁ, ଅଛୁଆଁ ଦୂର କରିବା ସଂଗେ ସଂଗେ ସମାଜର ଗୃହିଣୀମାନଙ୍କ ମ୍ମରେ ଆଶ୍ୱାସନା ବାଣୀ ଶୁଣାଇବା ଥିଲା ବଳରାମ ଦାସଙ୍କ ଉଦ୍ଦେଶ୍ୟ । ‘ନାରୀ ଜାଗରଣ’ ତଥା ‘ଅସ୍ପୃଶ୍ୟତା ନିବାରଣ’ ଏ ଦୁଇଟି ବିଷୟରେ ଆମେ ଗୁରୁତ୍ୱ ଦେଉଥିôବା ବେଳେ, ଓଡ଼ିଶାର ଗଣକବି ବଳରାମ ଦାସ ଆଜକୁ ଦୀର୍ଘ ୪୦୦ବର୍ଷ ପୂର୍ବରୁ ଏ ସଂପର୍କରେ ପୁସ୍ତକ ରଚନା କରି ସଂଗ୍ରାମ କରିବା ସହ ଜନଜାଗରଣ ଏବଂ ସାମାଜିକ ଚେତନା ସୃଷ୍ଟି କରିପାରିଥିଲେ । ତେବେ ଦୁଃଖ ଯେ ସାଂପ୍ରତିକ ରାଜନୀତିରେ ଏ ଜାତି ରାଜନୀତି ଖୁବ୍ ଜୋରଦାର୍ । ଏଠି ଆଉ ଜାତିଭେଦ ଦୂର ହେବ କିପରି? ଏବେ ଜାତିକୁ ଯିଏ ଯୋଉ ସ୍ତରରେ ଅଛି ସେହି ସ୍ତରରେ ରଖି, ସଂରକ୍ଷଣ ନାଁରେ ଭୋଟ ମଗାଚାଲିଛି । ଏଣୁ ଦୁଃଖର ସହିତ କୁହାଯାଇପାରେ :
ସମ୍ବିଧାନେ ଉଠେ ଜାତି
କରତି ଦେଉଛି ଛାତି ।ା
ଏବେବି ଆମେ ଅନ୍ଧତ୍ୱ ଏବଂ କୁସଂସ୍କାର ଭିତରେ ବୁଡ଼ି ରହିଛୁ ।
ଆମେ ଏ ମଣିଷ ଜାତିକୁ ଶତଧା ବିଭକ୍ତ କରି ଦୂରେଇ ଚାଲିଛୁ ।ା
ଏ ଦୃଷ୍ଟିରୁ ବିଚାରକଲେ ଲକ୍ଷ୍ମୀପୂଜା ଏବଂ ଲକ୍ଷ୍ମୀ ପୁରାଣର ମାନେ କିଛି ନାହିଁ ।
ତେବେ ଯାହାହେଉ, ଶ୍ରୀ ଜଗନ୍ନାଥଙ୍କ ସାହିତ୍ୟ ଭଣ୍ଡାରରେ ‘ଲକ୍ଷ୍ମୀପୁରାଣ’ଟି ବଳରାମ ଦାସଙ୍କର ଏକ ମହାର୍ଘ ରତ୍ନ । ଏ ରତ୍ନକୁ ଠିକ୍ ବୁଝିପାରିଲେ ବୋଧହୁଏ ଆମ୍ଭମାନଙ୍କ ମ୍ମରେ ଥିବା ପାରସ୍ଫରିକ ଦୂରତ୍ୱ ଅପସରି ଯିବ ।
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮


