ବାପା ହେଲେ କମେଡି କିଙ୍ଗ୍ କପିଲ
ମୁମ୍ବାଇ : ବଲିଉଡ ଜଗତର କମେଡି କିଙ୍ଗ୍ କପିଲ ଶର୍ମା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ଗିନ୍ନୀ ଚତରଥ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏ ସମ୍ପର୍କରେ କପିଲ ଟୁଇଟ୍ କରିଛନ୍ତି। ସେ ଟୁଇଟ୍ରେ ଲେଖିଛନ୍ତି ଯେ, ଆମର ଝିଅ ହୋଇଛି। ଆପଣମାନଙ୍କ ଆଶୀର୍ବାଦ ଆବଶ୍ୟକ। ସମସ୍ତଙ୍କୁ ମୋର ଭଲପାଇବା। ଜୟ ମାତା ଦି। ଏହି ଟୁଇଟ୍ ପରେ କପିଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। କପିଲ ଏହି ଟୁଇଟ୍ ସକାଳ ପ୍ରାୟ ସାଢେ ୩ଟାରେ କରିଥିଲେ। ରାପର ଗୁରୁ ରନ୍ଧୱା କପିଲଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଆଜି ମୁଁ ବିଧିବଦ୍ଧ ଭାବେ ଚାଚା ହୋଇଛି। ଏହା ସହ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ମଧ୍ୟ କପିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେବଳ ସେତିକି ନୁହେଁ କପିଲଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଠାରେ ସୂଚନା ଯେ ଗତବର୍ଷ ଡିସେମ୍ବର ୧୨ ତାରିଖରେ ଜାଳନ୍ଧରରେ କପିଲ ଓ ଗିନ୍ନୀଙ୍କ ବିବାହ ହୋଇଥିଲା। ଦିଲ୍ଲୀ ଓ ମୁମ୍ବାଇରେ ବିବାହ ଭୋଜିର ଆୟୋଜନ ହୋଇଥିଲା।


