ବାଲିବରେଇ ଓ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ପରିକ୍ରମା କଲା ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବାଲିବରେଇ ଓ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପରିକ୍ରମା କରିଛି। ବାଲିବରେଇ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ୱାରା ଶଙ୍ଖ ହୁଳହୁଳି ଓ ନାଚ ଗୀତ ମାଧ୍ୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସଂକଳ୍ପ ରଥକୁ ସ୍ୱାଗତ କରାଯାଇଥିଲା। ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଫିତା କାଟି ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସରପଞ୍ଚଙ୍କ ପ୍ରତିନିଧି ଅଜୟ ଘଡେଇ, ବ୍ଲକ ଏ.ସି.ପି ପ୍ରଶାନ୍ତ ସେଠୀ, ପିଇଓ ଜିତେନ୍ଦ୍ର ଜେନା, ଜି.ଆର.ଏସ ସତ୍ୟେନ୍ଦ୍ର ପାଗଳ, ଶିକ୍ଷାବିତ ଅନ୍ତର୍ୟ୍ଯମୀ ରାଉତ, ଭୁବନାନନ୍ଦ ପଟ୍ଟନାୟକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଯୋଜନାରୁ କି କି ପ୍ରକାର ସୁଫଳତା ପାଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଏଲିଡ଼ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୮ଜଣ ମହିଳାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ବରିଷ୍ଠ ବିଜେପି ନେତା ଅଲୋକ ସେଠୀ, ବ୍ଲକ ସଂଯୋଜକ ସୁଶାନ୍ତ ଜେନାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଯୋଗଦେଇ ଥିଲେ। ଏହି ଅବସରରେ ବିକଶିତ ଭାରତ ଗଠନ କରିବାକୁ ଉପସ୍ଥିତ ମହିଳା ଓ ବୁଦ୍ଧିଜୀବୀ ମାନେ ଶପଥ ନେଇଥିଲେ। ସେହିପରି ପଢ଼ିଆରିପଲ୍ଲୀ ପଞ୍ଚାୟତରେ ରଥ ପହଞ୍ଚିବା ପରେ ମହିଳାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପଞ୍ଚାୟତ ପରିକ୍ରମା କରାଇଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସରପଞ୍ଚ ଅଜିତ ରାଉତ, ନାଏବ ସରପଞ୍ଚ ପ୍ରମିଳା ନାଇକ, ପିଇଓ ରମାକାନ୍ତ ମାଝୀ, ଜି.ଆର.ଏସ ଅଜୟ ଦାସଙ୍କ ସହ ସ୍ୱାସ୍ଥ୍ୟ, ମସ୍ୟୂ, ପଶୁସମ୍ପଦ, ଗ୍ୟାସ ଏଜେନ୍ସି ଭଳି ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନେକ ମହିଳାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏସ.ଏସ.ଜି ଗ୍ରୁପର ଶତାଧିକ ମହିଳା ଓ ଗ୍ରାମର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ବିକଶିତ ଭାରତ ଗଠନ କରିବାକୁ ଶପଥ ନେଇଥିଲେ। ଏଥିରେ ବିଜେପି ନେତା ଆଲୋକ ସେଠୀ, କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ଜେନା ଙ୍କ ସମେତ ଅନେକ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ।


