ବାଲେଶ୍ୱର ଜିଲ୍ଲାରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲାରେ ଆଜି କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ସାରା ଦେଶ ପାଇଁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ପରେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ସଫେଇ କର୍ମଚାରୀ ମନୀଷା ଦେ’ଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଏହା ପରେ ତାଙ୍କୁ ଅଧଘଂଟା ପାଇଁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ପରେ ଅନ୍ୟ କୋଭିଡ୍ ଯୋଦ୍ଧାମାନଙ୍କୁ ମଧ୍ୟ ଟିକାଦାନ କରାଯିବା ସହ ମାର୍ଗଦର୍ଶିକା ଅନୁଯାୟୀ ଅଧଘଂଟା ଲେଖାଏଁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ଟିକାକରଣ ଆରମ୍ଭ ହେବାର ପ୍ରାୟ ୧ଘଂଟା ପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟିକା ନେଇଥିବା ରାଜ୍ୟର ବିଭିନ୍ନ ଅଂଚଳର ଲୋକମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମାନ୍ୟବର କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ, ଡାକ୍ତର, ନର୍ସ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଜି ଜିଲ୍ଲାର ୫ଟି ସ୍ଥାନ ଯଥା- ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ, ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ୫ଟି କେନ୍ଦ୍ରରେ ୧୦୦(ଶହେ) ଲେଖାଏଁ ବ୍ୟକ୍ତିଙ୍କୁ ଟିକାଦାନ କରାଯିବାକୁ ଥିବା ବେଳେ ଆସନ୍ତା ସପ୍ତାହରେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ । ପ୍ରତି ଘଂଟାରେ ୧୨ଜଣଙ୍କୁ ଟିକାଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ପ୍ରତି କେନ୍ଦ୍ରରେ ୫ଜଣ ଲେଖାଏଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବାଦ୍ ଅତିରିକ୍ତ ୨ଜଣ ଷ୍ଟାଫ୍ ନର୍ସଙ୍କୁ ନିୟୋଜିତ କରାଯାଇଛି । ଟିକାକରଣର ପ୍ରାଥମିକ ପର୍ଯ୍ୟାୟରେ ସଫେଇ କର୍ମଚାରୀ, ସିକ୍ୟୁରିଟି ସୁପରଭାଇଜର, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଡାକ୍ତର ଓ ମେଡିକାଲ ଅଧିକାରୀ, ପ୍ରୋଗ୍ରାମ ପରିଚାଳନା କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ପ୍ରଭୃତିଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଜଣାପଡିଛି । ଟିକାକରଣ ସମ୍ପର୍କିତ ସମସ୍ତ ତଥ୍ୟ “କୋଓି୍ୱନ୍” ଆପରେ ଅପଲୋଡ କରାଯିବ । ଟିକାକରଣ ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଧଘଂଟା ନିରୀକ୍ଷଣରେ ରଖାଯିବ । କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ ତୁରନ୍ତ “ରାପିଡ୍ ରେସପନସ ଟିମ” ଦ୍ୱାରା ତାହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଡା. ମୃତ୍ୟୁଞ୍ଜୟ ମିଶ୍ର, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପାଇଁ ଡା. ଶଶାଙ୍କ ଶେଖର ଚୌଧୁରୀ, ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଡା. ରଞ୍ଜନ କୁମାର ନାୟକ, ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଡା. ପରେଶ ଚନ୍ଦ୍ର ନନ୍ଦୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯେ କୌଣସି ପାଶ୍ୱର୍ ପ୍ରତିକ୍ରିୟାର ମୁକାବିଲା ପାଇଁ ମଧ୍ୟ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାରେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରାଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।


