ବାଲ୍ୟ ବିବାହକୁ ବନ୍ଦ କଲା ଚାଇଲ୍ଡ ହେଲ୍ପଲାଇନ ଓ ପୋଲିସ
ଯୋଡା,(ସମୀର କୁମାର ଦାସ): ଯୋଡା ସହରର ୱାର୍ଡ ନଂ-୬ ବାଚୁହଟିଂ ଠାରେ କରାଯାଉଥିବା ବାଲ୍ୟ ବିବାହକୁ ପୋଲିସ ଓ ଚାଇଲ୍ଡ ହେଲ୍ପଲାଇନ ବନ୍ଦ କରିଥିବା ଜଣାପଡିଛି । ଖବରନେବାରୁ ଜଣାପଡିଛି ଯେ, ବାଚୁହଟିଂର ୧୩ ବର୍ଷର ନାବାଳିକା ଓ ୧୮ ବର୍ଷର ବାଳକ ସହିତ ବାଚୁହଟିଂ ତାରିଣୀ ମନ୍ଦିରରେ ବୈଦିକ ରୀତିିରେ ଉଭୟ ପରିବାରର ମିଳିତ ସହଯୋଗରେ ବିବାହ କରାଉଥିଲେ । ଚାଇଲ୍ଡ ହେଲ୍ପଲାଇନ ନମ୍ବରରେ ଫୋନ୍ରେ ଅଭିଯୋଗ ଆସିବାପରେ ଚମ୍ପୁଆରୁ ଚାଇଲ୍ଡ ହେଲ୍ପଲାଇନ ଟିମ ମେମ୍ବର ହିମାଦ୍ରି ନାଏକ, ଯୋଡା ପୋଲିସ, ଯୋଡା ଶିଶୁ ସୁରକ୍ଷା ମନ୍ଚର ସଭ୍ୟା ଓ ସଭ୍ୟ, ଏକ ଏନ୍ଜିଓ ର କର୍ମଚାରୀ, ଯୋଡା ଆଇସିଡିଏସ୍ ର ଅଧିକାରିଣୀ ଜୟନ୍ତି ମହାନ୍ତ ମିଳିତ ହୋଇ ରବିବାର ପ୍ରାୟ ୧୧ ଘଟିକା ସମୟରେ ଘଟଣାସ୍ଥଳରେ ପହଁଚି ଏହି ବିବାହକୁ ବନ୍ଦ କରିଥିଲେ । ନାବାଳିକା ଓ ବାଳକଙ୍କ ପରିବାରଙ୍କୁ ଯୋଡା ଥାନାକୁ ନିଆଯାଇଥିଲା । ସେଠାରେ ଉଭୟ ପରିବାର ପକ୍ଷରୁ ଏପରି ବିବାହ ନକରିବା ପାଇଁ ପୋଲିସ ଆଗରେ ଏକ ଅଣ୍ଡରଟେକିଂ ଲିଖିତଭାବେ ଦେଇଥିଲେ ।


