ବିଶୃଙ୍ଖଳା ଓ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଜିରୋ ନାଇଟ୍ ଓ ନୂଆବର୍ଷରେ ମଦ ଦୋକାନ, ବାର୍ ବନ୍ଦ ପାଇଁ ସିପିଏମ୍ର ଦାବି ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ବିଶୃଙ୍ଖଳା ଓ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଶାଖା ପକ୍ଷରୁ ଦୁଇ ଦିନ ପାଇଁ ପାରଳାଖେମୁଣ୍ଡି ସହରରେ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇ ନିବେଦନ କରିଛନ୍ତି । ସିପିଏମ୍ ସମ୍ପାଦକ ପି.ମୂରଲୀକ୍ରୀଷ୍ଣାଙ୍କ ନେତୃତ୍ୱରେ ଏକ ଦଳ ଜିଲ୍ଲାପାଳ ଦାୟିତ୍ୱରେ ଥିବା ସଂଗ୍ରାମ ଶେଖର ପଣ୍ଡାଙ୍କୁ ଭେଟି ଏକ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ୨୦୨୧ ନୂତନ ବର୍ଷ ନିମନ୍ତେ ସହରରେ ବିଶେଷ କରି ଯୁବଗୋଷ୍ଠୀ ସଂଘବଦ୍ଧ ହୋଇ ବିଭିନ୍ନ ସ୍ଥାନରେ ପିକ୍ନିକ୍ ତଥା ଭୋଜିଭାତ କରି ମୌଜମସ୍ତି ଲାଗି ମଦ୍ୟପାନ କରି ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି । ମଦ୍ୟପାନ କରି ଗାଡି ଚଲାଇ ବୁଲିବା ଦ୍ୱାରା ଦୁର୍ଘଟଣାମାନ ଘଟାଇବାର ଆଶଙ୍କା ରହିଛି ।ଏତଦ୍ବ୍ୟତୀତ କୋରନା ଋତୁ ଚାଲିଥିବାରୁ ଲୋକମାନେ ଏକତ୍ରିତ ହେଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ଏ ସବୁକୁ ଦୃଷ୍ଟିରେ ରଖି ଆଗାମୀ ୩୧ ଓ ଜାନୁୟାରୀ ୧ ତାରିଖ ଦୁଇଦିନ ପାଇଁ ସହରର ସମସ୍ତ ମଦ ଦୋକାନ ବନ୍ଦ କରିବାପାଇଁ ନିବେଦନ କରିଛନ୍ତି । ଏସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଅବକାରୀ ଅଧିକ୍ଷକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀଙ୍କୁ ଅବଗତ କରାଇଥିବାର ଜଣାଇଛନ୍ତି ।


