ବିଶ୍ବ ହକିକପ୍ ଟ୍ରଫିକୁ ଗଞ୍ଜାମ ଜିଲ୍ଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶାରେ ଆୟୋଜନ ହେବାକୁ ଯାଉଛି ଆସନ୍ତା ୨୦୨୩ ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ଵକପ ହକି । ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ଵକପର ମ୍ଯାଚଗୁଡିକ ଅନୁଷ୍ଠିତ ହେବ । ୧୬ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରିବେ । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହା ପୂର୍ବରୁ ହକି ବିଶ୍ଵକପ ଟ୍ରଫିକୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯାଇଛି । ଏହିଭଳି ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବିଶ୍ଵକପ ହକି ଟ୍ରଫିକୁ ସ୍ଵାଗତ କରାଯାଉଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ବୁଧବାର ପୂର୍ବାହ୍ନ ୧୧ ଟାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପ୍ରସାଦ ଠାରେ ବିଶ୍ଵକପ ଟ୍ରଫିକୁ ସ୍ଵାଗତ କରଯାଇଥିଲା । ଏହାପରେ ମୁଜାଗଡ, ଆର ଟି ଓ ଅଫିସ, କେ ଏସ ୟୁ ବି କଲେଜ ସମୁଖରେ ଟ୍ରଫିକୁ ଛାତ୍ର ଛାତ୍ରୀ ଏବଂ ଅନ୍ୟମାନେ ସ୍ଵାଗତ କରିଥିଲେ । ଏହାପରେ ଭଞ୍ଜନଗର କଲେଜ ରୋଡ୍, ଚକରା ବିଷୋୟୀ ଛକ ଠାରେ ସ୍ବାଗତ କରାଯିବା ପରେ ଭଞ୍ଜନଗର ସହର ପରିକ୍ରମା କରିଥିଲା । ଏହି ସମୟରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଡିଓ ଶଶୀ ଭୂଷଣ ମହାପାତ୍ର, ତହସିଲଦାର ଅଚ୍ୟୁତା ନନ୍ଦ ଜାନୀଏସ୍.ଡି.ପି.ଓ. ଶୂଭ୍ରାଂଶୁ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ପରେପରେ ବିଶ୍ବ ହକିକପ୍ ଟ୍ରଫି ଆସ୍କା, ହିଞ୍ଜିଳିକାଟୁ ଦେଇ ତାରାତାରିଣୀ ଠାରେ ପହଞ୍ଚି ଥିଲା । ପରେ ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ହକି ବିଶ୍ବକପ୍ ଟ୍ରଫି ପହଞ୍ଚିଥିଲା । ଟ୍ରଫିକୁ ସ୍ବାଗତ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ପକ୍ଷରୁ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଛି । ହଜାର ହଜାର ଦର୍ଶକ ଟ୍ରଫିକୁ ଦେଖିବା ସହ ଚକ୍ ଦେ ଇଣ୍ଡିଆ ଧ୍ବନୀ ଦେଇଥିଲେ । ଛତ୍ରପୁର ଖେଳପଡିଆ ଠାରେ ହକି ବିଶ୍ବକପ୍ ଟ୍ରଫିକୁ ସ୍ବାଗତ କରାଯାଇ ଆନ୍ତର୍ଜାତୀୟ କ୍ରୀଡାରେ ସଫଳତା ଅର୍ଜନ କରିଥିବା ଜିଲ୍ଲାର ୭ଜଣ କ୍ରୀଡାବିତ୍ ଚନ୍ଦନ କୁମାର ସାହୁ, ମାର୍କଣ୍ଡ ରେଡ୍ଡୀ, ଭି. ରମେଶ ରାଓ, ସୁନୀଲ ପ୍ରଧାନ, ଶୁଭ୍ରଜିତ୍ ସାହୁ, ଆଶୁତୋଷ ପାଢୀ, ଅନ୍ବେଷା ବିଶୋୟୀ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନୀତ କରାଯାଇଥିଲା । ଏହି ସମୟରେ ପୋଲିସ୍ ବ୍ୟାଣ୍ଡ ସହ ଏନ୍.ସି.ସି., ସ୍କାଉଟ୍, ଗାଇଡ୍, କ୍ୟାଡେଟ୍ସ, ଛାତ୍ରଛାତ୍ରୀ, କଳାକାର ଓ ଜନତା ସ୍ବାଗତ କରିଥିଲେ । ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜିର ଦିବସ ହେଉଛି ଗଞ୍ଜାମ ଜିଲ୍ଲା ପାଇଁ ଐତିହାସିକ ଦିବସ । ଆଜିର ଦିବସ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଆମ ଜାତୀୟ ଖେଳ ହକି କୁ ବିଶ୍ବ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ଓଡିଶା ଏକ ବଡ ଭୂମିକା ନିର୍ବାହ କରୁଛି । ପ୍ରତିଟି ଓଡିଆ ତଥା ଭାରତୀୟଙ୍କ ପାଇଁ ଏହା ଗର୍ବର ମୂହୂର୍ତ୍ତ ଅଟେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତାଙ୍କ ବକ୍ତବ୍ୟରେ ବିଶ୍ବ କପ୍ ଭଳି ବିଶ୍ବ ସ୍ତରୀୟ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟକୁ ଓଡିଶା ଦୁଇଥର ଆୟୋଜନ କରିବା ଗୌରବର କଥା ବୋଲି କହିଥିଲେ । ଜିଲ୍ଲବାସୀ ହକି ବିଶ୍ବକପ୍ କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା କୃତଜ୍ଞତା ଜଣାଇଥିଲେ । ଆଜିର ଅହି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଲୀନା କୁମାରୀ ଖେସ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ, ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ସମସ୍ତ ଜନ ପ୍ରତିନିଧି, ସାମ୍ବାଦିକ ବନ୍ଧୁଗଣ, କ୍ରୀଡାବିତ୍, ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନ ସାଧାରଣ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ବିଶ୍ବ ହକିକପ୍ କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ