“ବେଟି ବଚାଓ, ବେଟି ପଢାଓ” ଅଭିଯାନ: ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ୱର,(ୱାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲାରେ “ବେଟି ବଚାଓ, ବେଟି ପଢାଓ” ଅଭିଯାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗଠିତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟିର ଏକ ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଏହି ବୈଠକରେ ଅଧ୍ୟକ୍ଷତା କରି କନ୍ୟା ସନ୍ତାନର ସୁରକ୍ଷା ପାଇଁ ଏହି ଅଭିଯାନ ମାଧ୍ୟମରେ କିଭଳି ଜନସାଧାରଣଙ୍କୁ ସଚେତନ କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥି ପାଇଁ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଏହି ଅଭିଯାନକୁ ସଫଳ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ପୁଅଙ୍କ ଅନୁପାତରେ ଝିଅଙ୍କ ଜନ୍ମହାର ହ୍ରାସ ପାଉଥିବା ପରିଲକ୍ଷିତ ହେଉଥିବାରୁ ଏଥିରେ କିପରି ସୁଧାର ଆସିପାରିବ ସେ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲିଙ୍ଗ ନିରୂପଣ ଅଧିନିୟମକୁ ଜିଲ୍ଲାରେ କଡାକଡି ଲାଗୁ କରିବା ସହିତ କନ୍ୟା ସନ୍ତାନ ପ୍ରତି ଲୋକଙ୍କ ମନରେ ରହିଥିବା ମନୋଭାବରେ କିଭଳି ପରିବର୍ତନ ଅଣାଯାଇପାରିବ ସେ ଦିଗରେ ସଚେତନତା ଅଭିଯାନ ଆରମ୍ଭ କରିବା ଏବଂ ଜନପ୍ରତିନିଧିମାନଙ୍କୁ ଏଥିରେ ସାମିଲ କରିବା ଉପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଗୁରୁତ୍ୱାରୋପ କରିଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଏଥିରେ ଯୋଗ ଦେଇ “ବେଟି ବଚାଓ, ବେଟି ପଢାଓ” ଅଭିଯାନରେ ଜିଲ୍ଲାରେ କେଉଁ ସବୁ କାର୍ଯ୍ୟ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ସୁକୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ଭାଗିରଥୀ ବାରିକ୍ ପ୍ରମୁଖ କନ୍ୟା ସନ୍ତାନ ସୁରକ୍ଷାର ବିଭିନ୍ନ ଦିଗ ଓ ଜିଲ୍ଲାର ସ୍ଥିତି ଉପରେ ଆଲୋକପାତ କରିଥିଲେ । ବିଶେଷ କରି କନ୍ୟାସନ୍ତାନକୁ କିଭଳି ପ୍ରତି ସ୍ତରରେ ଉତ୍ସାହିତ କରାଯାଇପାରିବ, ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇପାରିବ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ରୋଜଗାର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସେମାନଙ୍କୁ କିଭଳି ସରକାରୀ ପ୍ରୋତ୍ସାହନ ଓ ସୁବିଧା ଯୋଗାଇଦିଆଯାଇପାରିବ ଏବଂ ସର୍ବୋପରି ସେମାନେ କୌଣସି କ୍ଷେତ୍ରରେ କାହାଠାରୁ କମ ନୁହଁନ୍ତି ଏଭଳି ଆତ୍ମବିଶ୍ୱାସ ସେମାନଙ୍କ ମନରେ ସୃଷ୍ଟି କରାଯିବା ସହିତ ଏହାକୁ ଏକ ଗଣ ଆନ୍ଦୋଳନର ରୂପ ଦେବାକୁ ଗୃହରେ ମତପ୍ରକାଶ ପାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁବକ ମାଝୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଏହି ଅଭିଯାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକ ପରେ “ବେଟି ବଚାଓ, ବେଟି ପଢାଓ” ସଚେତନତା ରଥକୁ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ସଚେତନତା ବାର୍ତା ପ୍ରଚାର କରିବ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍,ବାଲେଶ୍ୱର, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


