ମଦ ମୂଲ୍ୟ ୫୦ ପ୍ରତିଶତ ବଢିଲା
ନୂଆଦିଲ୍ଲୀ : ସୋମବାରଠାରୁ ବିଭିନ୍ନ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଛି। ଯେଉଁ ସ୍ଥାନରେ ମଦ ବିକ୍ରି ଲାଗି ଅନୁମତି ମିଳିଛି ସେଠାରେ ଲୋକଙ୍କର ଅହେତୁକ ଭିଡ ପରିଲକ୍ଷିତ ହେଉଛି । ସାଧାରଣ ଲୋକ କରୋନା ଡରକୁ ଖାତିର ନକରି ମଦ କିଣିବା ପାଇଁ ଲମ୍ବା ଲାଇନରେ ଛିଡା ହେବା ସହିତ ସାମାଜିକ ଦୂରତ୍ବକୁ ମଧ୍ୟ ଅବମାନନା କରୁଛନ୍ତି । ଏହାକୁ ଦୂର କରିବା ପାଇଁ ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଦ ଉପରେ ୭୦ ପ୍ରତିଶତର ସ୍ବତନ୍ତ୍ର କରୋନା ଫି ଲଗାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ରାଜ୍ୟ ଭାବରେ ସମାନ ପଦକ୍ଷେପ ଗ୍ରହଣ କରିଛି । ଆନ୍ଧ୍ରପ୍ରଦେଶ ସରକାର ମଦ ମୂଲ୍ୟକୁ ପ୍ରାୟ ଦୁଇ ଗୁଣ କରି ଦେଇଛନ୍ତି । ଗତକାଲି ସରକାରଙ୍କ ପକ୍ଷରୁ ଏହାକୁ ୨୫ ପ୍ରତିଶତ ବଢାଯାଇଥିଲା । ମାତ୍ର ଭିଡ ଅତ୍ୟଧିକ ହେବାରୁ ମଙ୍ଗଳବାର ଦିନ ଏହାକୁ ୨୫ରୁ ୫୦ ପ୍ରତିଶତକୁ ବଢାଇ ଦିଆଯାଇଛି । ଆନ୍ଧ୍ର ପ୍ରଦେଶରେ ଦିନ ୧୨ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଛି ।


