ମନରେଗା ମହାଦୁର୍ନୀତି ବିରୋଧରେ ଦଶମ ଦିନରେ ଗଣଧାରଣା : ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଆଖିବୁଜା ଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଗଣଧାରଣା ଆଜି ଦଶମ ଦିନରେ ପହଁଚିଛି । ସେହି ଗଣଧାରଣାକୁ ଜିଲ୍ଲାର ସି.ପି.ଆଇ., ସି.ପି.ଆଇ.(ଏମ. ସମେତ ବିଭିନ୍ନ ଦଳ ଗୁଡିକ ସମର୍ଥନ ଦେବା ସହ ସେହିସବୁ ଦଳର କର୍ମକର୍ତ୍ତାମାନେ ଧାରଣାସ୍ଥଳରେ ବସିଥିବା ମଧ୍ୟ ଦେଖାଯାଇଛି । ପ୍ରଶାସନ ଏହି ଘଟଣାରେ ନୀରବଦ୍ରଷ୍ଟା ନସାଜି ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଧାରଣାରତ ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି । ଗଣଧାରଣାରେ ବାରୋ ପଞ୍ଚାୟତବାସୀ ବସିବା ପରେ କେନ୍ଦ୍ରାପଡା ବ୍ଲକର ବିଡିଓଙ୍କ ନିର୍ଦେଶରେ ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିପିଇଓ ଏବଂ ଏପିଓ ମିଳିତ ଭାବେ ତଦନ୍ତ କରି ପ୍ରଦାନ କରିଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବାରୋ ନବଦୋୟ ବିଦ୍ୟାଳୟ ପରିସରରେ ହୋଇଥିବା ମନରେଗା ପ୍ରକଳ୍ପ କର୍ଯ୍ୟରେ ବହୁ ବେଆଇନ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ ରହିଛି । କିନ୍ତୁ ଅଦ୍ୟାବଧି ସେହି ରିପୋର୍ଟ ଉପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାବ୍ୟତିତ ସେହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଆସୁଛି । ବାରୋ ପଞ୍ଚାୟତରେ ହୋଇଥିବା ସମସ୍ତ ଦୁର୍ନୀତିର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହି ଆନ୍ଦୋଳନ ଚାଲୁରହିବ ବୋଲି ଧାରଣାକାରୀମାନେ କହିଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଚାମ୍ବରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରଡାଙ୍କ ଉପସ୍ଥିତିରେ ଧାରଣାକାରୀଙ୍କ ସହିତ ଏକ ଆଲୋଚନା ବୈଠକ ହୋଇଥିଲେ ବି ତାହା ସଫଳ ହୋଇନଥିବା ସୂଚନା ମିଳିଛି । ବୈଠକରେ ରାଜ୍ୟ କଂଗ୍ରେସ ପଛୁଆବର୍ଗର ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଜିଲ୍ଲା କଂଗ୍ରେସ ପଛୁଆ ବର୍ଗର ସଭାପତି ବିଧୁଭୂଷଣ ମହାପାତ୍ର, ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳଙ୍କ ସମେତ ଆନ୍ଦୋଳନକାରୀଙ୍କ ପକ୍ଷରୁ ଭାଗୀରଥି ଜେନା,ବସନ୍ତ ନାୟକ ଓ ହେମନ୍ତ ପରିଡା ପ୍ରମୁଖ ପ୍ରଶାସନ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ପ୍ରଶାସନ ଏହି ଦୁର୍ନୀତିରେ ସଂପୃକ୍ତ ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।


