ମୃତ ତୁଳସୀ ରାଉତଙ୍କ ଖାଉଟି ସାମଗ୍ରୀ ହଡପ ଘଟଣା ଡିଲର ନିଲମ୍ବିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଅଲଣା ପଂଚାୟତ ସଠଳପୁର ଗ୍ରାମର ମୃତ ତୁଳସୀ ରାଉତଙ୍କ ଖାଉଟି ସାମଗ୍ରୀ ହଡପ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଦୁର୍ନିତିଗ୍ରସ୍ତ ଡିଲରଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ନମ୍ବର- ୭୭/୨୨ ମାର୍ଚ୍ଚ ୨୦୨୧ରେ ଅଲଣା ପଂଚାୟତରେ ଖାଉଟି ସାମଗ୍ରୀ ବଂଟନ ଦାୟିତ୍ୱରେ ଥିବା ବେଲବଣ ସ୍ୱୟଂ ସହାୟୀକା ଦଳକୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଉକ୍ତ ସ୍ୱୟଂ ସହାୟୀକା ଦଳ ନାମରେ ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ନଂ ୧୯/୨ ଫେବୃଆରୀ ୨୦୨୧ ଜାରି କରାଯାଇଥିଲା । କିନ୍ତୁ ଉକ୍ତ ନୋଟିସର ଉତର ସନ୍ତୋଷଜନକ ନହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୪ ଜଣିଆ ସ୍ୱତନ୍ତ୍ର ଦଳ ଖାଉଟି ସାମଗ୍ରୀ ହଡପ ମାମଲାକୁ ତଦନ୍ତ କରିଥିଲେ । ସ୍ୱତନ୍ତ ଦଳର ସୁପାରିଶ ଓ ତଦନ୍ତ ରିପୋର୍ଟ ଅନୁସାରେ ବେଲବଣ ସ୍ୱୟଂ ସହାୟୀକା ଦଳକୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନର ଅବିକଳ ନକଲ କପି ମେମୋ ନମ୍ବର-୭୮ ବେଲବଣ ସ୍ୱୟଂ ସହାୟୀକା ଦଳ,ମେମୋ ନମ୍ବର-୭୯ ବିଡିଓ ନାଉଗାଁ ବ୍ଳକ/ଯୋଗାଣ ନିରୀକ୍ଷିକା, ମେମୋ ନଂ ୮୦ରେ ଜିଲ୍ଲା ଯୋଗାଣ ବିଭାଗକୁ ଜଣାଇ ଦିଆଯାଇଥିବା ଜଣାଯାଇଛି । ସେହିପରି ଉକ୍ତ ପଂଚାୟତରେ କିଛି ଦିନ ଧରି ବଂଟନ ଦାୟିତ୍ୱରେ ଥିବା ନାଉଗାଁ ଡିଲର ପ୍ରତାପ କୁମାର ବେହେରାଙ୍କୁ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୮୧ /୨୨ ମାର୍ଚ୍ଚ ୨୦୨୧ ରେ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଦୁର୍ନିତିଗ୍ରସ୍ତ ଡିଲର ନିଲମ୍ବନ ହେବା ପରେ ନାଉଗାଁର ସଚେତନ ନାଗରିକ ମଂଚର ସଦସ୍ୟ, ବୁଦ୍ଧିଜୀବି, ବରିଷ୍ଠ ନାଗରିକମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ବିଭାଗ, ବିଡିଓ, ବ୍ଳକ ଯୋଗାଣ ଅଧିକାରୀକୁ ସାଧୁବାଦ ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ ମୃତ ତୁଳସୀ ରାଉତଙ୍କ ଖାଉଟି ସାମଗ୍ରୀ ହଡପ ହେବା ସହ ତତ୍କାଳିନ ଭାରାପ୍ରାପ୍ତ ବିଡିଓ ଜେ.କଳ୍ପନାଙ୍କ ଦସ୍ତଖତ ଜାଲିଆତି ହୋଇଥିବା ଅଭିଯୋଗରେ ବ୍ଳକ ସମ୍ମୁଖରେ ଗତ ୧୭ ତାରିଖରେ ସମାଜସେବୀ ଦେବଜ୍ୟୋତି ମହାନ୍ତି ଧାରଣାରେ ବସିଥିଲେ । ଏହି ଧାରଣାକୁ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ସୁବାସ ସ୍ୱାଇଁ,ବଂଶୀଧର ବେହେରା,ନାଉଗାଁ ସଚେତନ ନାଗରିକ ମଂଚର ବସନ୍ତ ମହାନ୍ତି, ଅର୍ଜୁନ ରାଉତ, ସିଦ୍ଧେଶ୍ୱର ବାରିକ, ଦିଲ୍ଲିପ ପାଢୀ, ଛାତ୍ରନେତା ଆଲୋକ ମହାନ୍ତି, କଂଗ୍ରେସ ଛାତ୍ରନେତା ପ୍ରିତମ ପରିଜା, ରଶ୍ମୀରଂଜନ ତ୍ରିପାଠୀ, ସୌମ୍ୟସଂଜୀବ ଦାସ,ଏବିଭିପିର ଜିଲ୍ଲା ସଂଯୋଜକ ବିଶ୍ୱଜିତ ପାତ୍ର ପ୍ରମୁଖ ଧାରଣାରେ ବସି ରହିଥିଲେ । ବିଡିଓ ରଶ୍ମିରେଖା ମଲ୍ଲିକଙ୍କ କାର୍ଯ୍ୟାଳୟରେ ଆଲୋଚନା ପରେ ଜିଲ୍ଲା ପ୍ରଶାସନକୁ ଏବିଷୟରେ ଲିଖିତ ଭାବେ ଜଣାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଡିଓ ମତବ୍ୟକ୍ତ କରିଥିଲେ । ପରେ ଯୋଗାଣ ନିରୀକ୍ଷିକା ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୂଚନା ଯୋଗ୍ୟ ଯେ ଉକ୍ତ ଗ୍ରାମର ତୁଳସୀ ରାଉତଙ୍କ ନାମରେ ଖାଉଟି କାର୍ଡ ନମ୍ବର-୧୨୦୬୦୧୧୦୯୧୧ରେ ଏକ କାର୍ଡ ରହିଥିଲା । ଡିସେମ୍ବର ୨୦୧୮ ମସିହାରେ ତୁଳସୀ ରାଉତ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବରଣ କରିବା ପରେ ଦୀର୍ଘ ୨୨ ମାସ ହେବ ତାଙ୍କ କାର୍ଡରେ ସାମଗ୍ରୀ ଉଠାଯାଇଥିବା ବେଳେ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ଆସିଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସହାୟତାକୁ ମଧ୍ୟ ଉଠାଯାଇଛି । ଯାହାକୁ ବଂଟନ ଦାୟିତ୍ୱରେ ଥିବା ଡିଲର ସାମଗ୍ରୀ ଉଠାଇଥିବା ସୂଚନା ଅଧିକାର ଆଇନି ବଳରେ ତଥ୍ୟ ଜଣାଯାଇଛି । ସଂପୃକ୍ତ ଡିଲର ନିଜକୁ ବଂଚାଇବାକୁ ଯାଇ ୨୮ ଡିସେମ୍ବର ୨୦୧୮ରେ ମୃତ ତୁଳସୀ ରାଉତଙ୍କ ନାମକୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ କରିବା ପାଇଁ ତତ୍କାଳିନ ଭାରାପ୍ରାପ୍ତ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ତତ୍କାଳିନ ଭାରାପ୍ରାପ୍ତ ବିଡିଓ ତଥା ବର୍ତମାନ ତହସିଲଦାର ଜେ.କଳ୍ପନା ଉକ୍ତ ଆବେଦନକୁ ଖଣ୍ଡନ କରିବା ସହ ତାଙ୍କ ସ୍ୱାକ୍ଷର ଜାଲିଆତି ହୋଇଥିବା ପ୍ରକାଶ କରିଛନ୍ତି । ଅନ୍ୟପଟରେ ତୁଳସୀଙ୍କ ବୋହୁ ୧୨ ଅକ୍ଟୋବର ୨୦୨୦ରେ ନିଜ ମୃତ ଶାଶୁଙ୍କ ନାମରେ ଥିବା ଖାଉଟି କାର୍ଡରେ ଖାଦ୍ୟ ସାମଗ୍ରୀ ଉଠୁଥିବା ବେଳେ ତାଙ୍କ ପରିବାର ଗରିବ ଶ୍ରେଣୀ ହୋଇଥିବା ବେଳେ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉନଥିବା ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଉକ୍ତ ଖବରକୁ ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ ଯୁବ ସମାଜସେବୀ ଅମୀୟ ରଂଜନ ବାରିକ ସଂଗ୍ରହ କରି ମୁଖ୍ୟମନ୍ତ୍ରୀ, ମୋ ସରକାର-୫ଟି ସଚିବଙ୍କ ସମେତ ଜିଲ୍ଲାପାଳଙ୍କୁ ଟ୍ୱିଟ୍ କରି ଜଣାଇବା ସହିତ ମୃତ ତୁଳସୀ ରାଉତଙ୍କ ଖାଦ୍ୟ ସାମଗ୍ରୀ ହଡପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଅଭିଯୋଗକୁ ଦୀର୍ଘ ୫ ମାସ ଓ ତଦନ୍ତକୁ ଦୀର୍ଘ ୪ମାସ ବିତିଥିଲେ ମଧ୍ୟ କାହା ଚାପରେ ସଂପୃକ୍ତ ଡିଲରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତାହା ତଦନ୍ତ କରିବାକୁ ସମାଜସେବୀ ଦେବଜ୍ୟୋତି ମହାନ୍ତି ଗତ ୬ ତାରିଖରେ ଲିଖିତ ଭାବେ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡିଶା ସରକାର, ଜିଲ୍ଲାପାଳ, ଜଗତସିଂହପୁର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଯୋଗାଣ ଅଧିକାରୀ, ଉପଜିଲ୍ଲାପାଳ, ଜଗତସିଂହପୁର, ବିଡିଓ,ନାଉଗାଁ, ତହସିଲଦାର, ନାଉଗାଁଙ୍କୁ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ