ପାରଳା ରାଜଦାଣ୍ଡରେ ଜବରଦଖଲ ଉଚ୍ଛେଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଦାଣ୍ଡ ତଥା ଜଗନ୍ନାଥ ମନ୍ଦିର ପାଶ୍ୱର୍କୁ ଲାଗି ରହିଥିବା ସ୍ଥାନଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ଯୋଗ୍ୟ ଯେ ଏଠାରେ ବହୁ ବର୍ଷ ହେଲା ଜବରଦଖଲକାରୀମାନେ ରାସ୍ତା ଉପରେ ଥିବା ନାଳ ଉପରେ ଅସ୍ଥାୟୀ ଭାବେ ଦୋକାନ ଗୃହ ଗଢି ତୋଳିଥିଲେ । ଏହା ଦ୍ୱାରା ନାଳ ଅବରୋଧ ହେବା ସହ ନାଳଟି ପୋତି ହୋଇଯାଇଥିଲା । ଏଥି ସହ ଅତି ନିକଟରେ ନୂତନ ଜଗନ୍ନାଥ ମନ୍ଦିର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହାକୁ ମଧ୍ୟ ଆଖି ଆଗରରେ ରଖି ଏହି ସବୁସ୍ଥାନ ଗୁଡିକୁ ଉଚ୍ଛେଦ କରାଯାଇଛି । ଅପରପକ୍ଷରେ ଏହି ନାଳନର୍ଦ୍ଦମା ଉପରେ ଦୁଇଜଣ ଅସହାୟ ବ୍ୟକ୍ତି ଅସ୍ଥାୟୀ ଘର କରି ରହୁଥିଲେ । ସେମାନଙ୍କୁ ପୌରପରିଷଦ ପକ୍ଷରୁ ଥଇଥାନ କରାଯାଇଥିବାର ଜଣାପଡିଛି । ଏହିକାର୍ଯ୍ୟକ୍ରମରେ ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ପୌରଯନ୍ତ୍ରୀ ସଞ୍ଜିବ ଚମ୍ପତ୍ତି, କନିଷ୍ଠ ଯନ୍ତ୍ରୀ ଡି.ଯୁଧିଷ୍ଠିର, ମଧୁସ୍ମିତା ଦାସ ପ୍ରମୁଖଙ୍କ ସହ ପୌରପରିଷଦର କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକୁ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହରର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।


