ଯୌତୁକ ଯୁଇରେ ବଧୂ, ହତ୍ୟା ଅଭିଯୋଗ କଲେ ମା

ବାରିପଦା, (ଓ୍ବାଇଏନ୍ଏସ୍) : ବାରିପଦା ସହରର ୱାର୍ଡ଼ ନଂ ୨୪ ଭୁଗୁଡ଼ାକଟା ଅଂଚଳରେ ଯୌତୁକ ଦାବିରେ ବଧୂ ହତ୍ୟା ହୋଇଥିବା ନେଇ ସ୍ଥାନୀୟ ଝିଞ୍ଜିରିବନ୍ଧ ଅଂଚଳର ଝିଅର ମା କ୍ରିର୍ଷ୍ଣା ଭଟ୍ଟାଚାର୍ଯ୍ୟ(୫୫) ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କ୍ରିର୍ଷ୍ଣାଙ୍କ ଅଭିଯୋଗ ଆଧାରରେ ୫ ବର୍ଷ ପୂର୍ବେ ତାଙ୍କ ଝିଅ ପିଙ୍କି(୨୩) ଭୂଗୁଡ଼ାକଟା ଅଂଚଳ ଅଶୋକ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଯାଇଥିଲା । ଫଳରେ ଅଧିକାଂଶ ସମୟରେ ଝିଅ ପିଙ୍କି ଶ୍ୱଶୁର ଘର ଛାଡ଼ି ମା କ୍ରିଷ୍ଣାଙ୍କ ଘରକୁ ପଳାଇ ଆସୁଥିଲେ ଏବଂ ସ୍ୱାମୀ ପ୍ରଶାନ୍ତ ଆସି ଭୂଲ ମାଗି ପିଙ୍କିକୁ ସାଥୀରେ ନିଜ ଘରକୁ ଫେରାଇ ନେଇଯାଉଥିଲେ । କିନ୍ତୁ ଗତ ପ୍ରାୟ ୧୫ ଦିନ ହେବ ସ୍ୱାମୀ ପ୍ରଶାନ୍ତ ବେହେରା ପିଙ୍କିକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଘରୁ ବାହାର କରିଦେଇଥିଲେ । ନିରୂପାୟ ହୋଇ ପିଙ୍କି ନିଜ ମାଙ୍କ ନିକଟକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ତିନି ଦିନ ପରେ ପିଙ୍କିର ନଣଦ ଅର୍ଥାତ୍ ପ୍ରଶାନ୍ତଙ୍କ ଭଉଣୀ ଆସି କ୍ରିଷ୍ଣା ଭଟ୍ଟାଚାର୍ଯ୍ୟଙ୍କ ଘରେ ପହଁଚି ପିଙ୍କିକୁ ବୁଝାସୁଝା କରି ଘରକୁ ଫେରାଇ ନେଇଯାଇଥିଲେ । ପରେ ପିଙ୍କିର ନଣଦେଇ(ପ୍ରଶାନ୍ତଙ୍କ ଭିଣୋଇ) ହେମନ୍ତ ବେହେରା ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି, ତାଙ୍କୁ ବାରିପଦା ହସପିଟାଲରେ ଭର୍ତି କରାଯାଇଛି ବୋଲି ଖବର ଦେବା ପରେ ମା କ୍ରିଷ୍ଣା ହସପିଟାଲରେ ପହଂଚି ଝିଅର ମଲା ଶରୀରକୁ ଦେଖିଥିଲେ । ପରେ ତାଙ୍କ ଝିଅ ପିଙ୍କି ଅସୁସ୍ଥ ହୋଇ ମରି ନାହିଁ, ତାକୁ ଏକ ସୁଚିନ୍ତିତ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ମା କ୍ରିଷ୍ଣା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ ବେହେରା, ହେମନ୍ତ ବେହେରା ଓ ହେମନ୍ତଙ୍କ ସ୍ତ୍ରୀଙ୍କ ନାମରେ କେଶ ନଂ ୪୨୧/୨୦୨୦ ଓ ଆଇପିସି ଧାରା ୪୯୮(ଏ)/ ୩୦୨/୩୪ ଅନୁସାରେ ମାମଲା ରୁଜୁ କରାଯାଇଛି । ପୁଲିସ ହସପିଟାଲରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସଂଗେସଂଗେ ସାଇଂଟିଫିକ ଟିମ ଡ଼କାଇ ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ସମସ୍ତ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ