ଶ୍ରୀ ମନ୍ଦିର ରେ ଶ୍ରୀ ରାଧାଷ୍ଟମୀ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ପୁରୀ ଶ୍ରୀ ମନ୍ଦିର ରେ ପାଳିତ ହେଉଛି ଶ୍ରୀ ରାଧାଷ୍ଟମୀ ଉତ୍ସବ। ରାଧାରାଣୀ ଏହିଦିନ ଜନ୍ମ ହୋଇଥିବାରୁ କୃଷ୍ଣ ଭକ୍ତ, ବୈଷ୍ଣବ ଭକ୍ତ ମାନେ ଏହି ଦିନ କୁ ବଡ ଧୁମ ଧାମ୍ ରେ ପାଳନ କରିଥାନ୍ତି। କୁହାଯାଏ ଯେ, ରାଧା ରାଣୀ ଙ୍କୁ ପୂଜା କଲେ ଶ୍ରୀ କୃଷ୍ଣ ସନ୍ତୁଷ୍ଟ ହୋଇଥାନ୍ତି। ରାଧା ଏହି ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀ ତିଥିରେ ବୃଷଭାନୁ ଓ କିର୍ତ୍ତିଦା ଙ୍କ ଠାରୁ ଜନ୍ମ ହୋଇଥିଲେ। ଆଉ କେହି କୁହନ୍ତି ରାଧା ଅଯୋନି ସମ୍ଭୂତା। ରାଣୀ କିର୍ତ୍ତିଦା ଦିନେ ପୁଷ୍କରିଣୀ ଜଳରେ ସ୍ନାନ କରୁଥିବାବେଳେ ଦେଖିଲେ ଅପୂର୍ବ ସୁନ୍ଦରୀ କନ୍ୟା ଟିଏ ନୀଳ ପଦ୍ମ ମେଳ ରେ ଖେଳୁଛି। ତାକୁ ସାଙ୍ଗରେ ଆଣି କିର୍ତ୍ତିଦା ନିଜଝିଅ କରି ରଖିଲେ। ଆଉ କିଏ କୁହନ୍ତି ଶ୍ରୀ କୃଷ୍ଣ ଙ୍କ ଦକ୍ଷିଣ ଅଂଶ ରୁ ରାଧିକା ଙ୍କର ସୃଷ୍ଟି ହୋଇ ଥିଲା। ଶ୍ରୀ କୃଷ୍ଣ ଙ୍କ ଜନ୍ମ ଉତ୍ସବ କୁ ଜନ୍ମାଷ୍ଟମୀ ଭାବେ ଆଉ ରାଧିକା ଙ୍କ ଜନ୍ମ ଉତ୍ସବ କୁ ରାଧାଷ୍ଟମୀ ଭାବେ ପାଳନ କରାଯାଏ। ବୈଷ୍ଣବ ମାନଙ୍କ ମତରେ କୃଷ୍ଣ ଭକ୍ତି ପ୍ରାପ୍ତି ର ମାଧ୍ୟମ ଶ୍ରୀ ରାଧା ଙ୍କ ସ୍ତୁତି ଓ ପୂଜନ। ପୁରାଣ ର ବର୍ଣ୍ଣନା ଅନୁସାରେ ସବୁ ଦେବା ଦେବୀ ମାନେ ଏକାଠି ହୋଇ ଶ୍ରୀ ରାଧା ଙ୍କ ମହାଭିଷେକ କରାଇ ଥିଲେ। ସେହି ଅଭିଷେକ ରେ ଦେବୀ ସାବିତ୍ରୀ ଶ୍ରୀ ରାଧା ଙ୍କୁ ପଦ୍ମ ମାଳ, ଶଚି ଦେବୀ ସ୍ଵର୍ଣ୍ଣ ସିଂହାସନ, ଦେବୀ ମନୋରମା ରତ୍ନ ଅଳଙ୍କାର, ଦେବୀ ଗୌରୀ ଛତ୍ର, ଦେବୀ ନବା ନୁପୁର ପ୍ରଦାନ କରିଥିବାବେଳେ ଅଷ୍ଟସଖୀ ଲଳିତା, ବିଶାଖା, ଚିତ୍ରା, ରଙ୍ଗଦେବୀ, ତୁଙ୍ଗବିଦ୍ୟା, ଚମ୍ପକଲତା, ଇନ୍ଦୁଲେଖା, ସୁରେଖା ଏକତ୍ର ମିଶି ଶ୍ରୀ ରାଧା ଙ୍କ ସେବା କରିଥିଲେ। ଏହି ଦିନ ଅତି ନିଷ୍ଠା ଓ ଭକ୍ତି ର ସହ ପୂଜା ଓ ଉପବାସ କଲେ ଶ୍ରୀ କୃଷ୍ଣ ଙ୍କ ଆଶ୍ରିବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଶ୍ରୀରାଧା ଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀ ମନ୍ଦିର ରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ସକାଳ ଧୂପ ଶେଷ ହେବା ପରେ ମହାଲକ୍ଷ୍ମୀ ଙ୍କୁ ମହାପ୍ରଭୂ
ଙ୍କ ଆଜ୍ଞାମାଳ ଲାଗି କରାଯାଇଥାଏ। ସାତ ପାହଚ ନିକଟରେ ଥିବା ସୁ ସଜ୍ଜିତ ପାଲିଙ୍କି ରେ ଠାକୁରାଣୀ ବିଜେ ହୁଅନ୍ତି। ମହାଲକ୍ଷ୍ମୀ ଙ୍କ ଜଗମୋହନ ରେ ମା ଙ୍କ ମାଜଣା, ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢ଼ିଥାଏ। ମଧ୍ୟାର୍ଣ୍ଣ ଧୂପ ପରେ ମହାଲକ୍ଷ୍ମୀ ଙ୍କୁ ସିଂହାସନ ଉପରେ ବିଜେ କରାଯାଏ। ପରେ ସେବାୟତ ମାନେ ମା ‘ଲକ୍ଷ୍ମୀ ଓ ସରସ୍ଵତୀ ଙ୍କୁ ଆଣି ଖଟଶେଯ ଘରେ ବିଜେକରାନ୍ତି। ଇତି ମଧ୍ୟରେ ମହାପ୍ରଭୂ ଙ୍କ ଆଜ୍ଞାମାଳ ପାଇ ଶ୍ରୀ ସୁଦର୍ଶନ ଘଣ୍ଟା ଧ୍ଵନୀ, ଦୁହୁଡ଼ି ସହ ପଟୁଆର ରେ ଶ୍ରୀ କ୍ଷେତ୍ର ପରିକ୍ରମା କରନ୍ତି। ଚାରି ଆଶ୍ରମ, ବିଭିନ୍ନ ମଠ, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କ ପକ୍ଷରୁ ଶ୍ରୀ ସୁଦର୍ଶନ ପ୍ରଭୂ ଙ୍କୁ ପଂକ୍ତି ଭୋଗ ଅର୍ପଣ କରାଯାଇଥାଏ। କିମ୍ୱଦନ୍ତୀ ଅନୁସାରେ ଏହି ଦିନ ମହାପ୍ରଭୂ ଙ୍କ ପ୍ରତିନିଧି ଭାବେ ଶ୍ରୀ ସୁଦର୍ଶନ ଦେବ ଶ୍ରୀ ମନ୍ଦିର ର ଭଣ୍ଡାର ର ହିସାବ ରକ୍ଷକ ଦାୟୀତ୍ବ ରେ ଥିବା ପ୍ରଭୂ ଜମ୍ବେଶ୍ଵରଙ୍କ ମନ୍ଦିର କୁ ଯାଇ ତାଙ୍କ ଠାରୁ ନେଇଥାନ୍ତି। ଜମ୍ବେଶ୍ଵର ଠାକୁର ଙ୍କ ପକ୍ଷରୁ ପୂଜାପଣ୍ଡା ସାମନ୍ତ ଶ୍ରୀ ମନ୍ଦିର ଭଣ୍ଡାର ର ଆୟ ବ୍ୟୟ ଟିକି ନିଖି ପଢ଼ି ଶ୍ରୀ ସୁଦର୍ଶନ ଦେବ ଙ୍କୁ ଶୁଣାଇଥାନ୍ତି। ପରେ ଚାରି ବାଡ଼ ରେ ମହାସ୍ନାନ ବିଧି ସହ ଶ୍ରୀ ବିଗ୍ରହ ମାନଙ୍କ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ