ସଡକ ସୁରକ୍ଷା ପାଇଁ କୁନି ସମାଜସେବୀଙ୍କ ନିଆରା ପ୍ରୟାସ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ପକ୍ଷୀ ରାଣୀ ଭାବେ ପରିଚିତ କୁନି ସମାଜସେବୀ ମାମାଲି ପଣ୍ଡା ଏବେ ସଡକ ସୁରକ୍ଷା ବାବଦରେ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ମାତ୍ର ୮ବର୍ଷ ବୟସରୁ ଗତ ଦୁଇ ବର୍ଷ ହେଲା ପକ୍ଷୀ ମାନଙ୍କ ପାଇଁ ସେ ସ୍ବେଚ୍ଛାକୃତ ସେବା ଯୋଗାଇ ଆସୁଥିବା ବେଳେ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ନିଜକୁ ସଦାସର୍ବଦା ନିୟୋଜିତ ରଖୁଛନ୍ତି । ସୂଚନା ଅନୁଯାୟୀ ବ୍ଲକର ଛତାବର- ବଳିଘାଇ ଓ ପାଳଦା -ମଣିନାଥପୁର ପୂର୍ତ୍ତ ବିଭାଗ ରାସ୍ତା ଦୁଇଟି ଦିନକୁ ଦିନ ବ୍ୟସ୍ତ ବହୁଳ ହୋଇପଡିଛି। ଏହି ଦୁଇଟି ରାସ୍ତା ପଡୋଶୀ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଏହା ଉପରେ ଦୈନନ୍ଦିନ ହଜାର ହଜାର ଲୋକ ବିଭିନ୍ନ ଯାନବାହନରେ ଯାତାୟତ କରିଥାନ୍ତି । ରାସ୍ତାର ଆରମ୍ଭ ସ୍ଥାନ ଛତାବର ଛକ ଓ ପାଳଦା ବାଙ୍କ ଠାରେ କିଛି ହମ୍ପସ ଥିବା ବେଳେ ସାଧାରଣ ଲୋକେ ଯାତାୟତ କଲାବେଳେ ଏହାକୁ ଜାଣି ପାରୁନାହାନ୍ତି । ଫଳରେ ବିଭିନ୍ନ ସମୟରେ କିଛିନାକିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି। ତେଣୁ ଲୋକମାନଙ୍କର ସୁରକ୍ଷା ପୂର୍ଣ୍ଣ ଯାତାୟତ ପାଇଁ କୁନି ସମାଜସେବୀ ମାମାଲି ପଣ୍ଡା ହମ୍ପସ ଗୁଡିକରେ ଧଳା ରଙ୍ଗ ଦେଉଛନ୍ତି । ଯେଭଳି ବିଭିନ୍ନ ଯାନବାହନରେ ଆସୁଥିବା ସାଧାରଣ ଲୋକଟିଏ କିଛି ମିଟର ଆଗରୁ ଉକ୍ତ ସ୍ଥାନରେ ହମ୍ପସ ଅଛି ବୋଲି ଜାଣି ପାରିବ ତାହା ଉପରେ କୁନି ସମାଜସେବୀ ଗୁରୁତ୍ୱ ଦେଇଛନ୍ତି । ତେଣୁ ବିଗତ ଦୁଇଦିନ ହେବ ହାତରେ ରଙ୍ଗ ଡବା ଓ ତୁଳି ଧରି ହମ୍ପସ ଉପରେ ସେ ରଙ୍ଗ ଦେଉଥିବା ବେଳେ ଯାଉଥିବା ପଥଚାରୀ ମାନେ ଏହାକୁ ଦେଖି ସାଧୁବାଦ ଜଣାଇଥିଲେ ।


