ସଦର ପ୍ରକଳ୍ପ ଅଙ୍ଗନବାଡ଼ି କର୍ମୀଙ୍କୁ ଶୋଷଣ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ପ୍ରକଳ୍ପର ଅଙ୍ଗନୱାଡ଼ି କର୍ମୀଙ୍କୁ ଶୋଷଣ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗରେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ସଦର ପ୍ରକଳ୍ପରେ କାର୍ଯ୍ୟରତ କର୍ମୀମାନେ ଆସନ୍ତା ୨୫ ତାରିଖରୁ ଦିବାରାତ୍ର ଧାରଣା ଦେବା ନେଇ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ସମନ୍ୱିତ ଶିଶୁବିକାଶ ଯୋଜନା ଅଧିକାରିଣୀ ଏବଂ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସଦର ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ମିଳିତ ଯୁଗ୍ମ ଜମାଖାତାରୁ ପିଲାଙ୍କ ପାଇଁ ଖେଳନା, ମେଡିସିନ୍ କିଟ୍, ସ୍ୱେଟର୍, ଜୋତା, ପୋଷାକ ଆଦି ବାବଦକୁ ଅର୍ଥ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି। ଅଙ୍ଗନବାଡ଼ି କର୍ମୀ ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ କରି ପିଲାଙ୍କ ପାଇଁ ଉକ୍ତ ସାମଗ୍ରୀ କିଣିବା କଥା। ହେଲେ ସମନ୍ୱିତ ଶିଶୁବିକାଶ ଯୋଜନା ଅଧିକାରୀ ସୁପରଭାଇଜର ମାଧ୍ୟମରେ ଏହି ଟଙ୍କାକୁ କର୍ମୀଙ୍କ ଠାରୁ ନେଇ ପିଲାମାନଙ୍କ ପାଇଁ ସାମଗ୍ରୀ କିଣି ପ୍ରଦାନ କରୁଛନ୍ତି। ଯାହା ଅତ୍ୟନ୍ତ ନିମ୍ନମାନର। ଫଳରେ କର୍ମୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଯାଞ୍ଚ୍ କମିଟି, ମାତୃ କମିଟି, ସରପଞ୍ଚ, ୱାର୍ଡ ସଭ୍ୟ ଓ ହିତାଧିକାରୀଙ୍କୁ ଏ ବାବଦରେ କୈଫତ୍ ଦେବାକୁ ପଡ଼ୁଛି। ସଂଘ ଏନେଇ ପ୍ରତିବାଦ କରିବାରୁ ସମନ୍ବିତ ଶିଶୁବିକାଶ ଯୋଜନା ଅଧିକାରୀ କେନ୍ଦ୍ର ପରିଦର୍ଶନ କରି ଆକ୍ରୋଶକୂମଳ ଭାବେ ତାଗିଦା କରିବା ସହିତ ଚାକିରିରୁ ବହିଷ୍କାର କରିଦେବେ ବୋଲି କହୁଛନ୍ତି। ସେହିପରି ବିଗତ ଦିନରେ ଅଫିସକୁ ମମତା ଏବଂ ଅନ୍ୟାନ୍ୟ ବୈଠକ ଡାକି ଏ ବାବଦକୁ ଯାତାୟାତ ଖର୍ଚ୍ଚ ଅଦ୍ୟାବଧି ଦିଆଯାଉନାହିଁ। ସେମିତି ଇସିସି ଟ୍ରେନିଂ ଏବଂ ମୋବାଇଲର ନୂତନ ଆପ୍ ବାବଦକୁ କୌଣସି ପ୍ରଶିକ୍ଷଣ କି ପ୍ରଶିକ୍ଷଣ ବାବଦକୁ ଅର୍ଥ ପ୍ରଦାନ କରଯାଉନାହିଁ। ଯାହାଫଳରେ କର୍ମୀମାନେ ପୋଷଣ ଟ୍ରାକ୍ ସମ୍ପର୍କରେ କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ଭାବେ ଜ୍ଞାନ ହାସଲ କରିପାରୁନାହାଁନ୍ତି। ପୋଷଣ ପଖୱାଡ଼ା କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଅନୁଦାନ ଆସୁଥିବା ବେଳେ କର୍ମୀଙ୍କୁ ଘରୁ ପିଠାପଣା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ଅଧିକାରୀ ଜଣକ ବାଧ୍ୟ କରିବା, କୁନି କ୍ୟାଲେଣ୍ଡର ବାବଦକୁ ସରକାରଙ୍କ ଠାରୁ ୫୦୦ ଟଙ୍କା ମିଳୁଥିବା ବେଳେ କର୍ମୀମାନେ ଅଧିକ ଅର୍ଥ ଦେଇ ଏହା ନେବାକୁ ବାଧ୍ୟ ହେବା ଆଦି ଅଭିଯୋଗ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖରୁ ଧାରଣା ଦିଆଯିବ ବୋଲି ବ୍ଲକ୍ ସଭାପତି ନୀଳିମା ଜେନା, ସମ୍ପାଦିକା ପ୍ରତିଭା ପାଲ କହିଛନ୍ତି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ, ବିଭାଗୀୟ ସଚିବ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ସଦର ଓ ରେମୁଣା ବିଧାୟକଙ୍କୁ ଅବଗତ କରାଯାଇଛି।


