ସ୍ୱାମୀର ମୃତ୍ୟୁ ପରେ ପୁଅ ଚାଲିଗଲା ଆରପରିକୁ : ଅସହାୟ ନଳିନୀ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-ସମାଜରେ ଏବେବି ଏମିତି ମଣିଷ ଅଛନ୍ତି ଅନେକ ସମୟରେ ବହୁ କଷ୍ଟରେ ଓ ଦୁଃଖଦ ଜୀବନ ଯାପନ କରୁଛନ୍ତି,ଶାନ୍ତି ବୋଲି ସେମାନେ କିଛି ଜାଣିନାହଁନ୍ତି। ଦୁଃଖ ଉପରେ ଦୁଃଖ ଘନେଇ ଆସିଥାଏ। ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥାଏ, ଏପରି ପରିସ୍ଥିତିରେ ଜଣେ ପରିବାରରେ କେତେ ଯେ ଦୁଃଖ ଅନୁଭବ କରୁଥିବେ ତାହା ଏକ ବୁକୁ ଫଟା ଦୃଶ୍ୟ ହୋଇ ଥାଇପାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଅନ୍ତର୍ଗତ ହାରାମାଲ ଗ୍ରାମପଞ୍ଚାୟତ ମୂଖ୍ୟାଳୟ ଠାରେ ଥିବା ସତ୍ୟବାନ ବାଗଙ୍କ ପରିବାରେ। ସତ୍ୟବାନଙ୍କ ମନରେ ଅନେକ ଅସୁମାରୀ ସ୍ବପ୍ନ ରହିଥିଲା, ଘର ସଂସାର କରି ପରିବାରକୁ ନେଇ ସୁଖ ଓ ଶାନ୍ତି ବଞ୍ଚିବା। ଏହା ସହିତ ଲୋକପ୍ରିୟତା ଅର୍ଜନ କରିବା ପାଇଁ ଏକ ରାଜନୈତିକ ଦଳର ଜଣେ ସକ୍ରିୟ ସଦସ୍ୟ ଓ ପଞ୍ଚାୟତ ୱାର୍ଡ ସଦସ୍ୟ ମଧ୍ୟ ରହିଥିଲେ। ଏହାରି ଭିତରେ ତାଙ୍କ ଜୀବନ ଜୀବିକା ଉପରେ ହଠାତ୍ ଚଡକ ପଡିଯାଇଛି। ମାଡି ଆସିଲା କଳାବାଦଳର ଛାଇ ଜୀଵନକୁ ଛାରଖାର କରିଦେଲା, ଘରର ଏକମାତ୍ର ରୋଜଗାର କ୍ଷମ ଓ ମୁରବି ସତ୍ୟବାନ ବାଗଙ୍କୁ ଗ୍ରାସ କଲା କିଡନୀ ଓ ଲିଭର ଜନିତ ରୋଗ,ଫଳରେ ସେ ସର୍ବସାନ୍ତ ହୋଇଗଲେ ଯାହା କିଛି ଅର୍ଥ ଥିଲା ତାହାକୁ ନେଇ ଚିକିତ୍ସିତ ହେଉଥିଲେ। ଭାଗ୍ୟର ବଡ ବିଡମ୍ବନା ସେ ଜୀବନ ଯୁଦ୍ଧରେ ହାରିବାକୁ ପଡିଥିଲା ଶେଷରେ ମୃତ୍ୟୁ ତାଙ୍କୁ ଆରପାରିକୁ ନେଇଗଲା। ସ୍ତ୍ରୀ ନଳିନୀ ହୋଇଗଲେ ବିଧବା,ପୁଅ ଡମ୍ବରୁଧର, ବଡ ଝିଅ ଦୀପିକା , ସାନଝିଅ ଦୀପାସା ଏମାନେ ହୋଇଗଲେ ବେସାହାରା, ତିନି ସନ୍ତାନକୁ ଧରି ମାଁ ନଳିନୀ ବହୁ କଷ୍ଟରେ ଜୀବନ ଜୀବିକା ଆପଣେଇବା ବେଳେ ପୁଅ ଡମ୍ଵରୁଧର କୁ ମଧ୍ୟ ବାପା ସତ୍ୟବାନଙ୍କ ଭଳି ଏକା ରୋଗ ଆକ୍ରାନ୍ତ କରିଥିଲା। ୧୩ ବର୍ଷର ପୁଅ ମଧ୍ୟ ଆରପାରିକୁ ଚାଲିଗଲା। ନିରୀହ ଗରିବ ମାଆଙ୍କ ଜୀବନରେ ମାଡି ଆସିଲା କଳାବାଦଲ ଛାଇ ଅନ୍ଧ କାରମୟ ହୋଇଗଲା ଜୀବନ । ଏବେ ମାଆ ନଳିନୀଙ୍କ ସହିତ ମାତ୍ର ୨ ଝିଅ ବେସାହାରା ଅବସ୍ଥାରେ ରହିଛନ୍ତି। ପରିବାର ଗରିବ ଶ୍ରେଣୀର ଯୋଗୁଁ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ଓ ଭତ୍ତା ବ୍ୟବସ୍ଥା କରାଯାଇଛି। ତେବେ ନିଜ ଦୁଇ ଝିଅଙ୍କ ଭବିଷ୍ୟତ ଓ ପ୍ରତିପୋଷଣ ଆଶାରେ ସହାୟତା ପାଇଁ ୨ ଝିଅଙ୍କୁ ଧରି ନଳିନୀ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଥିଲେ । ଉପ – ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ପରେ ପୁଣି ସୋମବାର ଦିନ କଲମପୁର ବିଡିଓ ପ୍ରସନ୍ନ କୁମାର ପଟେଲଙ୍କ ନିକଟରେ ଗୁହାରି କରିଥିଲେ । ବିଡ଼ିଓ ଶ୍ରୀ ପଟେଲ ତାଙ୍କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ଓ ସମାଜ ମଙ୍ଗଳ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ଯପକ୍ଷରେ ୨ ଝିଅଙ୍କୁ କନ୍ୟା ଆଶ୍ରମରେ ପାଠପଢା ବ୍ୟବସ୍ଥା କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ । ବେସାହାରା ପରିବାରର କରୁଣ କାହାଣୀ ଶୁଣି ବିଡିଓ ଶ୍ରୀ ପଟେଲ ବହୁ ଦୁଃଖ ପ୍ରକାଶ କରିଥିଲେ। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ, ଏହି ନିରୀହ ବେସାହାରା ଗରିବ ପରିବାର ପାଖକୁ କେବେ ପହଞ୍ଚିବ ସରକାରଙ୍କ ଯୋଜନାରୁ ସହାୟତାର ରାଶି ତାହା ଦେଖିବାକୁ ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ