ହାତଗୋଡ ବନ୍ଧା ଅବସ୍ଥାରେ ମହିଳା ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ମୋହନା ଥାନା ଅନ୍ତଗତ ଚାନ୍ଦିପୁଟ ବନବିଭାଗ ଅଧିକାରୀ ବାରିକ ବେହେରାଙ୍କ ଶଳା ଭାଉଜ ସୁଦଷ୍ଣା ଜାନୀ ଘରେ ଏକା ଥିବା ସମୟରେ କୌଣସି ଦୂର୍ବୃତ ଘରେ ପଶି ତାଙ୍କୁ ହାତଗୋଡ ବାନ୍ଧି ମରଣାନ୍ତକ ଆକ୍ରମଣ କରିବା ସହ ସୁନା ରୁପା ଅଳଙ୍କାର ଲୁଟି ନେଇଥିବା ଖବର ମିଳିଛି । ଅଚେତ ଅବସ୍ଥାରେ ପରିବାର ଲୋକେ ଉଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।କିନ୍ତୁ ସୂଦଷ୍ଣାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ ପ୍ରଶାନ୍ତ ଜାନୀ ଓ ତାଙ୍କ ସ୍ତ୍ରୀ ସୁଦଷ୍ଣା ଜାନୀ ଶିବ ମନ୍ଦିର ନିକଟ ବସ୍ତିରେ ରହୁଛନ୍ତି ।ସ୍ୱାମୀ ପ୍ରଶାନ୍ତ ଜଣେ ବୁଲା ବ୍ୟବସାୟୀ ହୋଇଥିବା ଯୋଗୁଁ ସବୁଦିନ ଭଳି ଆଜି ମଧ୍ୟ ବ୍ୟବସାୟ କରିବା ପାଇଁ ବାହାରକୁ ଯାଇଥିଲେ । ସ୍ୱାମୀ ଯିବା ପରେ ସୁଦଷ୍ଣା ଘର କାମ ସାରି ଦେଢ଼ଶାଶୁ ରୀନା ବେହେରାଙ୍କ ଘର ବନବିଭାଗ କାର୍ଯ୍ୟାଳୟ କୁ ଆସୁଥାନ୍ତି ।କିନ୍ତୁ ଗତ ସୋମବାର ଦିନ ଅପରାହ୍ନ ପ୍ରାୟ ୪ଟା ସମୟ ପର୍ଯ୍ୟନ୍ତ ନ ଆସିବାରୁ ଦେଢ଼ଶାଶୁ ରୀନା ସୁଦଷ୍ଣା ଙ୍କୁ ଫୋନ୍ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ତେଣୁ ସେମାନେ ଘରକୁ ଯାଇ ଦେଖିବା ବେଳେ ସୂଦଷ୍ଣା ଅଚେତ ଓ ହାତଗୋଡ଼ ବନ୍ଧା ଅବସ୍ଥାରେ ପଡିଥିଲେ । ସୂଦଷ୍ଣାଙ୍କୁ ଏଭଳି ଅବସ୍ଥାରେ ଘରୁ ଉଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସୂଦଷ୍ଣା ତିନି ମାସର ଗର୍ଭବତୀ ଥିବା ବେଳେ ତାଙ୍କ ପେଟରେ ମଧ୍ୟ ଆଘାତ ଯୋଗୁଁ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି । ମୋହନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ