ହାତ ପାହାନ୍ତାରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର ବିପଦରେ ରହୁଛନ୍ତି ୧୦ରୁ ଉର୍ଦ୍ଧ୍ୱ ପରିବାର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ବିଦ୍ୟୁତ ଉପଭୋକ୍ତାମାନଙ୍କୁ ସୁବିଧା ଓ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇ ଦେବା ସହିତ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଟାଟା ପାୱାରକୁ ବିଦ୍ୟୁତ ବିତରଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଅନେକ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି । ଯାହା ଦେଖିବାକୁ ମିଳିଛି ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିଭଉଁରୀ-ଶିଖରଘାଟ ରାସ୍ତା ପାଶ୍ୱର୍ରେ ରହିଥିବା ନାଉଗାଁ ଗାଁର ମଲ୍ଲିକ ସାହିରେ । ଏହି ସାହିରେ ୧୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ଶିଖର ଗାଁକୁ ଆଡକୁ ୧୧କେଭି ବିଦ୍ୟୁତ ତାର ଯିବା ପାଇଁ ବିଭାଗ ପକ୍ଷରୁ ଏହି ସାହିରେ ରହିଥିବା ଘର ଉପରେ ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଘର ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ହାତ ପାହାନ୍ତାରେ ରହିଛି । ଯାହାକି ଚାଳ ଛପର ଘର ଉପରେ ଝୁଲିକି ରହୁଛି । ଉକ୍ତ ଘର ମାଲିକ ନିଜର ଘର ଛପର କରିବା ସମୟରେ ଭୟରେ ଛପର କରୁ ନଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ଉକ୍ତ ତାର ଝୁଲିକି ରହିଥିବା ହେତୁ ଅନେକ ଥର ତାରକୁ ତାର ଲାଗି ନିଆ ଝୁଲ ଖସି ଚାଳ ଘରରେ ଅଗ୍ନିକାଣ୍ଡ ଘଟିଛି । ଉକ୍ତ ତାରକୁ ଅନ୍ୟପଟେ ନେବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ କେବଳ ପ୍ରତିଶୃତି ଦେଉଛନ୍ତି ଅଥଚ କାର୍ଯ୍ୟରେ ପରିଣତ କରୁନାହାନ୍ତି । ଏହା ଯୋଗୁ ଏଠାରେ ରହିଥିବା ସମସ୍ତ ପରିବାର ଭୟରେ ଚଳପ୍ରଚଳ କରୁଥିବା ବେଳେ ସେମାନଙ୍କର ଧନ ଜୀବନ ହାନି ଘଟିବାର ସମ୍ଭାବନା ରହିଥିବା ପ୍ରକାଶ କରିଛନ୍ତି । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ରବିନ୍ଦ୍ର ମଲ୍ଲିକ, ବାବାଜୀ ମଲ୍ଲିକ, ଠୁଲୁ ମଲ୍ଲିକ, ବୁଲୁ ମଲ୍ଲିକ, ଭ୍ରମର ମ୍ଲଲ୍ିକ, ପଂଚୁ ମଲ୍ଲିକ ଆଦି ଦାବି କରିଛନ୍ତି ।


