୧୪ ଦଫା ଦାବିରେ ବସ୍ତିବାସିନ୍ଦାଙ୍କ ବିଶାଳ ଗଣ ସମାବେଶ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ , ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା, ବଳପୂର୍ବକ ଏବଂ ଷଡ଼ଯନ୍ତ୍ରମୂଳକ ଉଛେଦ ବନ୍ଦ, ବସ୍ତିଭାଙ୍ଗି ବସ୍ତି ଗଢ଼ିବା ନୀତି ବାତିଲ, ବସ୍ତି ଆଇନ ପରିବାର ସଜ୍ଞା ଅନୁସାରେ ପ୍ରକୃତରେ ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ ଅନ୍ତର୍ଭୁକ୍ତ କରିବା, ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର, ଅସାଧୁମେଣ୍ଟ ଓ ବିଲ୍ଡରଙ୍କ ସ୍ୱାର୍ଥରେ ଆକ୍ରମଣର ଶିକାର ପିଡ଼ିତଙ୍କୁ ହାତକଡ଼ି ପକାଇ ଜେଲ ପଠାଇଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ୱନ, ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଆଦି ୧୪ ଦଫା ଦାବିରେ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବିଧାନସଭାର ପ୍ରଥମ ଦିବସରେ ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ବିଶାଳ ଗଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ବସ୍ତିବାସିନ୍ଦାଙ୍କ ଏହି ସମାବେଶ ପକ୍ଷରୁ ବସ୍ତି ସୁରକ୍ଷା ମଞ୍ଚର ସମ୍ପାଦିକା କମ୍ରେଡ଼ ପ୍ରମିଳା, ବସ୍ତିନେତା ରାମଚନ୍ଦ୍ର ସାହୁ, ଯୋଗିନାଥ ବେହେରା, ଗଦାଧର ସାହୁ, ନାରାୟଣ ଲେଙ୍କା, ଦୀନବନ୍ଧୁ ସାହୁ, ବିଜୟ ରଥ ଆଦିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ବିଏମସି ସମ୍ମୁଖରେ ମଞ୍ଚର ସଭାନେତ୍ରୀ ହେନା ବାରିକ, ବସ୍ତିନେତା ସର୍ବଶ୍ରୀ ରାଧାରାଣୀ ମହାରଣା, ମୁରଲୀଧର ଭୂୟାଁ, ସରୋଜ ଦାସ, ବଟକୃଷ୍ଣ ରାଉତ, ପର୍ଶୁରାମ ମହଲା, ମୀନା ଭୋଇ ଆଦିଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା ମାନବିକ ଅଧିକାର କର୍ମୀ ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ, ବିପ୍ଳବୀ ଶ୍ରମିକ ନେତା କମ୍ରେଡ଼ ରାଜେନ୍ଦ୍ର ପ୍ରସାଦ ବାରିକଙ୍କ ସମେତ ବହୁ ବସ୍ତିନେତା ଏହି ସଭାରେ ବକ୍ତବ୍ୟ ରଖି ସରକାରଙ୍କ ବସ୍ତିବିରୋଧୀ ଆଭିମୁଖ୍ୟ ଓ ଗରୀବ ବିରୋଧୀ ନୀତିର ତୀବ୍ର ସମାଲୋଚନା କରି ବସ୍ତିବାସିନ୍ଦାଙ୍କ ନ୍ୟାଯ୍ୟ ୧୪ ଦଫା ଦାବି ସପକ୍ଷରେ ଯୁକ୍ତି ରଖିଥିଲେ। ଏହି ଆନ୍ଦୋଳନକୁ ସଂହତି ଜଣାଇ ବସ୍ତିବାସିନ୍ଦା ମହାସଂଘର ନେତା ସାଲ ମାରଣ୍ଡୀ, ସାଲିଆ ସାହି ଆଞ୍ଚଳିକ କମିଟିର ନେତା ଜୟଦେବ ନାୟକ ଓ ରଘୁନାଥ ନାଥ, ବସ୍ତି ସୁରକ୍ଷା ମଞ୍ଚ ପୁରୀର ନେତା କୃଷ୍ଣ ମୋହନ ପ୍ରଧାନ ପହଂଚି ବକ୍ତବ୍ୟ ପ୍ରଦାନ କରିଥିଲେ। ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ ବିଏସୟୁପି ଯୋଜନାରେ କୋଠାଘର ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ବସ୍ତିରେ ପ୍ରକୃତରେ ରହୁଥିବା ଅନେକ ଶ୍ରମଜୀବୀ ପରିବାରଙ୍କୁ ଏହି ହିତାଧିକାରୀ ତାଲିକାରୁ ବଞ୍ଚିତ କରାଯାଇ ସେମାନଙ୍କ ଘରକୁ ବଳପୂର୍ବକ ତଥା ଷଡ଼ଯନ୍ତ୍ରମୂଳକ ଭାବେ ଉଛେଦ କରାଯାଉଛି। କିନ୍ତୁ ଯେଉଁମାନେ ବସ୍ତିରେ କେବେ ରହିନଥିଲେ, ଏପରିକି ଭୁବନେଶ୍ୱରର ବାସିନ୍ଦା ନଥିଲେ, ସରକାରୀ ଚାକିରୀ କରିଛନ୍ତି, ଭୁବନେଶ୍ୱରରେ ନିଜସ୍ୱ ଦାମୀ ଆପାର୍ଟମେଂଟ ଓ କୋଠାଘର ରହିଛି ସେମାନଙ୍କ ନାମରେ ଏହି କୋଠାଘର ଆଲଟମେଂଟ ହୋଇଛି। ବିଏମସି, ବିଡିଏ, ସିଏଲଟିସି ଅଧିକାରୀ-କର୍ମଚାରୀ ମାନେ ଶାସକ ଦଳ ନେତାଙ୍କ ସହ ଅସାଧୁମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଭିତିରିଆ କାରବାର କରି ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ବିକ୍ରି କରିଛନ୍ତି। ଅନ୍ୟପକ୍ଷରେ ମାତ୍ର କିଛି ଘରକୁ ବହୁତଳପ୍ରାସାଦରେ ଗୋଟିଏ କୋଠରୀର କୋଠାଘର ଦେଇ ବଳକା ଜମି ଗୁଡିକରୁ ବ୍ୟାପକ ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ତଥା ଲୋକଙ୍କୁ ଭାଗ ଭାଗ କରି ଚକ୍ରାନ୍ତ କରି ଉଛେଦ ଜାରୀ ରଖିଛନ୍ତି। ସ୍ଵଛତା ଓ ୫ଟି ବିଭାଗ ସୃଷ୍ଟି କରିଥିବା ସରକାର ଗୃହ ଆବଣ୍ଟନ କ୍ଷେତ୍ରରେ କୌଣସି ସରକାରୀ ନିୟମ, ସର୍ବସାଧାରଣ ବିଜ୍ଞପ୍ତି, ସ୍ୱଛତା ଅନୁସରଣ କରୁନାହାନ୍ତି। କ୍ୟାବିନେଟ ନିଷ୍ପତ୍ତି ପରେ ନିଜେ ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାଙ୍କୁ ସହରର ଜୀବନରେଖା ଘୋଷଣା କରି ରାଜ୍ୟର ସବୁ ବସ୍ତିବାସିନ୍ଦାଙ୍କୁ ‌ଭୂମି ଅଧିକାର ଓ ମହାନଗର ନିଗମ ଅଞ୍ଚଳରେ କୋଠାଘର ଯୋଗେଇ ଦେବାକୁ ଆଇନ ପ୍ରଣୟନ କରିଛନ୍ତି। ଜାଗା ମିସନ ଓ ଆଦର୍ଶ କଲୋନୀ ଘୋଷଣା କରି ସବୁ ବସ୍ତିବାସିନ୍ଦାଙ୍କୁ ୬ ଗୋଟି ମୌଳିକ ସୁବିଧା ସହିତ ଆଦର୍ଶ କଲୋନୀ ଓ ଜମି ଅଧିକାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ୨୦୦୩ ମସିହାରୁ ବିଧାନସଭାରେ ଗୃହୀତ ହୋଇ ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଆଇନରେ ପରିଣତ ହୋଇଛି ବସ୍ତିବାସିନ୍ଦାଙ୍କ ଅଧିକାର। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବସ୍ତିମୁକ୍ତ ସହର ଓ ଯୋଜନାବଦ୍ଧ ସହରର ପରିକଳ୍ପନା କରି ବସ୍ତିବାସିନ୍ଦାଙ୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ନୀତି ଓ ଯୋଜନା କରିଛନ୍ତି। ଏହି ଆଇନ ପରେ ବଳପୂର୍ବକ ଉଛେଦ ସମ୍ପୂର୍ଣ୍ଣ ବେଆଇନ। ଉଛେଦ ନିତ୍ୟାନ୍ତ ଜରୁରୀ ହେଲେ ଉଛେଦ ପୂର୍ବରୁ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ ଥଇଥାନ ଯୋଗେଇ ଦେବାକୁ ବିଧି ରହିଛି। କିନ୍ତୁ ସରକାର ନିଜେ କରିଥିବା ଆଇନ ଓ ନୀତିକୁ କାର‌୍ୟ୍ୟକାରୀ କରୁନାହାନ୍ତି। ନବୀନ ସରକାରଙ୍କ ୨୧ ବର୍ଷର ଶାସନ କାଳରେ ଅଦ୍ୟାବଧି ମାତ୍ର ୧୧୦୦ ଲୋକଙ୍କୁ ମଧ୍ୟ ସ୍ଥାୟୀ ଥଇଥାନ କରି ଘର ଦିଆଯାଇ ପାରିନାହିଁ। ମାତ୍ର ୪ ଗୋଟି ସ୍ଥାନରେ ଅଳ୍ପ କିଛି କୋଠାଘର କରି ସବୁ ବସ୍ତିବାସିନ୍ଦାଙ୍କୁ ସେହି ଘର ଗୁଡିକୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଦେଖାଇ ଭୁଆଁ ବୁଲାଇ ଚାଲିଛନ୍ତି। ଅନ୍ୟ ପକ୍ଷରେ କର୍ପୋରେଟ ଶକ୍ତି, ଜମି ମାଫିଆ, ବିଲଡ଼ର ଓ ଠିକାଦାରଙ୍କ ସ୍ୱାର୍ଥରେ ନିୟମିତ ବେଆଇନ ଉଛେଦ ଜାରୀ ରଖିଛନ୍ତି। ବସ୍ତି ଲୋକଙ୍କୁ ଭାଗ ଭାଗ କରି ଷଡ଼ଯନ୍ତ୍ର ଓ ଚକ୍ରାନ୍ତ କରି ନୂଆ କାଇଦାରେ ଉଛେଦ ଜାରୀ ରଖିଛନ୍ତି। ବସ୍ତିମୁକ୍ତ ଓ ଯୋଜନାବଦ୍ଧ ସହରର ପ୍ରଚାର କରୁଥିବା ସରକାର ଓ ପ୍ରଶାସନ ନିୟମିତ ବସ୍ତିଭାଙ୍ଗି ନୂଆ ନୂଆ ବସ୍ତି ଗଢୁଛନ୍ତି। ବନ୍ଧୁକ ମୁନରେ ଓ ଅସାଧୁମେଣ୍ଟ ଜରିଆରେ ଚକ୍ରାନ୍ତ କରି ବସ୍ତି ପରିବାରଙ୍କୁ ଗୋଟିଏ ଜାଗାରୁ ଆଉ ଏକ ସର୍ବସାଧାରଣ ଜାଗାକୁ ଯାଇ ନିଜେ ବସ୍ତି ଗଢି ରହିବାକୁ କହୁଛନ୍ତି। ସେହି ଟ୍ରାଞ୍ଜିଟ ଘର ଅବା ଅସ୍ଥାୟୀ ଜମିରୁ ପୁଣି ଉଛେଦ କରୁଛନ୍ତି। ଟ୍ରାଞ୍ଜିଟ ଘର ଅବା ଅସ୍ଥାୟୀ ଜମିକୁ ସ୍ଥାନାନ୍ତର ହୋଇଥିବା ଗୋଟିଏ ମଧ୍ୟ ପରିବାରଙ୍କୁ ଆଜି ପର‌୍ୟ୍ୟନ୍ତ ଆଇନ ଅନୁସାରେ ସ୍ଥାୟୀ ଥଇଥାନ ଯୋଗେଇ ନାହାନ୍ତି। ମାତ୍ର ୧୭୯ ପରିବାରକୁ କୋଠାଘର ଦେଇ ବଳକା ୨୫୨ ପରିବାରଙ୍କ ବସ୍ତିଘର ବେଆଇନ ବଳପୂର୍ବକ ଉଛେଦ ବିରୁଦ୍ଧରେ ଓ କୋଠାଘର ଆବଣ୍ଟନରେ ଦୁର୍ନୀତିର ଉଚ୍ଚସ୍ତରୀୟ ଦାବିକରି ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ଆନ୍ଦୋଳନ ଜାରୀ ରହିଛି। ଦୁର୍ନୀତିଗ୍ରସ୍ତ ଅଧିକାରୀ କର୍ମଚାରୀ ଓ ସେମାନଙ୍କ ସହଯୋଗୀ ଶାସକ ଦଳର ନେତାମାନେ ଅସାଧୁମେଣ୍ଟ ଜରିଆରେ ଅସୁରକ୍ଷିତ ଅବସ୍ଥାରେ ଥିବା ତଥା ଜାଲିଆତି କରି ଘର ହାତେଇଥିବା ଲୋକଙ୍କୁ ଅସ୍ତ୍ର କରି ଆନ୍ଦୋଳନକାରୀ ବସ୍ତିବାସିନ୍ଦାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ।। ଚନ୍ଦ୍ରଶେଖରପୁର ଥାନା ବିଲଡ଼ରଙ୍କ ସହ ବୁଝାମଣା କରି ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଇ ଆକ୍ରମଣର ଶିକାର ପିଡ଼ିତଙ୍କୁ ହାତକଡି ପକାଇ ଜେଲ ପଠାଇଥିଲା। ବସ୍ତି ନେତା ଦୀନବନ୍ଧୁ ସାହୁ, ପ୍ରଶାନ୍ତ ବେହେରା ଓ ସନ୍ତୋଷ ସାହୁ ଝାରପଡା ଜେଲରେ ୫ ଦିନ ରହି ଗତ ୨୬ ତାରିଖରେ ଜାମିନରେ ମୁକୁଳିଛନ୍ତି। ଅନେକ ଆନ୍ଦୋଳନକାରୀଙ୍କ ନାମରେ ମିଛ କେଶ ଦେଇ ପ୍ରତିବାଦର ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ତଦନ୍ତ, ଟଙ୍କା ଡିପୋଜିଟ କରିଥିବା ସବୁ ପରିବାରଙ୍କୁ ତୁରନ୍ତ ଘର ପ୍ରଦାନ, ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି ସମେତ ସବୁ ବସ୍ତିରେ ପ୍ରକୃତରେ ରହୁଥିବା ସବୁ ପରିବାରକୁ କୋଠାଘର ଯୋଗେଇଦେବା, ବସ୍ତି ଆଇନ ପରିବାର ସଜ୍ଞାକୁ କଡାକଡି ପାଳନ ଆଦି ଦାବିକୁ ନେଇ ଏହି ମହା ସମାବେଶ ଅନୁଷ୍ଠିତ ହୋଇଛି। ସରକାରଙ୍କ ଷଡ଼ଯନ୍ତ୍ରମୂଳକ ବସ୍ତି ଉଛେଦ ନୀତିକୁ ଉପସ୍ଥିତ ସମସ୍ତ ବସ୍ତି ନେତାମାନେ ତୀବ୍ର ସମାଲୋଚନା କରିଥିଲେ। ବସ୍ତିନେତା ପଦ୍ମନାଭ ମାର୍ଥା, ରାମରାଜ ଶର୍ମା, ପ୍ରତିମା ନାୟକ, ପୁସ୍କର ସୁବୁଦ୍ଧି,ସସ୍ମିତା ସାହୁ, ପ୍ରତାପ ସେଠୀ, ମଞ୍ଜୁଲତା ସ୍ୱାଇଁ, ଶଙ୍କର ବାରିକ, ସନ୍ତୋଷ ଭଟ୍ରା, ସଞ୍ଜୟ ସାମନ୍ତରାୟ, ମନୋରଞ୍ଜନ ମହାନ୍ତି, ଦିଲ୍ଲୀପ ସିଂ, ସଞ୍ଜୟ ସାମନ୍ତରାୟ, ନିରଞ୍ଜନ ପ୍ରଧାନ, ପୂଜା ଦାସ, ବିଜୟ ବାରିକ, ସମାପ୍ତିକାତ୍ରିପାଠୀ, ପୀତବାସ ବେହେରା, ଜୟ ଶର୍ମା, ବିଚିତ୍ର ପାତ୍ର, ଗୋବିନ୍ଦ ସାହୁ, ଦୀନବନ୍ଧୁ ମହାରଣା ଆଦି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ