ପ୍ରଧାନ ଶିକ୍ଷକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଭିଭାବକଙ୍କ ଧାରଣା ଦ୍ୱିତୀୟ ଦିନରେ
ହାଟଡ଼ିହି- : ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଚଳାଇଥିବା ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଆଜିବି ବିଦ୍ୟାଳୟର ତାଲା ପକାଇ ଗେଟ ସମ୍ମୁଖରେ ବସିରହିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଭିତରକୁ ପସି ନପାରି ଫେରି ଆସିଛନ୍ତି । ଦୁଇଦିନ ହେଲା ଗ୍ରାମବାସୀମାନେ ଆନ୍ଦୋଳନ ଚଳାଇଥିଳେବି କେହି ଅଧିକାରୀ ଆଜି ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଏ ସମ୍ପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଭେଟି ଘଟଣା ବାବଦରେ ଜଣାଇବେ ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଜଣେ ବହିସ୍କୃତ ପାଚିକାକୁ ପୁନଃ ନିଯୁକ୍ତି କରିବାକୁ ପ୍ରଧାନ ଶିକ୍ଷକଙ୍କୁ ବାଧ୍ୟ କରିବାପରେ ସଂପୃକ୍ତ ପାଚିକାକୁ ବିଦ୍ୟାଳୟ କମିଟି ପୁନଃ ନିଯୁକ୍ତି ନଦେବାରୁ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଗତ ମଙ୍ଗଳବାର ଦିନ ନିଲମ୍ବିତ କରିଥିଲେ । ଏହି ଘଟଣାରେ ଗତକାଲି ଶତାଧିକ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଥିଲେ । ରାଜନୈତିକ ଆକ୍ରୋଶ ରଖି ରାଜନେତାଙ୍କ ପ୍ରରୋଚନାରେ ବିଇଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏପରିକି ସ୍କୁଲଟି ଦଲକି ଗ୍ରାମରେ ଥିବାବେଳେ ଓ ଦଲକି ଗାଁର ଛୁଆମାନେ ଏଠାରେ ପଢ଼ୁଥିଲେବି ଆମ କଥା ନଶୁଣି ବିଇଓ ହଦଗଡ ଲୋକଙ୍କ ଅଭିଯୋଗ ଶୁଣି ଆମ ଉପରେ ଦୋଷ ଦେଉଛନ୍ତି ବୋଲି କମିଟି ସଭାପତି ଚକ୍ରଧର ହୋ, ଉପାଧ୍ୟକ୍ଷା ଅବଳା ନାଏକ, ପାଗଳ ନାଏକ, ସୁରେଶ ନାଏକ, ସୁରୁ ହୋ, ସୁରୁ ମହାକୁଡ, ଚାନ୍ଦୁ ହୋ, ବାଗୁନୁ ହୋ, ଲଦର ହୋ, ଜୟରାମ ମହାକୁଡ, ପାଣ୍ଡା ହୋ, ମେଙ୍କ ପ୍ରଧାନ, ସବିତା ପ୍ରଧାନ, ବାଗୁନୁ ହୋ, କାଳନ୍ଦୀ ନାଏକ, ସନ୍ତ ଗିରି, ଜଲେ ହୋ, ବୁଡେନ ସିଂ ପୁର୍ତ୍ତି, ଜୟା ହୋ, ରେଗା ହୋ, ବିଜୟ ହୋ, ତୁରାମ ହୋ, ସୁଧାକର ପ୍ରଧାନ, ଦାଶରଥି ପ୍ରଧାନ, ସୋମବାରୀ ହୋ ପ୍ରମୁଖ କହିଛନ୍ତି ।


