୪ବର୍ଷ ତଳେ ନିର୍ମିତ ଅନରସିଂ ସ୍କୁଲ ଗୃହ ଅଧପନ୍ତରିଆ ଭାବେ ପଡିରହିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆର୍.ଉଦୟଗିରି ବ୍ଲକର ତବାରସିଂ ପଞ୍ଚାୟତ ଅନ୍ତର୍ଗତ ଅନରସିଂ ଗ୍ରାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ଗତ ୪ବର୍ଷ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ସ୍କୁଲଟିର ନିର୍ମାଣ ଅଧପନ୍ତରିଆଭାବେ ପଡିରହିଛି । ଏହି ନୂତନ କୋଠାଟି ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ୧୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ ହୋଇଥିଲା । ଏହି ନିର୍ମାଣ କାର୍ଯ୍ୟକୁ ନିଜେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଠିକାଦାରୀ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇ ମହଲା ବିଶିଷ୍ଟ ଏହି ଗୃହଟି କାନ୍ଥ ଉଠି ଛାତ ପଡିବାପରେ କାମ ବନ୍ଦ ହୋଇ ପଡିରହିଛି । ପ୍ରାୟ ୪ବର୍ଷ ହେଲା ଏହି କାର୍ଯ୍ୟ ବନ୍ଦ ରହି ଏହି ଗୃହଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବାର ଦେଖିବାକୁ ମିଳୁଛି । ଏହି ବାବଦରେ ସେଠାରେ ଗ୍ରାମବାସୀମାନଙ୍କୁ ପଚାରି ବୁଝିବାରୁ ସେମାନେ କହିଥିଲେ ପ୍ରଧାନଶିକ୍ଷକ ନିଜେ ଠିକାଦାର ହୋଇଛନ୍ତି ଏବଂ ଯେତେ କହିଲେ ମଧ୍ୟ କାମ ସମ୍ପୂର୍ଣ୍ଣ କରୁନାହାନ୍ତି । ସେହିପରି ସହ ଶିକ୍ଷକମାନଙ୍କୁ ବୁଝିବାରୁ ଆମ୍ଭେମାନେ ସେ ବିଷୟରେ କିଛି ଜାଣି ନାହୁଁ ପ୍ରଧାନଶିକ୍ଷକହିଁ ସମସ୍ତ ବିଷୟ କହିପାରିବେ । ଏହିପରିଭାବେ ସରକାରୀ କର୍ମଚାରୀ ସରକାରୀ କାର୍ଯ୍ୟକୁ ଅବହେଳା କରୁଥିବାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ସରକାରଙ୍କ ପକ୍ଷରୁ ଶିକ୍ଷାର ଉନ୍ନତି ଏବଂ ପ୍ରଗତିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବା ସହ କିପରି ଭାବେ ସରକାରୀ ବିଦ୍ୟାଳୟ ଗୁଡିକରେ ଅଧିକ ଉପସ୍ଥାନ ବଢିବ ଏବଂ ସେହି ବିଦ୍ୟାଳୟ ଗୁଡିକ ଅନ୍ୟ ଘରୋଇ ବିଦ୍ୟାଳୟ ସହ ସମକକ୍ଷ ହେବ ସେଥିପାଇଁ ପ୍ରଚେଷ୍ଟା ଜାରୀ ରହିଥିବାବେଳେ ଏ କ୍ଷେତ୍ରରେ ତାହା ଆଦୈ ଦୃଷ୍ଟିକୁ ଆସୁନାହିଁ ।


