ଘର ପୋଡି ପରେ ଦୁର୍ଦ୍ଦଶା ବଢିଛି ସରକାରୀ ସହାୟତାକୁ ଅପେକ୍ଷା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ପଂଚାୟତର ଭାସିଆକୁଦ ଗ୍ରାମରେ ବଟକୃଷ୍ଣ ଜେନାଙ୍କ ଘର । ପରିବାର କହିଲେ ଭାଇ କେଦାର ଜେନାଙ୍କ ପରିବାର ଓ ବଟକୃଷ୍ଣଙ୍କ ପରିବାର ସମେତ ଓ ଭଉଣୀ ମିଶି ୧୪ଜଣ । ୨ ଭାଇ ଗାଈ ରଖି ନିଜର ଗୁଜୁରାଣ ମେଟାଇଥାନ୍ତି । ୧୪ ଜଣ ପରିବାର ମଧ୍ୟରୁ ବଟକୃଷ୍ଣଙ୍କର ଜଣେ ଭଉଣୀ ଜନ୍ମରୁ ଅନ୍ଧ ହୋଇଥିବାରୁ ସେ ଭାଇଙ୍କ ସହିତ ରହୁଥିବା ବେଳେ ଭାଇ କେଦାରଙ୍କ ବଡ ଝିଅ ଜଣେ ଭିନ୍ନକ୍ଷମ । ଯୋ÷÷ଥ ପରିବାର ହୋଇଥିବା ବେଳେ ଦୁଇ ଭିନ୍ନକ୍ଷମଙ୍କୁ ନେଇ ଚଳିବା ବଟକୃଷ୍ଣ ଓ କେଦାରଙ୍କ ପାଇଁ ବହୁତ କଷ୍ଟଦାୟକ । ଦୁର୍ଭାଗ୍ୟବଶତଃ ଗତ ମେ ୨୪ ତାରିଖରେ ହଠାତ ବଟକୃଷ୍ଣ ଓ କେଦାର ରହୁଥିବା ୬ ବଖରା ଚାଳ ଘରେ ନିଆଁ ଲାଗିଗଲା । ଦିନ ଦ୍ୱପ୍ରହରେ କିପରି ନିଆଁ ଲାଗିଲା ସେ ବିଷୟରେ ବଟକୃଷ୍ଣ କହି ପାରୁ ନାହାନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଗାଡି ଆସି ନିଆଁକୁ ଆୟତ କରିଥିଲେ ମଧ୍ୟ ଘରର ସମସ୍ତ ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଥିଲା । ଘର କରଣା ଜିନିଷ ସହିତ କାଠ ସାମଗ୍ରୀ,ବର୍ଷକର ଧାନ,ଚାଉଳ ମଧ୍ୟ ପୋଡି ନଷ୍ଟ ହୋଇ ଯାଇଥିଲା । ମୁଣ୍ଡ ଗୁଞିବା ପାଇଁ ଘର ନଥିବା ବେଳେ ଯେଉଁ ଝୁପୁଡି ଘର ଖଣ୍ଡିଏ ଥିଲା ୨ ଦିନ ପରେ ସେଥିରେ ବି ନିଆଁ ଲାଗିଗଲା । ସ୍ଥାନୀୟ ଲୋକ ଏହାକୁ ଭୌତିକ କାଣ୍ଡ ବୋଲି କହି ଆତଙ୍କିତ ମଧ୍ୟ ହୋଇଯାଇଥିଲେ । ଘର ପୋଡିବା ପରେ ତହସିଲ ପକ୍ଷରୁ ତଦନ୍ତ କରାଯାଇ ପଲିଥିନ ଯୋଗାଇ ଦିଆଯାଇଥିଲା । ବର୍ତମାନ ବଟକୃଷ୍ଣଙ୍କ ଅବସ୍ଥା ନକହିଲେ ଭଲ । ବଟକୃଷ୍ଣଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳି ନଥିବା ବେଳେ ଘର ପାଇଁ ବ୍ଳକ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ୨ ଭାଇଙ୍କ ମଧ୍ୟରୁ ବଟକୃଷ୍ଣଙ୍କୁ ଗୋଟିଏ ଇନ୍ଦିରାବାସ ମିଳିଥିବା ବେଳେ ୧୪ ପ୍ରାଣୀ ଗୋଟିଏ ଘରେ ରହିବା କଷ୍ଟ ହୋଇ ପଡିଛି । ବର୍ତମାନ ବର୍ଷା ଦିନ ଆସୁଥିବା ବେଳେ ହଠାତ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ବଟକୃଷ୍ଣଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଛି । ଝାଟି ମାଟି ଘରେ ଗୋଟିଏ ପାଶ୍ୱର୍ରେ ଗାଈ ରଖିଥିବା ବେଳେ ଅନ୍ୟ ପାଶ୍ୱର୍ରେ ରୋଷେଇ କରି ରୋଷେଇ ସରିବା ପରେ ରାତିରେ ସେ ଘରେ ଶୋଉଛନ୍ତି । ଗାଈ ,ବାଛୁରୀ ଗୁହାଳ ମଧ୍ୟରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ବେଳେ ସେହି ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ବଟକୃଷ୍ଣଙ୍କ ପରିବାର । ସରକାରୀ ସାହାର୍ଯ୍ୟ କିଛି ମିଳିଲେ ହୁଏତ ଆଉ ଖଣ୍ଡେ ଘର କରିପାରନ୍ତେ ବୋଲି ବଟକୃଷ୍ଣ ପ୍ରକାଶ କରିଛନ୍ତି । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଦୁଇ ଭାଇଙ୍କ ଦୁଃଖ ସେତିକିରେ ସରିନାହିଁ । ଭିନ୍ନକ୍ଷମ ଝିଅ ମିତାଂଜଳୀ ଜେନାଙ୍କୁ ଭିନ୍ନକ୍ଷମ ଚିହ୍ନଟ ଶିବିରରେ ୨୦୧୩ ମସିହାରେ ଶତକଡା ୪୫ ଭାଗ ଭିନ୍ନକ୍ଷମ ଥିବା ପ୍ରମାଣପତ୍ର ମିଳିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସରକାରୀ ସାହାର୍ଯ୍ୟ ପାଉ ନାହିଁ । ଭିନ୍ନକ୍ଷମ ଭତା ପାଇଁ ୬ ମାସ ହେବ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ଭତା ମିଳି ଜଣାଯାଇଛି । ନିଜେ ଚାଲି ପାରୁ ନଥିବାରୁ ବିଭିନ୍ନ ସ୍ଥାନରେ ପଡି ଦେହ ହାତ ଖଣ୍ଡିଆ ଖାବରା ହୋଇଛି । ଅର୍ଥାଭାବରୁ ଝିଅକୁ ଡାକ୍ତଖାନା ନେଇ ପାରୁ ନଥିବା କେଦାର କୋହ ଭରା କଣ୍ଠରେ କହିଛନ୍ତି । ତେଣୁ ଏହି ପରିବାରକୁ ପ୍ରଶସାନ ପକ୍ଷରୁ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ଭିନ୍ନକ୍ଷମ ସାହାର୍ଯ୍ୟ ବିଷୟରେ ବ୍ଳକ ସମାଜ ମଙ୍ଗଳ ଅଧିକାରୀ ଦେବାଶୀଷ ସ୍ୱାଇଁଙ୍କୁ ପଚାରିବାରୁ ଯଦି ସେ ଆବେଦନ କରିଥିବେ ତା ହେଲେ ତାଙ୍କୁ ଯଥାଶୀଘ୍ର ଭତା ପ୍ରଦାନ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ସେହିପରି ଘର ପୋଡି ଯିବା ପରେ ଘର ପାଇଁ ଆବେଦନ କରିଥିବା ସଂପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବା ପାଇଁ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ