ବଜ୍ରପାତରେ ବୃଦ୍ଧା ଆହତ,  ଦୁଇ ବଳଦ ମୃତ

ରାଇରଙ୍ଗପୁର, ,(ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଇଚାଡିହି ଗ୍ରାମ ନିକଟସ୍ଥ ଧାନ କ୍ଷେତରେ ଗୋରୁ ଚୋରାଳିଙ୍କ ଉପରେ ବଜ୍ରପାତ। ବଜ୍ରପାତରେ ଗୋରୁ ଚୋରାଳି ବୃଦ୍ଧା ଜଣକ ଆହତ ହୋଇଥିବା ବେଳେ ଗୋଟିଏ ବଳଦ ମୃତ୍ୟୁ ବରଣ କରିଛି।     ସୂଚନା ଅନୁସାରେ ଅପରାହ୍ନ ପାଖାପାଖି ୨’ଟା ସମୟରେ ହଠାତ୍ ଘଡଘଡି ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଦୁଇଟି ବଳଦ ସହିତ ବୃଦ୍ଧା ଜଣକ ଟଳି ପଡିଥିଲେ। ତେବେ ଗୋଟିଏ ବଳଦ ଉଠିପଡି ଦୌଡି ପଳାଇଥିଲାବେଳେ ଅନ୍ୟଟି ମୃତ୍ୟୁ ବରଣ କରିଥିଲା। ବୃଦ୍ଧା’ଙ୍କ ସହିତ ଆହୁରି ତିନିଜଣ ଗୋରୁ ଚରାଉଥିଲେ ଓ ଆଖପାଖ ବିଲରେ ମଧ୍ୟ କିଛି ଲୋକ କାମ କରୁଥିଲେ। ବଜ୍ରପାତରେ ତାଙ୍କ କାନକୁ କିଛି ସମୟ ପାଇଁ କିଛି ଶୁଭାଯାଇ ନଥିଲା ବେଳେ ବୃଦ୍ଧାଙ୍କୁ ଖଟରେ ବହି ଘରକୁ ନେଇଥିଲେ। ପରେ ଝରାଡିହି ସ୍ଥିତ ଏକ ଘୋରଇ ଡାକ୍ତରଖାନାକୁ ନେଇଥିଲେ।ସେଠାରେ ବୃଦ୍ଧା ଜଣକ ଚିକିତ୍ସାଧିନ ଥିଲାବେଳେ ସେ ସୁସ୍ଥ ଥିବା ଜଣାପଡିଛି। ବୃଦ୍ଧା ଜଣକ ଇଚାଡିହି ଗ୍ରାମର ଭଗତ ମୁଣ୍ଡା’ଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା(୭୦) ବୋଲି ଜଣା ପଡିଛି। ତୁଳସୀ ମୁଣ୍ଡାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାବେଳେ ନାମମାତ୍ର ଚାଷୀ ଭାବେ ଚାଷ କରି ଗୁଜୁରାଣ ଚଳାଇ ଥାନ୍ତି।ତେବେ ବଜ୍ରପାତରେ ଗୋଟିଏ ବଳଦ ମୃତ ହୋଇଥିବାରୁ ବର୍ତ୍ତମାନ ଚାଷ କାମରେ ବାଧା ଉପୁଜିବାକୁ ନେଇ ଚିନ୍ତାରେ ରହିଛନ୍ତି।ବଜ୍ରପାତରେ କ୍ଷତିଗ୍ରସ୍ତ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।    ସେହିପରି ତିରିଂ’ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମପଞ୍ଚାୟତ ଲୁପୁଙ୍ଗ ଗ୍ରାମର ହାଡିରାମ ଟୁଡୁ’ଙ୍କ ପୁଅ ମଙ୍ଗଲ ଟୁଡୁ ନିକଟସ୍ଥ କ୍ଷେତରେ ଗୋରୁ ଚରାଉଥିବା ସମୟରେ ବଜ୍ରପାତ ହେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଲେ ବଜ୍ରପାତରେ ତାଙ୍କ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବରପାଇ ତିରିଂ’ବ୍ଲକ ୨୧’ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ପରେଶ ମୁଣ୍ଡା ବଡଡାଳିମା ରାଜସ୍ୱ ନିରୀକ୍ଷକ ଓ ତିରିଂ ପଶୁଚିକିତ୍ସା ଅଧିକାରୀ’ଙ୍କୁ ଅବଗତ କରିଥିଲେ।ଖବର ପାଇ ବଡଡାଳିମା ରାଜସ୍ବ ନିରୀକ୍ଷକ ଓ ପଶୁ ଚିକିତ୍ସା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଯଥାଶିଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ