ଜନଗଣନା ଖାତାରେ ନାମ ଥାଇ ମିଳୁନି ପକ୍କାଘର

ଭଣ୍ଡାରିପୋଖରୀ,(ଓ୍ବାଇଏନ୍ଏସ୍) :ସରକାର କେହି ଚାଳଘରେ ରହିବେ ନାହିଁ ବୋଲି ଯୋଜନା ପ୍ରସ୍ତୁତ କରି ପକ୍କାଘର ବାଣ୍ଟୁଥିବାବେଳେ ଯୋଗ୍ୟତା ଥାଇ ପ୍ରଶାସନିକ ଅବହେଳାରୁ ବାଦ ପଡୁଛନ୍ତି ଅନେକ ହିତାଧିକାରୀ । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତ କୁମ୍ଭାରିଆ ୬ନଂ ୱାର୍ଡର ଶରତ ଚନ୍ଦ୍ର ଜେନା ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସ୍ତ୍ରୀ, ପୁଅ, ଝିଅ ଓ ମାଆଙ୍କୁ ନେଇ ପାଞ୍ଚଜଣ କୁଟୁମ୍ବର ଛୋଟିଆ ସଂସାର କେବଳ କ୍ଷୁଦ୍ର ଚାଷକୁ ନେଇ ବଞ୍ଚିଥାଆନ୍ତି ।ପୁଣି ବନ୍ୟା ଦାଉ ସାଧିଲେ ବର୍ଷକର ଆହାର ମଧ୍ୟ ଚାଲିଯାଏ । ଏପରିସ୍ଥଳେ ତାଙ୍କ ପକ୍ଷେ ପକ୍କାଘର ଖଣ୍ଡେ ନିର୍ମାଣ କରିବା ଆଜି ଯାଏଁ ସମ୍ଭବ ହୋଇନଥିବା ବେଳେ ବାସଗୃହ ପାଇଁ ସେ ପ୍ରଶାସନ ନିକଟରେ ଅନେକବାର ଗୁହାରୀ କରିଛନ୍ତି । ଯୋଗ୍ୟତା ଅନୁସାରେ ତାଙ୍କର ୨୦୧୧ଜନଗଣନା ନାମ ଓ କ୍ରମିକ ସଂଖ୍ୟା ଥିଲେ ସୁଦ୍ଧା ତାଙ୍କୁ ବାସଗୃହରୁ ବଞ୍ଚିତ କରାଯାଉଛି । ଏପରିକି ପଞ୍ଚାୟତରେ ସେ ରାଜନୈତିକ ଆକ୍ରୋଷର ଶିକାର ହେଉଥିବା କହିଛନ୍ତି । ବାସଗୃହ ପାଇବା ହିତାଧିକାରୀଙ୍କ ଖାତାର କ୍ରମିକ ସଂଖ୍ୟା ଅନୁଯାୟୀ ତାଙ୍କ ତଳେ ଥିବା ଲୋକ ଗୃହ ପାଉଥିବାବେଳେ ସେ ଏଥିରୁ କେମିତି ବାଦ ପଡିଲେ ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ ମାନଦଣ୍ଡ ଆଧାରରେ ବାସଗୃହ ପାଇବା ପାଇଁ ଶରତଙ୍କ ଯୋଗ୍ୟତା ଥିଲେ ସୁଦ୍ଧା ଉତ୍କୋଚ ଦେଇନପାରିବାରୁ ତାଙ୍କୁ ଏଥିରୁ ବଞ୍ଚିତ କରାଯାଉଥିବା ଜଣାଇଛନ୍ତି । ଏନେଇ ସେ ବିଡିଓଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କ୍ଷେତ୍ର ପରିଦର୍ଶନ ପରେ ଯାହାକିଛି ହେବବୋଲି ଅଧିକାରୀ ତାଙ୍କୁ କହିଛନ୍ତି । ସେ ଯାହାବି ହେଉ ଗ୍ରାମାଞ୍ଚଳରେ ବାସଗୃହର ସଫଳ ରୂପାୟନ ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଥାଇ ସୁଦ୍ଧା ପ୍ରଶାସନିକ ଅବହେଳାରୁ ଲୋକ ଏଥିରୁ ବଞ୍ଚିତ ହେଉଥିବା ସ୍ପଷ୍ଟ ଅନୁମେୟ । ତେଣୁ ଅଧିକାରୀମାନେ ଯଥାଶୀଘ୍ର କ୍ଷେତ୍ର ପରିଦର୍ଶନ କରି ଶରତଙ୍କୁ ବାସଗୃହ ଖଣ୍ଡିଏ ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ