ବାରାହ ଉପଦ୍ରବ ନେଇ ୩ ଏକର ଚାଷଜମିର ଧାନ ଫସଲ ନଷ୍ଟ
ଛତ୍ରପୁର,(ଦେବଦତ୍ତ ମହାରଣା) :ବାରାହ ଉପଦ୍ରବ ନେଇ ପ୍ରାୟ ୩ ଏକର ଚାଷଜମିର ଧାନ ଫସଲ ନଷ୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଛତ୍ରପୁର ତହସିଲ ଅନ୍ତର୍ଗତ ଭିକାରିପଲ୍ଲୀ ସର୍କଲ ନରସିଂହପୁର ମୌଜାର ଚାଷୀ କେ.ଗାଙ୍ଗେୟା ପାତ୍ରଙ୍କ ୩ ଏକର ଚାଷ ଜମିରେ ଚଳିତ ବର୍ଷ ଧାନ ଫସଲ କରିଥିଲେ । କିନ୍ତୁ ଉକ୍ତ ଫସଲକୁ ୧୮ରୁ ଉର୍ଦ୍ଧ୍ୱ ବାରାହ ଧାନ କିଆରିରେ ପଶି ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ଚାଷୀ ଗାଙ୍ଗେୟା ଗତବର୍ଷ ଏହି ୩ ଏକର ଜମିରେ ଧାନ ଫସଲ କରି ପ୍ରାୟ ୯୦ ବସ୍ତା ଧାନ ଆଦାୟ କରିଥିଲେ । ଚଳିତ ବର୍ଷ ମଧ୍ୟ ଉତ୍ତମ ଫସଲ ହୋଇଥିବାରୁ ସେ ଏହି ଆଶାବାନ୍ଧି ଥିଲେ । ଦଇବ ଦାଉ ସାଜିଲା ଭଳି ବାରାହମାନେ ଏଭଳି ଫସଲ ନଷ୍ଟ କରିବେ ବୋଲି କେବି ବି ଗାଙ୍ଗେୟା ଭାବି ନଥିଲେ । ବାରମ୍ବାର ଏହି ଅଞ୍ଚଳରେ ବାରାହମାନେ ଉପଦ୍ରବ କରୁଥିବା ବେଳେ ଜଙ୍ଗଲ ବିଭାଗ ସେମାନଙ୍କୁ ଏଠାରୁ ତଡିବାର କୌଣସି ପଦକ୍ଷେପ ନେଉନାହାନ୍ତି । ଏଥିପାଇଁ ଚାଷୀମାନେ ସବୁ ସମୟରେ କ୍ଷତିଗ୍ରସ୍ତ ହେବାକୁ ପଡୁଛି । ଏଣୁ ଜିଲ୍ଲା ପ୍ରଶାସନ ଗାଙ୍ଗେୟାକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।


