ପୂର୍ବ ଶତୃତାରୁ ଗୁଳିକାଣ୍ଡ ଯୁବ ଔଷଧ ବ୍ୟବସାୟୀ ମୃତ
କେନ୍ଦ୍ରାପଡା – ପୂର୍ବ ଶତୃତାରୁ ଜନୈକ ଯୁବ ଔଷଧ ବ୍ୟବସାୟୀଙ୍କୁ ଗୁଳିମାଡ ହେବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମର ଗଗନବିହାରୀ ସାହୁ ବୁଧବାର ସକାଳ ପ୍ରାୟ ୯ଟା ସମୟରେ ଘରୁ ବାହାରି ବାଇକରେ କେନ୍ଦ୍ରାପଡା ସହରକୁ ଆସୁଥିବା ସମୟରେ ମଣିକୁଣ୍ଡା – ହାତିଆ ଗ୍ରାମ ମଝି ରାସ୍ତାର ଏକ ନିଛାଟିଆ ସ୍ଥାନରେ ଅନ୍ୟଏକ ବାଇକରେ ଦୁଇଜଣ ଆସି ହଠାତ ଗଗନ ଉପରକୁ ୩ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଗୋଟିଏ ଗୁଳି ଗଗନର ହାତରେ ବାଜିଥିବା ବେଳେ ଅନ୍ୟଟି କାନମୂଳରେ ଓ ତୃତୀୟ ଗୁଳିଟି ଗଗନର ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ଗଗନର ମୃତ୍ୟୁ ହୋଇଯାଇଥିଲା । ଗଗନକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମାର୍ଶାଘାଇ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବରପାଇ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଁଚି ବିଭିନ୍ନ ଦିଗରୁ ଗୁଳିକାଣ୍ଡ ଘଟଣାର ତଦନ୍ତ କରିବାକୁ ମାର୍ଶାଘାଇ ଥାନା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏସଡିପିଓ ଶ୍ରୀ ପଣ୍ଡା ପହଁଚି ତଦନ୍ତ ପରେ ଶବ ବ୍ୟବଛେଦ କରାଯିବାର ବ୍ୟବସ୍ଥା କରିଥିଲେ ।


