ବଡ଼ ବୋର୍ସିଂ ପଞ୍ଚାୟତରେ ବାରହା ପଲଙ୍କ ଉପଦ୍ରବ, ଆତଙ୍କିତ ଅବସ୍ଥାରେ ଚାଷୀ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଗତ ଦଶରୁ ପନ୍ଦର ଦିନ ହେବ ବେଲଗୁଣ୍ଠା ବ୍ଳକ୍ ର ବଡ଼ ବୋର୍ସିଂ ପଂଚାୟତର ବିଭିନ୍ନ ଗ୍ରାମରେ ବାରହା ପଲ ମାତିବା ଯୋଗୁଁ ଅଞ୍ଚଳର ଚାଷୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି I ଏବେ ଚାଷୀ ମାନେ ଧାନ ଧାନ ଫସଲ କାଟିବା ଆରମ୍ଭ କରିଥିବା ବେଳେ ବାରହା ଉପଦ୍ରବ ଚାଷୀ ମାନଙ୍କର ଚିନ୍ତା ବଢ଼େଇ ଦେଇଛି I ପ୍ରତିଦିନ ସନ୍ଧ୍ୟା ପାଞ୍ଚଟା ପରେ ବାରହା ମାନେ ପଲ ପଲ ହୋଇ ନିକଟସ୍ଥ ଜଙ୍ଗଲ ଗୁଡ଼ିକରୁ ଆସି ଗ୍ରାମର ଜମି ଗୁଡିକରେ ପଶି କମ୍ ଫସଲ ଖାଉଥିବା ବେଳେ ଅଧିକ ଫସଲ ଦଳି ଚକଟି ନଷ୍ଟ କରିଦେଉଥିବା କ୍ଷତିଗ୍ରସ୍ତ ଚାଷୀ ମାନେ ପ୍ରକାଶ କରିଛନ୍ତି I ଏନେଇ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି I ବିଶେଷ କରି କାଳିଆଗୁଡାର ରାମ ସେଠୀ, ଭିକାରୀ ପ୍ରଧାନ, ସୀମାଞ୍ଚଳ ପ୍ରଧାନ, କାଳିଆ ପ୍ରଧାନ, ପ୍ରଫୁଲ୍ଲ ସ୍ୱାଇଁ, ରାଜେନ୍ଦ୍ର ରାଉତ,ରବିନ୍ଦ୍ର ପ୍ରଧାନ, ବନମାଳୀ ସ୍ୱାଇଁ, ପଞ୍ଚୁ ସ୍ୱାଇଁ, ହରେକୃଷ୍ଣ ପ୍ରଧାନ, ଅଭିମନ୍ୟୁ ସାହୁ, ବାଙ୍କଲେଡ଼ି ଗ୍ରାମର ନିରଞ୍ଜନ ଡାକୁଆ, ସାନ ବୋର୍ସିଂର ଚିନ୍ତାମଣି ସ୍ୱାଇଁ ଏବଂ ବାବୁଲି ସ୍ଵାଇଁଙ୍କ ଧାନ ଫସଲ ବାରହା ପଲଙ୍କ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି I ସେହିପରି ବଡ଼ ବୋର୍ସିଂ, ଦୁବଲୁଣ୍ଡା ,ବଡ଼ ବୋର୍ସିଂ, ଖାରିଗୁଡା ଆଦି ଗ୍ରାମରେ ମଧ୍ୟ ବାରହା ପଲ ଫସଲ ନଷ୍ଟ କରୁ୍ଥିବା ଜଣା ପଡ଼ିଛି I ବାରହା ପଲ ଗୁଡିକ ଦିନ ବେଳେ ନଳୀ ମରା ପାହାଡ଼, ରତ୍ନେଇ ପୀଠ, କାଳିଆମ୍ବା ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଆସି ଫସଲ ନଷ୍ଟ କରି ଭୋର୍ ପାଞ୍ଚଟା ବେଳକୁ ଜଙ୍ଗଲକୁ ଫେରି ଯାଉଛନ୍ତି I ଗତ କିଛି ଦିନ ହେବ ବାରହା ପଲ ଗୁଡିକ ହିଂସ୍ର ହୋଇ ଉଠିଛନ୍ତି I ବାରହା ଗୁଡ଼ିକ ମଧ୍ୟରେ ଏକ ଦନ୍ତା ବାରହା ରହି ମଣିଷ ମାନଙ୍କୁ ମଧ୍ୟ ଆକ୍ରମଣ କରୁଥିବା ଖବର ମିଳିଛି I ପ୍ରକାଶ ଥାଉ କି ଗତ ଛଅ ତାରିଖ ସନ୍ଧ୍ୟା ବେଳେ ବାରହା ଆକ୍ରମଣରେ କୁଲାଙ୍ଗୀ ଗ୍ରାମର ଯୁଗଳ ନାଇକ, ପାଣ୍ଡି ନାଇକ ଏବଂ ଚାନ୍ଦିନୀ ନାଇକ ଗୁରୁତର ଭାବେ ଆହତ ହୋଇଥିଲେ I ତେଣୁ ବାରହା ଉପଦ୍ରବକୁ ରୋକିବା ପାଇଁ ବନ ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I


