ନୀଳଗିରି ନାବାଳିକା ହତ୍ୟା ଘଟଣା ସମ୍ପର୍କରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟିମ୍ର ତଦନ୍ତ
ବାଲେଶ୍ୱର,(ୱାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲା ନୀଳିଗିରିରେ “ଦୁଷ୍କର୍ମ ପରେ ବିଷ ପିଆଇ ନାବାଳିକାଙ୍କୁ ହତ୍ୟା” ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଏ ବାବଦରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ, ଭୁବନେଶ୍ୱରରୁ ଦୁଇ ଜଣ ମହିଳା ସଦସ୍ୟା ମନ୍ଦାକିନୀ କର ଓ ଦିବ୍ୟ ଶାଶ୍ୱତି ଗତକାଲି(ଡିସେମ୍ବର ୩ତାରିଖ) ନୀଳିଗିରି ଆସି ତଦନ୍ତ କରିଛନ୍ତି । ପ୍ରଥମେ ସେମାନେ ନୀଳିଗିରି ଥାନାରେ ପହଂଚି ଏହି ମାମଲାର ବିବରଣୀ ସଂଗ୍ରହ କରିଥିଲେ ଏବଂ ତା ପରେ ପୋଲିସ ସହିତ ଘଟଣା ଘଟିଥିବା ଇଟାଭାଟି ଓ ତାର ଆଖପାଖ ଅଂଚଳର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ । ତା ପରେ ଦୁଷ୍କର୍ମ ଘଟିଥିବା ନାବାଳିକାର ଘରକୁ ଯାଇ ତାର ବାପା ମାଆଙ୍କ ସହିତ ଆଲୋଚନା କରିଥିଲେ ଏବଂ ପାଖ ପଡୋଶୀଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରି ଜିଲ୍ଲାର ଇଟାଭାଟିଗୁଡିକରେ ଯେପରି କୌଣସି ଶିଶୁ ଶ୍ରମିକ କାମ ନ କରନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ । ନୀଳଗିରିରୁ ଫେରିବା ପରେ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଏବଂ ଆରକ୍ଷୀ ଅଧୀକ୍ଷକ, ବାଲେଶ୍ୱର ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସହିତ ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଏହା ଉପରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ନାବାଳିକାର ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନରେ ଯେପରି ବିଳମ୍ବ ନ ହୁଏ ଏବଂ ଆବଶ୍ୟକସ୍ଥଳେ ଜରୁରୀକାଳୀନ ପାଣ୍ଠିରୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ତଦନ୍ତ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁବକ ମାଝୀ, ଆଇନ ପର୍ଯ୍ୟବେକ୍ଷକ ଅଧିକାରୀ, ବାଲେଶ୍ୱର ଶ୍ରୀ ମୁକ୍ତିକାନ୍ତ ପଣ୍ଡା ସହଯୋଗ କରିଥିଲେ । ଶେଷରେ ଉକ୍ତ ଟିମ୍ ଉତ୍କଳ ବାଳାଶ୍ରମ, ବାଲେଶ୍ୱରକୁ ପରିଦର୍ଶନରେ ଯାଇଥିଲେ ଏବଂ ସେଠାରେ ଥିବା ଅନ୍ତେବାସୀମାନଙ୍କ ସହିତ କଥାବାର୍ତା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।


