ସ୍ୱାମୀ-ସ୍ତ୍ରୀ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ଅଙ୍ଗାରଗଡିଆ ଗ୍ରାମରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ୨୮-୧୧-୨୦ରିଖ ଦିନ ଗ୍ରାମର ସନ୍ତୋଷ ଦାସ ଓ ସଂଜୟ ଦାସ କୌଣସି କାରଣକୁ ନେଇ ସାନ ଭାଇ ସରୋଜ ଓ ତାଙ୍କ ପତ୍ନୀ ସୁମିତ୍ରାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ସ୍ୱାମୀ ସ୍ତ୍ରୀ ଦୁଇଜଣ ଏହାର ପ୍ରତିବାଦ କରିବାରୁ ସନ୍ତୋଷ ଓ ସଂଜୟ ଉତକ୍ଷିପ୍ତ ହୋଇ ଏକ କତା ଓ ବାଉଁଶ ସାହାଯ୍ୟରେ ସରୋଜକୁ ଆକ୍ରମଣ କରିଥିଲେ । ଏହା ସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ଟଣା ଓଟରା କରିବା ସହ ମାଡ ମାରିଥିଲେ । ଗାଁ ଲୋକମାନେ ଗୁରୁତର ଅବସ୍ଥାରେ ସରୋଜକୁ ଉଦ୍ଧାର କରି ଯାଜପୁର ଓ କଟକ ବଡ ମେଡିକାଲ ନେଇଥିଲେ । ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ଏନେଇ ୭.୧୨.୨୦ରିଖରେ ସରୋଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ୨୫୪/୨୦ରେ ମାମଲା ରୁଜୁ କରିଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ଏଯାଏଁ ସଫଳ ହୋଇପାରିନାହିଁ । ଏନେଇ ମାମଲାର ତଦନ୍ତ ଭାର ନେଇଥିବା ଥାନାର ସହକାରୀ ଅଧିକାରୀ ବିଜୟ କୁମାର ନାୟକଙ୍କ ମତାମତ ନେବାରୁ ଅଭିଯୁକ୍ତ ଦ୍ୱୟ ଫେରାର ଥିବାବେଳେଗିରଫ ପାଇଁ ପୁଲିସ ତନାଘନା ଚଳାଇଥିବା କହିଛନ୍ତି । ଏପଟେ ମରଣାତ୍ମକ ଆକ୍ରମଣ ଶିକାର ହୋଇଥିବା ସରୋଜ ଓ ତାଙ୍କ ସ୍ତ୍ରୀ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଦୃଢ ଦାବି ଜଣାଇଛନ୍ତି ।


