ବଳିଆ ଯୋଜନା ପାଇଁ ପ୍ରସ୍ତୁତି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ସଫଳ ରୂପାୟନ ପରେ କରୋନା ମହାମାରୀ ଭିତରେ ବଳିଆ ଯୋଜନା ଘୋଷଣା କରିଛନ୍ତି । ବିଶେଷ କରି ନାମମାତ୍ର ଚାଷୀ ଓ ଭାଗଚାଷୀ ମାନେ ଏଥିରେ ଉପକୃତ ହୋଇପାରିବେ ବୋଲି ଘୋଷଣା ନାମାରେ ଉଲ୍ଲେଖ କରାଯାଇଛି । ଯୋଜନା ଅନୁସାରେ ଭଣ୍ଡାରିପୋଖରୀ କୃଷି ବିଭାଗ ପକ୍ଷରୁ ୧୫୨୯ଜଣ ଚାଷୀଙ୍କ ନାମ ବିଭିନ୍ନ ସମବାୟ ସମିତିକୁ ପଠାଯାଇଛି । ସେଠାରେ ସମସ୍ତ ଚାଷୀଙ୍କର ଋଣ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ ହେବା ପରେ ୫ଜଣିଆ ଗ୍ରୁପ ଗଠନ କରାଯାଇ ଋଣ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ବଳିଆ ଯୋଜନା ଅନୁଯାୟୀ ବ୍ଲକ ଅଞ୍ଚଳରେ ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କୁ ମିଶାଇ ପ୍ରାୟ ୭୪୩ଗୋଟି ଗ୍ରୁପ ଗଠନ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉକ୍ତ ଯୋଜନା ଅନୁସାରେ ଅପେକ୍ଷାକୃତ କମ ସୁଧରେ ଗ୍ରୁପପିଛା ପ୍ରାୟ ୧ଲକ୍ଷ ୬୦ହଜାର ଟଙ୍କା ଋଣ ଯୋଗାଇଦିଆ ଯିବ ବୋଲି ଜଣାଯାଇଛି ।


