ଟିଏମସି ସେଣ୍ଟର ଅର୍ଥ ନମିଳିବା ନେଇ ଅସନ୍ତୋଷ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କରୋନାକୁ ଇତିମଧ୍ୟରେ ଏକବର୍ଷ ଛୁଇଁବାକୁ ଥିବାବେଳେ ଏବେବି ସୁଦ୍ଧା ଏଥିରୁ ବିଶ୍ୱବାସୀ ମୁକ୍ତି ପାଇନାହାଁନ୍ତି । କରୋନା ମହାମାରୀରୁ ମୁକୁଳିବା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଅସ୍ଥାୟୀ ସଂଗରୋଧ ଶିବିର(ଟିଏମସି) ଥିଲା ଅନ୍ୟତମ । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୫୦ଗୋଟି ସ୍ଥାନରେ ଟିଏମସି ସେଣ୍ଟର ଖୋଲାଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ଯାହାର ପରିଚାଳନା ଦାୟିତ୍ୱ ନେଇଥିଲେ ସରପଞ୍ଚ । ପ୍ରବାସୀ ଆସିଲେ ଓ ଚାଲିଗଲେ । କିନ୍ତୁ ଏନେଇ ସରପଞ୍ଚମାନେ ଯେଉଁ ଟଙ୍କା ଖର୍ଚ୍ଚ କରିଥିଲେ ତାହା ଏଯାଏଁ ସମ୍ପୂର୍ଣ୍ଣ ମିଳିପାରିନାହିଁ । ଯଦିଓ ଟିଏମସି ଭିତ୍ତିଭୂମି ଦିଗରେ ଖର୍ଚ୍ଚ ହୋଇଥିବା ଅର୍ଥ ପଞ୍ଚାୟତ ପାଣ୍ଠିରୁ କିଛିମାତ୍ରାରେ ଭରଣା ହୋଇପାରିଛି । କିନ୍ତୁ ଖାଦ୍ୟ ପାନୀୟ ବାଦର ଟଙ୍କା ଏଯାଏଁ ସରପଞ୍ଚ ମାନେ ପାଇପାରୁନାହାଁନ୍ତି । ଯାହାକୁ ନେଇ ଦୁଇମାସ ପୂର୍ବରୁ ସରପଞ୍ଚ ମାନେ ବ୍ଲକ ଆଗରେ ୫ଦିନ ଧରି ଧାରଣା ଦେଇଥିଲେ । ପ୍ରଶାସନ ପକ୍ଷରୁ କିଛିମାତ୍ରାର ଅର୍ଥ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲେ ସୁଦ୍ଧା ବାକି ଅର୍ଥ ୧୫ଦିନ ମଧ୍ୟରେ ଦିଆଯିବ ବୋଲି ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ । ପରିତାପର ବିଷୟ ଅଦ୍ୟାବଧି ଅର୍ଥ ନମିଳିବାରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ପ୍ରତିନିଧିମାନେ ବିଡିଓଙ୍କୁ ବାରମ୍ବାର ଗୁହାରୀ କରୁଛନ୍ତି । ଯଥାଶୀଘ୍ର ଅର୍ଥ ପ୍ରଦାନ କରାନଗଲେ ପୁଣି ସରପଞ୍ଚ ମାନେ ଦ୍ୱିତୀୟବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିରେନ୍ଦ୍ର ନାୟକ, ବଦ୍ରୀନାରାୟଣ ରାଉତ, ବିଜୟ ଶଙ୍କର ମହାନ୍ତି, ସୁବାଷ କାଣ୍ଡି, ରାମଚନ୍ଦ୍ର ସେନାପତି, ଜଗବନ୍ଧୁ ଦାସ, ପ୍ରଶାନ୍ତ ସାହୁ, ମନୋଜ ନାୟକ, ବିଜୟ ସ୍ୱାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି ।


