ଗୁହାଳରେ ଅଗ୍ନିକାଣ୍ଡ ଘଟି ଗାଇ,ବାଛୁରୀ ସହ ୬ଟି ଛେଳି ଜୀବନ୍ତ ଦଗ୍ଧ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ତହସିଲ ଅଧିନ ବଛାଳୋ ଗ୍ରାମର ଲଳିତ ସେଠୀ ଓ ଶରତ ସେଠୀଙ୍କ ଗୁହାଳ ଘରେ ଶୁକ୍ରବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ, ବାଛୁରୀ ସହିତ ୬ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଲଳିତ ଓ ଶରତ ଗାଇ ଓ ଛେଳି ପାଳି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଆଜି ସଂଧ୍ୟା ସମୟରେ ତାଙ୍କ ଗୁହାଳ ଘରେ ବିଦ୍ୟୁତ ସର୍ଟସକିଟ୍ ହେତୁ ନିଆଁ ଲାଗି ଯାଇଥିଲା । ପରିବାରର ପକ୍ଷରୁ ନିଆଁକୁ ଆୟତ କରିବା ପାଇଁ ଯେତେ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କଲା ବେଳକୁ ତିନି ବଖରା ଗୁହାଳ ପୋଡି ଭଷ୍ମ ହୋଇଯାଇଥିଲା । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


