କଟକଣା ପରେ ବି ରୋକାଯାଇ ପାରୁନାହିଁ ଖଣିଜ ଚୋରି : ଆନ୍ତଃରାଜ୍ୟ ମାଫିଆ ସକ୍ରିୟ

ଯୋଡା, (ସମୀର ଦାସ): ଓଡିଶାର ଖଣି ବହୁଳ ଯୋଡା ଖଣି ମଣ୍ଡଳରେ ଖଣିଜ ଚୋରା କାରବାର ବହୁ ମାତ୍ରାରେ ବୃଦ୍ଧି ପାଇଛି । କୋଟି କୋଟି ଟଙ୍କାର ଚୋରା ଖଣିଜ ବନ ବିଭାଗ, ପୋଲିସ ପ୍ରଶାସନ ଓ ଖଣି ବିଭାଗ ଜବତ କରିଛି । ତଥାପି ଖଣିଜ ଚୋରା କାରବାର ଥମୁନାହିଁ । ଏକ ଆନ୍ତଃରାଜ୍ୟ ର‌୍ୟାକେଟ ସ୍ଥାନୀୟ କିଛି ଚୋରା ଖଣି ବ୍ୟବସାୟୀଙ୍କୁ ହାତ କରି ଏହି ଚୋରା ଖଣିଜ କାରବାରକୁ ନିୟନ୍ତ୍ରଣ କରୁଛି । ୨୦୦୯ ମସିହା ପରେ ଚୋରା ଖଣିଜ ଖନନକୁ ରାଜ୍ୟ ସରକାର ରୋକିବାରେ କିଛିକାଂଶରେ ସମର୍ଥ ହୋଇଥିଲେ, ଲକ୍ଷ ଲକ୍ଷ ମେଟ୍ରିକ ଟନ ଲୁହା ପଥର ତତ୍କାଳୀନ ଚୋରା ଖଣି ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଜବତ କରିଥିଲେ ଓ ବିଭିନ୍ନ ରେଳ ସାଇଡିଂ ଓ ଘରୋଇ ହତାରେ ରଖାଯାଇ ସଂପୃକ୍ତ କ୍ରସର କମ୍ପାନୀ ଓ ରେଳବାଇ ପୋଲିସର ଉପସ୍ଥିତ ହେତୁ ରେଳ ସାଇଡିଂରେ ଏହି ଜବତ ଖଣିଜକୁ ସୁରକ୍ଷା ଦୃଷ୍ଟିରୁ ରଖା ଯାଇଥିଲା । ହେଲେ ସରକାରୀ ଉଦାସୀନତା ହେତୁ ଏହି ଖଣିଜ ଏକଦଶନ୍ଧି ଧରି ସେଠାରେ ପଡି ରହିଥିଲା । ୨୦୨୦ ମସିହାରେ ବୃହତ ଖଣି ଗୁଡିକର ଲିଜ୍ ଅବଧି ସରିବା ପରେ ରାଜ୍ୟ ସରକାରଙ୍କ ନିଲାମ ପ୍ରକ୍ରିୟାରେ ଅଧିକ ପ୍ରିମିୟମ ଡାକ ଦେଇ ବଡବଡ କମ୍ପାନୀମାନେ ହାତେଇଲେ । ଖଣିଜ ବିକ୍ରି ମୂଲ୍ୟର ଶତକଡା ୧୦୦ ପ୍ରତିଶତରୁ ଅଧିକ ମୂଲ୍ୟ ପ୍ରିମିୟମ ଡାକ ଦେଇ ହାତେଇ ଥିବା ଖଣି ଲିଜ୍ ଧାରିମାନେ ବର୍ତମାନ ସେମାନଙ୍କର ଉତୋଳିତ ଖଣିଜକୁ ଅହେତୁକ ବୃଦ୍ଧି କରିଛନ୍ତି । ତେଣେ ଏଠାକାର ଖଣିଜ ଉପରେ ନିର୍ଭରଶୀଳ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟର ଇସ୍ପାତ ଶିଳ୍ପ ଗୁଡିକ ଅଧିକ ମୂଲ୍ୟ ଦେଇ କଂଚାମାଲ କ୍ରୟ କରିବା ଏବଂ ଏହାକୁ ପରିବହନ କରି ଲକ୍ଷ୍ୟସ୍ଥଳକୁ ନେବା ବ୍ୟୟ ବହୁଳ ସାପେକ୍ଷ ହେଉଥିବାରୁ କିଛି ଅସାଧୁ ଶିଳ୍ପ ଅନୁଷ୍ଠାନ ଗୁଡିକ ୨୦୦୯ ମସିହାରେ ଜବତ ହୋଇ ରେଳ ସାଇଡିଂରେ ପଡିଥିବା ଲକ୍ଷାଧିକ ମେଟ୍ରିକ ଟନ ଲୁହା ପଥର, ବିଭିନ୍ନ ବନ୍ଦ କ୍ରସରେ ପଡିଥିବା ଲୁହା ପଥର ଓ ବନ୍ଦଥିବା ଖଣି ଗୁଡିକରୁ ଲୁହା ପଥର ଚୋରି କରିବା ଆରମ୍ଭ କରି ଦେଇଛନ୍ତି । ଏହାର ଏକ ସଦ୍ୟତମ ଉଦାହରଣ ହେଲା ଗତ ତା ୨୪/୧୨/୨୦୨୦ ରିଖରେ ବନ ବିଭାଗ ପକ୍ଷରୁ ବୈତରଣୀ ରିଜର୍ଭ ଫରେଷ୍ଟରେ ଚଢାଉ କରାଯାଇ ଚୋରା ମାଙ୍ଗାନିଜ ପଥର ଜବତ କରାଯାଇଥିଲା । ଗତ ତା ୦୭/୦୧/୨୦୨୧ ରିଖରେ ଚମ୍ପୁଆ ରେଂଜ ଅନ୍ତର୍ଗତ ସିଦ୍ଧମଠ ସଂଗ୍ରହିତ ଜଙ୍ଗଲରୁ ବନ ବିଭାଗ ପ୍ରାୟ ୨୦ ମେଟ୍ରିକ ଟନ ଉନ୍ନତମାନର ଚୋରା ଗଚ୍ଛିତ ମାଙ୍ଗାନିଜ ଜବତ କରିଥିଲା । ଗତ ତା ୦୮/୦୧/୨୦୨୧ ରିଖରେ ଯୋଡା ଥାନା ଓ ଖଣିଜ ଯୁଗ୍ମ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଏକ ଖେଳ ପଡିଆ ନିକଟତ ଜଙ୍ଗଲ ଝାଳିରେ ଥିବା ପ୍ରାୟ ୧୦ ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ଉନ୍ନତମାନର ମାଙ୍ଗାନିଜ ଠାବ କରାଯାଇଥିଲା । ଗତ ତା ୧୨/୦୧/୨୦୨୧ ରିଖରେ ଯୋଡା ଖଣି ମଣ୍ଡଳସ୍ଥିତ ନୟାଗଡ ଜଙ୍ଗଲରୁ ପ୍ରାୟ ୩୫ ମେଟ୍ରିକ ଟନ ଲୁହା ପଥର ସହ ଟ୍ରକ ଜବତ ହୋଇଥିଲା । ତା ୨୪/୦୧/୨୦୨୧ ରିଖରେ ବଡବିଲ ଥାନା ଅନ୍ତର୍ଗତ ସେରେଣ୍ଡାଠାରେ ଖଣି ବିଭାଗ ଚଢାଉ କରି ୩୦ ମେଟ୍ରିକ ଟନ ଚୋରା ଲୁହା ପଥର ଜବତ କରିଥିଲା । ଗତ ତା ୨୭/୦୧/୨୦୨୧ ରିଖରେ ଯୋଡା ଖଣି ମଣ୍ଡଳର ବାଂଶପାଣି ପେଟ୍ରୋଲ ପମ୍ପ ପଛପଟେ ଥିବା ଏକ କ୍ରସର ନିକଟରୁ ପ୍ରାୟ ୫୦.୭୮୦ ମେଟ୍ରିକ ଟନ ଉନ୍ନତମାନର ଲୁହା ପଥର ବୋଝେଇ ହୋଇଥିବା ୨ଟି ଟ୍ରକକୁ ଜବତ କରିବା ସହ ଏଥିରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗତ ତା ୧୯/୦୨/୨୦୨୧ ରିଖରେ ବନ୍ଦ ଖଣି ଏଚ୍‌ଜି ପାଣ୍ଡିଆ ଖଣିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଲୁହା ପଥର ବୋଝେଇ ଟ୍ରକକୁ ବାମେବାରୀ ପୋଲିସ ଜବତ କରିଥିଲା । ସେହିପରି ଯୋଡା ଥାନା ଅନ୍ତର୍ଗତ ଅଶେଇଁକଳା ଅଂଚଳରେ ବନବିଭାଗ ଚଢାଉ କରାଯାଇ ୬ଗାଡି ସହ ଲକ୍ଷାଧିକ ଟଙ୍କାର ଲୁହା ପଥର ଜବତ କରାଯାଇଥିଲା । ଗତ ତା ୨୧/୦୨/୨୦୨୧ ରିଖରେ ଜରିବାହାଲସ୍ଥିତ କାଶିବି ଖଣିରୁ ଖଣିଜ ବୋଝେଇ କରି ଚମ୍ପଟ ମାରୁଥିବା ୨ଟି ଟ୍ରକ ଓ ଗୋଟିଏ ବୋଲେରକୁ ବାମେବାରୀ ପୋଲିସ ଜବତ କରିଥିଲା । ଗତ ତା ୧୪/୦୩/୨୦୨୧ ରିଖରେ ଚମ୍ପୁଆ ରେଂଜ ବାମେବାରୀ ସେକ୍ସନ ଅଧିନ ନୟାଗଡଠାରେ ବନ ବିଭାଗ ଚଢାଉ କରି ଲୁହା ପଥର ବୋଝେଇ ୩ ହାଇୱା ଟ୍ରକ ସହ ଗୋଟିଏ ଜେସିବି ମେସିନ ଜବତ କରିଥିଲା । ଗତ ତା ୨୬/୦୩/୨୦୨୧ ରିଖରେ ଯୋଡା ଥାନା ବାଂଶପାଣି ଛକ ନିକଟରୁ ଚୋରା ଲୁହା ପଥର ଗୁଣ୍ଡ ବୋଝେଇ ୪ ଟ୍ରେଲର ସହ ଗୋଟିଏ ଟ୍ରକକୁ ପୋଲିସ ଜବତ କରିବା ସହ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ଦ୍ୱାରା ବିକ୍ରି କର, ଖଣି ରାଜସ୍ୱ ଓ ଜିଏସଟି ପ୍ରଭୃତି ଟ୍ୟାକ୍ସ ଫାଙ୍କିବାରେ ଏହି ଅସାଧୁ ବ୍ୟବସାୟମାନେ ସମର୍ଥ ହେଲେ । ଅନ୍ୟ ପକ୍ଷରେ ବହୁ ଅର୍ଥ ପ୍ରିମିୟମ ବିନିମୟରେ ନିଲାମ ହାତେଇଥିବା କିଛି ଅସାଧୁ ଖଣି ଲିଜ୍ ଧାରିମାନେ ନିଜ ଖଣିଜର ଗ୍ରେଡ ହେରଫେର କରି ସରକାରଙ୍କ ଅଗୋଚରରେ ଖଣିଜ କ୍ରୟ କରୁଥିବା ଶିଳ୍ପାନୁଷ୍ଠାନ ଗୁଡିକ ସହ ଭିତିରି ବୁଝାମଣା କରି ନଗଦ ଟଙ୍କା ବିନିମୟରେ ହାଇଗ୍ରେଡ ଲୁହା ପଥର ପରିବହନ କରି ଲୋଗ୍ରେଡର ସରକାରୀ ଅନୁମଦନ ହାସଲ କରି ନିଲାମ ପ୍ରିମିୟମ ସହିତ ରାଜସ୍ୱ ଫାଙ୍କୁଥିବା ନଜର ମଧ୍ୟ ଖଣି ବିଭାଗ ତା ୨୩/୦୯/୨୦୨୦ ରିଖରେ ଜାଣିବାକୁ ପାଇଥିଲା । ଏହି ଘଟଣା ସମ୍ପର୍କରେ ଯୋଡା ଖଣି ଯୁଗ୍ମ ନିଦ୍ଦେର୍ଶକ ସଲିଲ କୁମାର ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚୋରା କାରବାରକୁ ରୋକିବା ପାଇଁ ଜଏଣ୍ଟ ଚେକିଂ ଆରମ୍ଭ ହୋଇଛି । ଏଥିରେ ଖଣି ବିଭାଗ, ବନ ବିଭାଗ ଓ ପୋଲିସ ପ୍ରଶାସନ ସାମିଲ ଅଛନ୍ତି । ଏତଦ୍ ବ୍ୟତୀତ ରେଳ ସାଇଡିଂ ଗୁଡିକରେ ଗଚ୍ଛିତ ଥିବା ଜବତ ଖଣିଜକୁ ରେଳବାଇ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ଓ ଚାଲୁଥିବା ଖଣି ଗୁଡିକରେ ଖଣିଜ ଷ୍ଟାକ ନିର୍ମାଣ କରାଯାଇ ଖଣିଜର ମାନ ହେରଫେର ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ତେବେ ସୂଚନା ଯୋଗ୍ୟ ଯେ, ଖଣି ଚୋରିକୁ ପ୍ରତିହତ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ଆଇଥ୍ରିଏମ୍‌ଏସ୍‌, ଜିପିଏସ୍ ସିଷ୍ଟମ୍‌, ଷ୍ଟେଟ୍ ଲେବୁଲ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ, ଡିଷ୍ଟିକ୍ ଲେବୁଲ୍ ଟାସ୍କ ଫୋର୍ସ ରାଜ୍ୟ ସରକାର ବହୁ ପୂର୍ବରୁ ପ୍ରଚଳନ ଓ ଗଠନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ