ବଡ଼ସିଂହାର ବେଶରେ ସଜ୍ଜିତ ହେଲେ ମାଆ ବଗଳାମୁଖୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ଉପକଣ୍ଠ ତାମୂଳିଆସ୍ଥିତ ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠର ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ମାଆ ବଗଳାଦେବୀଙ୍କ ଜନ୍ମୋତ୍ସବ ଏକ ଭକ୍ତିମୟ ପରିବେଶରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ସରକାରଙ୍କ ପକ୍ଷରୁ ଜାରି କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୀଠ ପକ୍ଷରୁ ଚଳିତ ବର୍ଷର ୩ଦିନିଆ ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛ । କେବଳ ପୀଠ ପରିସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀ ଓ ଅନ୍ୟ ଦେବାବେଦୀଙ୍କ ଅଭିଷେକ, ସ୍ୱତନ୍ତ୍ର ନୀତି ପୂଜା ସାଙ୍ଗକୁ ଯଜ୍ଞାଦିକର୍ମ ପ୍ରଭୃତି ଅନୁଷ୍ଠିତ ହେଉଛି । ଅନ୍ୟବର୍ଷ ଭଳି ସାମୂହିକ ଘଟୋତ୍ତଳନ ଓ କଳସ ଶୋଭାଯାତ୍ରକୁ ଚଳିତ ବର୍ଷ ବାତଲ କରାଯାଇଥିବା ପୀଠ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ ପର୍ଯ୍ୟାୟକ୍ରମରେ ପୀଠକୁ ଆସି ବ୍ରତୀ ଭାବେ ସଂକଳ୍ପିତ ହୋଇ ନିଜ ନିଜ ଘଟ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ଅନ୍ୟପକ୍ଷରେ ମୁଖ୍ୟ ସଂକଳ୍ପୀମାନେ ସରସ୍ୱତୀପୁର ଗାଁ ପୁଷ୍କରିଣୀରୁ ଘଟ ଉତ୍ତୋଳନ ସହ ମନ୍ଦିରକୁ ଫେରିଥିବା ଲକ୍ଷ୍ୟ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣମାନେ ଏହି ଉତ୍ସବରେ ଯୋଗଦେଇଛନ୍ତି । ଉତ୍ସବରେ ସକାଳଠାରୁ ସଂଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କର୍ମକାଣ୍ଡରେ ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ମନ୍ଦିରରୁ ମା’ଙ୍କ ଯଜ୍ଞମଣ୍ଡପକୁ ଆଗମନ, ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ସହ ସଂନ୍ଧ୍ୟାରେ ପୁନର୍ବାର ଶ୍ରୀମନ୍ଦିର ବେଦୀକୁ ମା ପ୍ରତ୍ୟାବର୍ତନ ପ୍ରଭୃତି ସମ୍ପନ୍ନ୍‍ ହୋଇଛି । ଏହି ଅବସରରେ ମା’ ବଗଳାମୁଖୀଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ମା’ଙ୍କର ଏହି ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ବିମୋହିତ ହୋଇଥିଲେ । ଶନିବାର ଓ ରବିବାର ଦୁଇଦିନ ବ୍ୟାପୀ ମା’ଙ୍କୁ ବିଶେଷ ନୀତିରେ ପୂଜାର୍ଚ୍ଚନା କରାଯିବା ସହ ଶେଷଦିନ ମହାମୃତ୍ୟୁଞ୍ଜୟଙ୍କର ଜଳାଭିଷେକ, ଦୁଗ୍ଧାଭିଷେକ, ଦଧ୍ୟାଭିଷେକ, ଘୃତ୍ୟାଭିଷେକ, ଶର୍କରାଭିଷେକ ସମେତ ହରିଦ୍ରାଭିଷେକ, କୁଙ୍କୁମାଭିଷେକ ପରେ ରାଜବେଶ କରାଯିବ ବୋଲି ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜ କହିଛନ୍ତି । ତେବେ ରବିବାର ରଟନ୍ତୀ ଚତୁର୍ଦ୍ଦଶୀ ତିଥିରେ ମା’ ବଗଳାମୁଖୀଙ୍କ ଜନ୍ମଦିବସ ପାଳନ ହେବ । ଏହି ଅବସରରେ ମହାଯଜ୍ଞର ପୂର୍ଣ୍ଣାହୂତି ଅବ୍ୟବହିତ ପୂର୍ବରୁ ମା’ଙ୍କ ନିକଟରେ ୧୦୦୮ ପ୍ରକାର ବ୍ୟଞ୍ଜନ ସମ୍ବଳିତ ପ୍ରସାଦ ଲାଗି ହେବାର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ