ନଳକୂପକୁ ଲାଗି ଅବାଧ ଶୌଚାଳ ନିର୍ମାଣ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସମଦର ମହକୁମା ପାରଳାଖେମୁଣ୍ଡି ପରିଷଦ ଅନ୍ତର୍ଗତ ୱାର୍ଡ ନଂ.୩ ଅନ୍ତର୍ଗତ ହାଟପଦା ଛକ ନିକଟସ୍ଥ ମୁଖ୍ୟରାସ୍ତାରେ ଥିବା ଏକ ନଳକୂପକୁ ଲାଗି ଶୌଚାଳୟ ନିର୍ମାଣ ହୋଇଥିବାର ଦେଖିବାକୁ ମିଳୁଥିବା ବେଳେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଅଛି । ଅଞ୍ଚଳବାସୀ ଜଣାଇଛନ୍ତି ଯେ, ନଳକୂପର ଅତିପାଶ୍ୱର୍ରେ ନିର୍ମିତ ହୋଇଥିବା ଏହି ଶୌଚାଳୟ ସ୍ଥାନଟି ପୌରପରିଷଦର ସ୍ଥାନ ଅଟେ । ଏହାକୁ ଜବରଦଖଲ କରାଯାଇଛି । ଜବରଦଖଲକାରୀ ଜଣକ ଉକ୍ତ ସ୍ଥାନକୁ ନିଜ କବଜାରେ ନେଇ ପୁଣି ସେଠାରେ ଶୌଚାଳୟ ନିର୍ମାଣ କରିବା, ତାହା ବି ପୁଣି ପୌରପରିଷଦ ଦ୍ୱାରା ଶୌଚାଳୟ କରିବା ପାଇଁ ଅନୁମତି ଦେବା ଓ ନିର୍ମାଣ କରିବା ଆଦିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସାଧାରଣତଃ ଯଦି ଜବରଦଖଲ ସ୍ଥାନ ହୋଇଥାଏ ତେବେ ପୌରପରିଷଦ ତରଫରୁ ହଟାଇ ଦିଆଯାଉଛି । ସହରରେ ଏପରିକି ବର୍ଷ ବର୍ଷ ଧରି ରହିଥିବା ଜବରଦଖଲକୁ ହଟାଇ ଦିଆଯାଇଥିବାର ବହୁ ନଜିର ରହିଛି । ହେଲେ ଏପରି ଏକ ମୁଖ୍ୟ ରାସ୍ତାରେ ଜଣେ ଜବରଦଖଲକାରୀଙ୍କୁ କିପରି ଅନୁକମ୍ପା ଦେଖାଇଛି ପୌରପରିଷଦ ତାହାକୁ ନେଇ ଆଲୋଚନା ହେଉଥିବା ବେଳେ ସର୍ବସାଧାରଣଙ୍କ ପାଇଁ ବ୍ୟବହୃତ ହେଉଥିବା ନଳକୂପ ପାଖରେ ଏପରି ଅବାଧ ଶୌଚାଳୟ ନିର୍ମାଣକୁ ନେଇ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ଯେ, ଏହି ଅଞ୍ଚଳରେ ଜଳ ସମସ୍ୟା ଲାଗି ରହିଥିବାରୁ ଉକ୍ତ ନଳକୂପଟି ଉପରେ ଦୈନିକ ଶତାଧିକ ଲୋକେ ନିର୍ଭର କରିଥାନ୍ତି । ଏପରି ଶୌଚାଳ ନିର୍ମାଣ ହୋଇଥିବା ଯୋଗୁଁ ଶୌଚାଳର ଧୂଷିତ ଜଳ ଭୂ-ସ୍ଥରରେ ଏହି ନଳକୂପ ଜଳରାଶିରେ ମିଶିବାର ବହୁ ସମ୍ଭାବନା ରହିଛି । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଅଞ୍ଚଳବାସୀ ପୌର ପ୍ରଶାସନକୁ ନିବେଦନ କରିଛନ୍ତି ।


