ବିବାହ ବିଚ୍ଛେଦ ମାମଲାରେ ସ୍ୱାମୀଙ୍କୁ ଜେରା ପରେ ବିଷ ପିଇଲେ ମହିଳା ଓକିଲ

ବାଲେଶ୍ୱର, (ସରୋଜ ପଣ୍ଡା) :-ପରିବାର ଅଦାଲତରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାର ସ୍ୱାମୀଙ୍କୁ ଜେରା ପରେ ମହିଳା ଓକିଲ ବିଷ ପିଇବା ଘଟଣା ବାଲେଶ୍ୱରରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଷ ପିଇ ଗୁରୁତର ଥିବା ମହିଳା ଓକିଲଙ୍କୁ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନାନୁସାରେ ପତି-ପତ୍ନୀ କରଞ୍ଜିଆ ଅଞ୍ଚଳର ରାଜଶ୍ରୀ ବାରିକ ଏବଂ ସରସ୍ୱତୀପୁର ଅଞ୍ଚଳର ସନତାନ ବାରିକଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ୨୦୧୦ ମସିହାରୁ ପରିବାର ଅଦାଲତରେ ଏକାଧିକ ମାମଲା ଏବେ ବିଚାରଧୀନ ରହିଛି । ତେବେ ସ୍ୱାମୀ ସନାତନଙ୍କ ପକ୍ଷରୁ ରୁଜୁ ବିବାହ ବିଚ୍ଛେଦ ମାମଲାରେ ବୁଧବାର ସାକ୍ଷୀ ଜେରା ପାଇଁ ତାରିଖ ଥିଲା । ଇତିମଧ୍ୟରେ ରାଜଶ୍ରୀ ଓକିଲାତି ପାସ ସହ ପ୍ରାକ୍ଟିସ ଜାରି ରଖିଥିଲେ ବି ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା ଜେରା କରିଥା’ନ୍ତେ । ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ଶ୍ରୀ ପରିଡ଼ା ନ ପହଞ୍ଚିବା ଯୋଗୁଁ ପରିବାର ଅଦାଲତ ଜଜଙ୍କ ଅନୁମତି କ୍ରମେ ରାଜଶ୍ରୀ ନିଜେ ସ୍ୱାମୀ ସନାତନଙ୍କୁ ଜେରା କରିଥିଲେ । ଦୀର୍ଘ ସମୟର ଜେରା ପରେ ରାଜଶ୍ରୀ କୋର୍ଟ ବାହାରକୁ ଚାଲିଯାଇଥିଲେ । ପ୍ରାୟ ଅଧଘଣ୍ଟା ପରେ ପୁଣି କୋର୍ଟକୁ ଫେରିଆସି ଅନ୍ୟାନ୍ୟ ସକିଲଙ୍କ ସହ ଚେୟାରରେ ବସିବା ଅବସ୍ଥାରେ ବ୍ୟାଗରୁ ବିଷ ବାହାର କରି ସେ ପିଇ ଦେଇଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ସେ ବିଷ ପିଇଥିବା ଜାଣି ସହଯୋଗୀ ଓକିଲଙ୍କ ସମେତ କୋର୍ଟ ପରିସରରେ ଥିବା ଲୋକେ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ଚିକିତ୍ସା ଆରମ୍ଭ ପରେ ରାଜଶ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ