ପ୍ରାଚୀ ନଦୀ ର ସୁରକ୍ଷା ପାଇଁ ଆଲୋଚନାଚକ୍ର
ନିମାପଡା, (ସନ୍ତୋଷ ଦାଶ) :-ପୁଣ୍ୟତୋୟା ପ୍ରାଚୀ ନଦୀ ଆଜି ତାର ସତ୍ତା ହରାଇବାକୁ ବସିଛି । ଅତୀତ ରେ ସୁନାବ୍ୟା ଥିବା ପ୍ରାଚୀ ଏବେ ଶୁଖିଲା ପଡ଼ିଛି । ବର୍ଷା ଋତୁ ରେ ନଦୀ ସାରା କଟକିଦଳ ଭର୍ତ୍ତି ହୋଇ ଯାଉଛି । କେତେକ ଅସାଧୁ ବ୍ୟକ୍ତି ନଦୀ ଶଯ୍ୟା କୁ ଜବରଦଖଲ କରି ଗୃହ ନିର୍ମାଣ କରିଛନ୍ତି ଓ କେତେକ ସ୍ଥାନ ରେ କିଛି ହୋଟେଲ, ଜଳଖିଆ ଦୋକାନୀ ସେମାନଙ୍କ ଦୋକାନ ର ମଇଳା ଆବର୍ଜନା ପାଣି କୁ ନଦୀ କୁ ଛାଡୁଛନ୍ତି । କିଛି ବ୍ୟକ୍ତି ମୃତ ପଶୁ ଙ୍କ ମୃତଦେହ କୁ ନଦୀ ଜଳ ରେ ଭସାଇ ଦେଉଛନ୍ତି । ଫଳ ରେ ପୁଣ୍ୟତୋୟା ପ୍ରାଚୀ ନଦୀ ଜଳ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ଏହି ସବୁ ସମସ୍ୟା କୁ କିପରି ଦୂର କରାଯାଇ ପାରିବ ସେ ଦିଗରେ ଆଜି ଏକ ଆଲୋଚନାଚକ୍ର ପୁରୀ ଜିଲ୍ଲା କାକଟପୁର ସ୍ଥିତ ରାମକୃଷ୍ଣ ଶିଶୁ ମନ୍ଦିର ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରାଚୀ ସୁରକ୍ଷା ସମିତି, ପ୍ରାଚୀ ପ୍ରଜ୍ଞା ପରିଷଦ, ପ୍ରାଚୀ ସାଂସ୍କୃତିକ କମିଟି ର ମିଳିତଆୟୋଜନ ରେ ଅନୁଷ୍ଠିତ ଉକ୍ତ ଆଲୋଚନାଚକ୍ର ରେ ପଣ୍ଡିତ ତ୍ରିଲୋଚନ ମିଶ୍ର, ପ୍ରାଚୀ ଗବେଷକ ହଂସନାଥ ସାହୁ, ପୂର୍ବତନ ପ୍ରଶାସନିକ ଅଧିକାରୀ ଜଗବନ୍ଧୁ ଷଡ଼ଙ୍ଗୀ, ସାମ୍ୱାଦିକ ସଞ୍ଜୟ ପତି, ଅଶ୍ଵିନୀ ମହାପାତ୍ର ପ୍ରମୁଖ ଯୋଗଦାନ କରି କିପରି ପ୍ରାଚୀ ନଦୀ କୁ ସୁରକ୍ଷା ଦିଆ ଯାଇପାରିବ ଓ ପୁନଃ ଚିରଶ୍ରୋତା କରାଯାଇପାରିବ ସେ ଦିଗରେ ନିଜ ନିଜ ର ମତ ପ୍ରକାଶ କରିଥିଲେ । ଖୁବ ଶୀଘ୍ର ଏ ସଂପର୍କ ରେ ରାଜ୍ୟ ସରକାର ଙ୍କ ନିକଟକୁ ଏକ ଦାବି ପତ୍ର ପ୍ରେରଣ କରାଯିବାକୁ ବୈଠକ ରେ ନିଷ୍ପତ୍ତି ହୋଇଥିଲା। ଆଜି ଆଲୋଚନା ଚକ୍ର କୁ ପ୍ରାଚୀ ସୁରକ୍ଷା ସମିତି ର ସଭାପତି ସ୍ଵପ୍ନେଶ୍ୱର ସାହୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ର ରେ ସ୍ଥାନୀୟ ବହୁ ବୁଦ୍ଧିଜୀବି,ସାମ୍ୱାଦିକ,ସାମାଜିକ କର୍ମୀ ପ୍ରାଚୀ ପ୍ରେମୀ ଯୋଗଦାନ କରି ଥିଲେ ।


