ସ୍ୱାଧୀନତା ଦିବସ ଅବସରରେ ବ୍ଳକସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ନାଉଗାଁ ବ୍ଳକସ୍ଥିତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ବ୍ଳକସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତ ଓ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରବନ୍ଧ, କୁଇଜ ଓ ଦେଶାତ୍ମକବୋଧକ ସଙ୍ଗୀତ କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୮୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ନବମ ଓ ଦଶମ ଶ୍ରେଣୀକୁ ନେଇ ଗଠିତ ବରିଷ୍ଠ ବିଭାଗର ପ୍ରବନ୍ଧରେ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ପ୍ରତୀକ୍ଷା ମହାନ୍ତି, ଦେଶାତ୍ମକବୋଧକ ସଙ୍ଗୀତରେ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ସାସ୍ୱତୀ ପରିଡା, କୁଇଜରେ କଂଟୁଣିଆ ଉଚ୍ଚ ବିଦ୍ୟାଳୟର କୃଷ୍ଣ ଅର୍ପିତା ସ୍ୱାଇଁ ଓ ଷଷ୍ଟରୁ ଅଷ୍ଟମ ଶ୍ରେଣୀକୁ ନେଇ ଗଠିତ କନିଷ୍ଠ ବିଭାଗର ପ୍ରବନ୍ଧରେ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ସ୍ୱୟଂ ଶ୍ରୀୟା ସେନାପତି, କୁଇଜରେ ପାୟଲ ବିଶ୍ୱାଳ, ଦେଶାତ୍ମକବୋଧକ ସଙ୍ଗୀତରେ ବଛାଳୋସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୃଷ୍ଟିରାଜ ରାଉତ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ବସନ୍ତ କୁମାର ଦାସ, ହିଂମାଶୁ କୁମାର ମହାନ୍ତି, ବୁଲାକି ସେଠୀ, ସୁଶ୍ରୀ ସଂଗୀତା ସ୍ୱାଇଁ, ସନ୍ତୋଷ କୁମାର ପରିଡା, କୃଷ୍ଣ ବଲ୍ଲଭ ବେହେରା ପ୍ରମୁଖ ଦାୟିତ୍ୱ ତୁଲାଉଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ରାଉତ ଓ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


