ସ୍ୱର୍ଗତ ଫାର୍ମାସିଷ୍ଟ୍ ଯଜ୍ଞସେନ୍ ସୁବୁଦ୍ଧିଙ୍କ ସ୍ମୃତିସଭା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କିଛି ଦିନ ତଳେ ହୃଦଘାତରେ ମୃତ୍ୟୁବରଣ କରିଥିବା ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜନପ୍ରିୟ ଫାର୍ମାସିଷ୍ଟ୍ ସ୍ଵର୍ଗତ ଯଜ୍ଞସେନ୍ ସୁବୁଦ୍ଧିଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି I ଗୋବରା ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଗାଙ୍ଗପୁର ସରପଞ୍ଚ ବାସନ୍ତୀ ଡାକୁଆ, ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରାମହରି ପଣ୍ଡା,ବିପିଏମ୍ ଦୂର୍ଗାପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ସୁବୁଦ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ନିଃସ୍ଵାର୍ଥ ରୋଗୀ ସେବା ବିଷୟରେ ଆଲୋଚନା କରିଥିଲେ I ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ଷଡ଼ଙ୍ଗୀ ସ୍ଵର୍ଗତ ଫାର୍ମାସିଷ୍ଟ୍ ସେବା ଏବଂ କର୍ତ୍ତବ୍ୟର ଏକ ପ୍ରତିମୂର୍ତ୍ତୀ ଥିଲେ ବୋଲି ପ୍ରକାଶ କରିଥିଲେ I ପ୍ରକାଶ ଥାଉକି ସ୍ଵର୍ଗତ ଫାର୍ମାସିଷ୍ଟ୍ ସୁବୁଦ୍ଧି ସାର୍ ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ I ସେ ଗାଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୨୨/୨୩ ବର୍ଷ ଧରି କାର୍ଯ୍ୟ କରିବା ସମୟରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକାଂଶ ସମୟରେ ଡ଼ାକ୍ତର ସମସ୍ୟା ଲାଗି ରହୁଥିଲେ ମଧ୍ୟ ସେ ରୋଗୀଙ୍କୁ ଡ଼ାକ୍ତର ଅନୁପସ୍ଥିତି ଅନୁଭବ କରିବାକୁ ଦେଉନଥିଲେ I ନିଜର ଅଭିଜ୍ଞତା ବଳରେ ଡ଼ାକ୍ତରଙ୍କ ଅନୁପସ୍ଥିତିରେ ସେ ଦୈନିକ୧୦୦/୧୫୦ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଥିଲେ I ମେଡିକାଲ୍ ପରିସରରେ ୨୪ ଘଣ୍ଟା ଉପସ୍ଥିତ ରହି ରୋଗୀଙ୍କୁ ସେବା ଯୋଗାଇଦେବା ସହ ଦୈନିକ କିଛି ସମୟ ବାହାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିପାରୁନଥିବା ଛୋଟ ଶିଶୁ, ଦିବ୍ୟାଙ୍ଗ ଏବଂ ବୃଦ୍ଧବୃଦ୍ଧାଙ୍କ ଘରକୁ ଯାଇ ମଧ୍ୟ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିଲେ I କିନ୍ତୁ ଫାର୍ମାସିଷ୍ଟ୍ ସୁବୁଦ୍ଧିଙ୍କ ଅକାଳ ବିୟୋଗ ଗାଙ୍ଗପୁର ସମେତ ନିକଟସ୍ଥ ଖଇରପୁଟି,କ୍ଷତ୍ରିୟବରପୁର ମୁନିଗାଡ଼ି,ଝାଡ଼ବନ୍ଧ ପଞ୍ଚାୟତର ୨୫ ରୁ ୩୦ ଗ୍ରାମର ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି I ଏଠାରେ ପୂର୍ବରୁ ଆୟୂଷ ଡ଼ାକ୍ତର ପାଣ୍ଡବ ସ୍ଵାଇଁ କାର୍ଯ୍ୟରତ ଥିବା ବେଳେ ଫାର୍ମାସିଷ୍ଟ୍ ସୁବୁଦ୍ଧିଙ୍କ ଦେହାନ୍ତ ପରେ ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ଡ଼େପୁଟେସନ୍ ରେ ଜଣେ ଫାର୍ମାସିଷ୍ଟ୍ ଙ୍କୁ ଅବସ୍ଥାପିତ କରାଯାଇଛି I ସେହିପରି ଅନ୍ୟ ଜଣେ ଏମବିବିଏସ୍ ମହିଳା ଡାକ୍ତର ମଧ୍ୟ ନୂତନ ଭାବେ ନିଯୁକ୍ତି ପାଇଥିବା ସୂଚନା ମିଳିଛି I କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଥିବା ବେଳେ ଉପରୋକ୍ତ କର୍ମଚାରୀ ମାନେ୨୪ ଘଣ୍ଟିଆ ସେବା ଯୋଗାଇବା ଅସମ୍ଭବ ହୋଇପଡିଛି I ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଡ଼ାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ଥିବା ପ୍ରକୋଷ୍ଠ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଯୋଗୁଁ ଏଠାରେ କାର୍ଯ୍ୟରୁଥିବା କର୍ମଚାରୀ ରହି ପାରୁନାହାଁନ୍ତି I ଏହାର ପ୍ରଭାବ ପଡ଼ୁଛି ଅଞ୍ଚଳର ହଜାର ହଜାର ରୋଗୀଙ୍କ ସ୍ଵାସ୍ଥ୍ୟ ଉପରେ I ବିଶେଷ କରି ଏବେ ଲଗାଣ ବର୍ଷା ଲାଗିରହିଥିବା ବେଳେ ପ୍ରତିଦିନ ଏହି ବର୍ଷାରେ ଅଞ୍ଚଳର ଶହ ଶହ ଚାଷୀ ବର୍ଷାରେ ଭିଜି ଚାଷ କାମ କରି ଥଣ୍ଡା ଜ୍ଵରରେ ଆକ୍ରାନ୍ତ ହେଉଛନ୍ତି I ସେମାନେ ସନ୍ଧ୍ୟା ସମୟରେ କ୍ଷେତରୁ ଫେରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ସ୍ଥାୟୀ ଡ଼ାକ୍ତର କିମ୍ବା ଫାର୍ମାସିଷ୍ଟକୁ ନପାଇ ବାଧ୍ୟ ହୋଇ ଅଟୋ ଭଡ଼ା କରି ଗୋବରା କିମ୍ବା ଭଞ୍ଜନଗର ଯାଉଛନ୍ତି I ଯାହାଫଳରେ ଅଞ୍ଚଳର ଗରୀବ ଏବଂ ଚାଷୀ ମାନେ ଉଭୟ ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେଉଛନ୍ତି I ଡ଼ାକ୍ତରଖାନାଟି ମୁଖ୍ୟ ସଡ଼କ ପାର୍ଶ୍ଵରେ ଥିବା ବେଳେ ପ୍ରତିଦିନ ଛୋଟବଡ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନେ ଏଠାରେ ପ୍ରାଥମିକ ଚିକିତ୍ସା ପାଇବା ପରେ ଭଞ୍ଜନଗର କିମ୍ବା ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେଉଥିଲେ I କିନ୍ତୁ ଫାର୍ମାସିଷ୍ଟ୍ ସ୍ଵର୍ଗତ ସୁବୁଦ୍ଧିଙ୍କ ପରେ ଦୂର୍ଘଟଣାଗ୍ରସ୍ତ ବ୍ୟକ୍ତିମାନେ ବହୁ ସମୟରେ ବିଶେଷ କରି ସନ୍ଧ୍ୟା ସମୟରେ ଏଠାରେ ପ୍ରାଥମିକ ଚିକିତ୍ସା ନପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିପଜ୍ଜନକ ଭାବେ ଗୋବରା ଏବଂ ଭଞ୍ଜନଗର ଯାଉଛନ୍ତି I ସେହିପରି ଘରେ ରହି ଫାର୍ମାସିଷ୍ଟ ସୁବୁଦ୍ଧିଙ୍କ ଠାରୁ ଚିକିତ୍ସା ପାଉଥିବା ବୃଦ୍ଧବୃଦ୍ଧା,ଶିଶୁ, ଦିବ୍ୟାଙ୍ଗ ରୋଗୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି I ଏଣୁ ସ୍ୱାସ୍ଥ୍ୟକେନ୍ଦ୍ରରେ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିବା ସ୍ଥାୟୀ ଡ଼ାକ୍ତର, ସ୍ଥାୟୀ ଫାର୍ମାସିଷ୍ଟ ନିଯୁକ୍ତି ସହ ସେମାନଙ୍କ ରହିବା ପାଇଁ ସରକାରୀ ପ୍ରକୋଷ୍ଠ ଗୁଡ଼ିକର ପୁନଃନିର୍ମାଣ କରିବାକୁ ଉଭୟ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟସରକାରଙ୍କୁ ଜଣାଇବ ପାଇଁ ସ୍ମୃତିସଭାରେ ଉପସ୍ଥିତ ବୁଦ୍ଧିଜୀବି, ରୋଗୀକଲ୍ୟାଣ ସମିତି ସଦସ୍ୟ ଏବଂ ଗ୍ରାମବାସୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଷଡଙ୍ଗୀଙ୍କୁ ଅନୁରୋଧ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ ମାନେ ପରିଚାଳିତ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ