୧୩ରୁ ବାଲେଶ୍ୱରରେ ଅହିଂସା ରଥ ପରିକ୍ରମା ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଗତ ଅଗଷ୍ଟ ୧୫ ତାରିଖରୁ ଓଡ଼ିଶାରେ ଅହିଂସା ରଥ ପରିକ୍ରମା କରୁଛି । ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ ଏହି ରଥ ପରିକ୍ରମା ଜାରି ରହିବ ବୋଲି ସୂଚନା ଦିଆଯଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନହ ସ୍ମୃତି ଉଜ୍ଜୀବିତ କରିବା ଓ ଗାନ୍ଧୀବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ମୟୂରଭଞ୍ଜ ଜିଲାରୁ ଆସୁଥିବା ୨ ଗୋଟି ରଥକୁ ସ୍ୱାଗତ କରାଯିବ । ପ୍ରତିରଥ ୬ ଗୋଟି ଲେଖାଏଁ ବ୍ଳକ ପରିକ୍ରମା କରିବ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ଦେଶାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ରଥକୁ ସ୍ୱାଗତ ସହ ବ୍ଲକୱାରୀ ପରିକ୍ରମା କରିବ । ପ୍ରତ୍ୟେକ ବ୍ଲକର ବିଡିଓଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ୪ ଦିନ ପରିକ୍ରମା ସହ ୧୬ ତାରିଖରେ ଏହି ଦୁଇ ଅହିଂସା ରଥ ଭଦ୍ରକ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯିବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲାବାସୀଙ୍କ ଦେଶାତ୍ମବୋଧତାକୁ ଉଜ୍ଜୀବିତ ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।


