ରାଜ୍ୟସ୍ତରୀୟ ବଲ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବଲ ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲରେ ୩୦ତମ ରାଜ୍ୟସ୍ତରୀୟ ସିନିୟର ବଲ ବ୍ୟାଡ଼ମିଣ୍ଟନ ଚମ୍ପିଆନ୍‌ସିପ୍ ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ଅଲମ୍ପିକ ଆସୋସିଏସନର ସମ୍ପାଦକ ଅଧିପ ଦାସ ଏହି ପ୍ରତିଯୋଗିତାକୁ ଉଦଘାଟନ ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବଲ ବ୍ୟାଡ଼ମିଣ୍ଟନ ଖେଳକୁ ପ୍ରୋତ୍ସାହନ ପାଇଁ ଜିଲ୍ଲା କ୍ରୀଡ଼ା ସଂଘ ସବୁ ପ୍ରକାର ସହଯୋଗ କରିବ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତିି ଦେଇଥିଲେ । ଯୁବ ଶିଳ୍ପଦ୍ୟୋଗୀ ସଂଗ୍ରାମ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୟ-ପରାଜୟକୁ ଗୁରୁତ୍ୱ ନ ଦେଇ ସର୍ବଦା ଖେଳୁଆଡ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତିଯୋଗିତା ପ୍ରତିଭା ବିକାଶ ପାଇଁ ସୁଯୋଗ ହୋଇଥିବା ବେଳେ ଏଥିରେ ଭାଇଚାରା ବଜାୟ ରହିବା ଏକାନ୍ତ ଆବଶ୍ୟକ ବୋଲିି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ମାନସ କୁମାର ଦତ୍ତ, ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂର ଅଧ୍ୟକ୍ଷ ଡ. ଯଶୋବନ୍ତ କୁମାର ମହାନ୍ତି, ଓଡ଼ିଶା ବଲ ବ୍ୟାଡ଼ମିଣ୍ଟନ ଆସୋସିଏସନର ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବାଲେଶ୍ୱର ଜିଲ୍ଲା ବଲ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରଜନୀକାନ୍ତ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ବଲ ବ୍ୟାଡ଼ମିଣ୍ଟନ ଆସୋସିଏସନର ଯୁଗ୍ମ ସମ୍ପାଦକ ଚନ୍ଦନ କୁମାର ଦାସ ପରିଚାଳନା କରିଥିବା ବେଳେ ଅନ୍ୟତମ ଯୁଗ୍ମ ସମ୍ପାଦକ ପ୍ରକାଶ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।ଏହି ଅବସରରେ ୨୨ ଜିଲ୍ଲାରୁ ଆସିଥିବା ଖେଳାଳିମାନେ ମାର୍ଚ୍ଚପାଷ୍ଟରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନରେ ମୋଟ ୨୨ଟି ମ୍ୟାଚ ଖେଳାଯାଇଥିଲା । ନ୍ୟାସନାଲ ରେଫେରୀ ଫାଗୁରାମ ମାରାଣ୍ଡି, ବିଶ୍ୱଜିତ ପଣ୍ଡା, ଅଜୟ କୁମାର ସାହୁ, ଲିଙ୍ଗରାଜ ପୃଷ୍ଟି, ହେମନ୍ତ କୁମାର ସାହୁ, ଏସଡି ରେହେମାନ, ସୁରସେନ ବେହେରା, ନିଗମ ମୁଖୀ, ମୀନତି ବାରିକ ପ୍ରମୁଖ ମ୍ୟାଚଗୁଡ଼ିକୁ ପରିଚାଳନା କରିଥିଲେ । ୨୦ ତାରିଖ ଦିନ ଉଭୟ ପୁରୁଷ ଓ ମହିଳା ବର୍ଗର ଫାଇନାଲ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ୍ ପରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସମ୍ପାଦକ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାରୁ ମନୋନୀତ ୧୦ଜଣ ପୁରୁଷ ଓ ୧୦ଜଣ ମହିଳା ଖେଳାଳି ଆସନ୍ତା ଡିସେମ୍ବର ୨୫ରୁ କେରଳର କୋଟ୍ଟାୟାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚମ୍ପିଆନ୍‌ସିପ୍‌ରେ ଅଂଶଗ୍ରହଣ କରିବେ ବୋଲି ବାଲେଶ୍ୱର ଜିଲ୍ଲା ବଲ ବ୍ୟାଡମିଂଟନ ଆସୋସିଏସନ ପକ୍ଷରୁ କୁହାଯାଇଛି । ଏହି ଚମ୍ପିଆନ୍‌ସିପ୍‌ରେ ରାଜ୍ୟସ୍ତରୀୟ ରେଫେରୀ ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ