ଇନଟାକ ବାଲେଶ୍ୱର ଚାପ୍‍ଟାର ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ

ବାଲେଶ୍ୱର, (ସରୋଜ ପଣ୍ଡା):ଇନଟାକ ବାଲେଶ୍ୱର ଚାପ୍ଟାର ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ସ୍ଥାନୀୟ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଉଦଘାଟନ କରିବା ସହିତ ସଂସ୍କୃତ,ଐତିହ୍ୟ ଓ ପରମ୍ପରାକୁ କେହି ଭୁଲିଯିବା ଉଚିତ ନୁହେଁ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ଐତିହ୍ୟର ସୁରକ୍ଷା ପାଇଁ ଇନଟାକର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ତେବେ ଐତିହ୍ୟ ତଥା ପ୍ରଚୀନ କୀର୍ତ୍ତିରାଜିକୁ ସଂରକ୍ଷିତ ରଖିବା ପାଇଁ ସବୁ ମହଲରୁ ପ୍ରୟାସ କରାଯିବା ଉଚିତ ବୋଲି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ଇନଟାକ ବାଲେଶ୍ୱର ଚାପ୍ଟାରର ଅତିରିକ୍ତ କୋ-କନ୍‌ଭେନର୍ ଅର୍ଚ୍ଚନା ନନ୍ଦୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କ ଚିତ୍ରଗୁଡ଼ିକର ପ୍ରଶଂସା କରିଥିଲେ । ସେମାନଙ୍କ ଭିତରେ ଐତିହ୍ୟ ଓ ପରମ୍ପରା ରକ୍ଷା ପାଇଁ ଇନ୍‌ଟାକ୍ ଚାପ୍‌ଟାର ମାଧ୍ୟମରେ ଏକ ଛୋଟ ଉଦ୍ୟମ କରାଯାଇଛି ବୋଲି ସେ କହିଥିଲେ । ତେବେ ଆଗାମୀ ଦିନରେ ପିଲାମାନଙ୍କ ଭିତରେ ଇନ୍‌ଟାକ୍ ପକ୍ଷରୁ ହେରିଟେଜ୍ କ୍ଲବ ଗଠନର ଯୋଜନା ଅଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ପିଲାମାନଙ୍କୁ ଶପଥ ପାଠ କରାଇଥିଲେ । ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ଜେନା ଏଥିରେ ଯୋଗଦେଇ ଭଲ ମଣିଷ ହୋଇ ବିଦ୍ୟାଳୟର ସୁନାମ ସାଙ୍ଗକୁ ଆମ ଐତିହ୍ୟର ରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍କୁଲ୍‌ର ଛାତ୍ରୀ ପ୍ରିୟଙ୍କା ନାୟକ, ଗୁଞ୍ଜନ ମାଝୀ, ପ୍ରଭାତୀ ପରିଡ଼ା, ଆୟୁଷ୍ମତୀ ଆଚାର୍ଯ୍ୟ, ଶ୍ରୀୟାଶ୍ରୀ ପାତ୍ର, ରୋଜାଲି ମଲ୍ଲିକ୍ ଓ ଗାୟତ୍ରୀ ପାଢ଼ୀ ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରଭା ମିଶ୍ର, ଗାୟତ୍ରୀରାଣୀ ଦାସ, ଲିଜା ଦ୍ୱିବେଦୀ, ବନଜା ମିଶ୍ର, ମାଳତୀ ପଣ୍ଡା, ମମତା ନାୟକ, ମୋନାଲିସା ନାୟକଙ୍କ ସମେତ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ୭ମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଇନ୍‌ଟାକ୍‌ର ବାର୍ଷିକ ଅଧିବେଶନରେ ପୁରସ୍କୃତ କରାଯିବା ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଇନ୍‌ଟାକ୍ ବାଲେଶ୍ୱର ଚାପ୍ଟରର କାର୍ଯ୍ୟକାରିଣୀ ସଦସ୍ୟ ମାତୃଦତ୍ତ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ