ବସଷ୍ଟାଣ୍ଡ ଜମିରେ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗ ନିଷ୍ପତି ପ୍ରତ୍ୟାହାର ଦାବି କଲା ବିଜେପି
ବାଲେଶ୍ୱର, (ସରୋଜ ପଣ୍ଡା):ବ୍ରିଟର ୮ ଏକର ଜମିରେ ପ୍ରସ୍ତାବିତ ବସଷ୍ଟାଣ୍ଡ ନିର୍ମାଣ ସ୍ଥଳୀରେ ଆପାର୍ଟମେଣ୍ଟ ନିର୍ମାଣ ସହ ସାଧାରଣ ଲୋକଙ୍କୁ ବିକ୍ରି ବିକ୍ରି ପାଇଁ ପ୍ରଶାସନ ନିଷ୍ପତ୍ତିର ଦୃଢ଼ ବିରୋଧ କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାପାତ୍ର, ଜିଲା ସମ୍ପାଦକ ପର୍ଶୁରାମ ପରିଡ଼ା, ଉପ-ସଭାପତି କମଳ ଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ସୁଶାନ୍ତ କୁମାର ବେରା, ମହେଶ୍ୱର ଗିରି ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି । ୨୦୧୦ ମସିହାରେ ଏହି ପ୍ରସ୍ତାବିତ ବସଷ୍ଟାଣ୍ଡର ଶିଳାନ୍ୟାସ ଦେଇଥିବା ଜମିରେ ବ୍ୟବସାୟିକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଉଦ୍ୟମ କାହା ସ୍ୱାର୍ଥରେ ବୋଲି ବିଜେପି ନେତାମାନେ ଜିଲାପାଳଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରସ୍ତାବିତ ଏହି ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ, ଏମ୍ସ ସେଟେଲାଇଟ ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ ଭଳି ବହୁ ଅନୁଷ୍ଠାନ ରହିଥିବା ବେଳେ ଆଗାମୀ ଦିନରେ ବହୁ ପ୍ରତିଷ୍ଠାନ ଓ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି । ଜିଲାକୁ ଦୈନିକ ଶତାଧିକ ବସ ଚଳାଚଳ କରୁଥିବା ବେଳେ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରସ୍ତାବିତ ଏହି ବସଷ୍ଟାଣ୍ଡର ଗୁରୁତ୍ୱ ଢ଼େର ଅଧିକ । ୮ ଏକର ଜମିରେ ବସଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ୧୨ ବର୍ଷ ବିତିଯାଇଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପରିବର୍ତ୍ତେ ୬.୫ ଏକରରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ଯୋଜନା ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତାମାନେ ଆରୋପ କରିଛନ୍ତି । ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତିରୁ ନିବୃତ ନହେଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି ।


