ତିମୁଣ୍ଡାପାରୀ ମିନି ଅଙ୍ଗନୱାର୍ଡି କେନ୍ଦ୍ରରେ ବ୍ୟାପକ ଦୁର୍ନିତି ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କୋରୁଅ ପଂଚାୟତ ଅନ୍ତର୍ଗତ ଧୂଆଁପଡା ଗାଁର ତିମୁଣ୍ଡାପାରୀ ମିନି ଅଙ୍ଗନୱାର୍ଡି କେନ୍ଦ୍ରରେ ବ୍ୟାପକ ଦୁର୍ନିତି ହୋଇଥିବା ଗ୍ରାମବାସୀଙ୍କ ତରଫରୁ ଶନିବାର ଡାକଯୋଗେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଛି । ଏହି ଅଭିଯୋଗର ନକଲ ସ୍ଥାନୀୟ ବିଡିଓ, ଜଗତସିଂହପୁର ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ,୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ପଠାଯାଇଥିବା ଦର୍ଶାଯାଇଛି । ଅଭିଯୋଗ ମୁତାବକ ଉକ୍ତ କେନ୍ଦ୍ରରେ ନିଯୁକ୍ତ ଅଙ୍ଗନୱାର୍ଡି କିର୍ମୀ ଶିଶୁ ଓ ଗର୍ଭବତୀଙ୍କ ଖାଦ୍ୟକୁ ବଂଟନ ନକରି ହଡପ କରୁଛନ୍ତି । ଉକ୍ତ ବିଷୟରେ ଅଭିଭାବକ ଓ ଗ୍ରାମବାସୀଙ୍କ ତରଫରୁ ଗତ ସେପ୍ଟମ୍ବର ୨୨ରେ ସ୍ଥାନୀୟ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ହେଲେ ଅଭିଯୋଗ ଉପରେ ସିଡିପିଓଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ଯାହଫଳରେ ଆମ୍ଭେ ପୁନର୍ବାର ଗତ ସେପ୍ଟମ୍ବର ୨୬ରେ ସୂଚନା ଅଧିକାର ଆଇନ ବଳରେ ଏହି ଅଙ୍ଗନୱାର୍ଡି କେନ୍ଦ୍ରର ସବିଶେଷ ତଥ୍ୟ ମାଗିଥିଲୁ । ତଥ୍ୟ ଅନୁସାରେ ତିମୁଣ୍ଡାପାରୀ ଗ୍ରାମର ପଦ୍ମନାଭ ନାୟକଙ୍କ ପୁଅ ପ୍ରିନସ୍ ନାୟକ ଛତିଶଗଡରେ ରହୁଥିବା ବେଳେ ଅଙ୍ଗନୱାର୍ଡି କେନ୍ଦ୍ରରେ ତାଙ୍କ ନାମକୁ ପଂଜୀକୃତ କରାଯାଇ ଶିଶୁ ଖାଦ୍ୟ ହଡପ କରାଯାଇଛି । ସେହିପରି ଶିଶିର ନାୟକଙ୍କ ପତ୍ନୀ ସଂଯୁକ୍ତା ନାୟକ ପଞାବରେ ରହୁଥିବା ବେଳେ ଗର୍ଭାବସ୍ଥାରେ ତାଙ୍କ ନାମ ଅଙ୍ଗନୱାର୍ଡି କେନ୍ଦ୍ରରେ ରହିଥିବା ଜଣାଯାଇଛି । ସେହିପରି କେନ୍ଦ୍ରର ଘରଭଡା ବାବଦକୁ କେନ୍ଦ୍ରର କର୍ମୀ ନିଜ ଭାଇଙ୍କ ନାମ ପକାଇ ଘର ଭଡା ନେଉଥିବା ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ କେନ୍ଦ୍ର ଉପରେ ସମୁଦାୟ ୧୪ଟି ଅଭିଯୋଗକୁ ନେଇ ଅଭିଯୋଗ କରାଯାଇଥିବା ଜଣାଯାଇଛି । ଉକ୍ତ ଅଭିଯୋଗକୁ ଗ୍ରାମର ଶୁଭଦ୍ରା ବିଶ୍ୱାଳ, ବେବି ବିଶ୍ାଳ,ମାନସି ସେଠୀ, କାଜଲ ସ୍ୱାଇଁ, ବିଜୟଲକ୍ଷ୍ମୀ ସ୍ୱାଇଁ, ବିରଂଚି କୁମାର ନାୟକ, ଲମ୍ବୋଦର ସ୍ୱାଇଁ, ସୁଧିର ସ୍ୱାଇଁ, ବସନ୍ତ ନାୟକ, ଜୟନ୍ତୀ ନାୟକ, ସଂପଦ ଜେନା, ଅକ୍ଷୟ କୁମାର ନାୟକ, କଳ୍ପନା ସାହୁ ଆଦି ଗ୍ରାମବାସୀମାନେ ସ୍ୱାକ୍ଷରିତ କରିଥିବା ଜଣାଯାଇଛି । ଖାଦ୍ୟ ହଡପ ସଂପର୍କରେ ସଂପୃକ୍ତ କେନ୍ଦ୍ରର କର୍ମୀ ଉର୍ମିଳା ସ୍ୱାଇଁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା । ଏସଂକ୍ରାନ୍ତରେ ସ୍ଥାନୀୟ ସିଡିପିଓ ବାସନ୍ତୀ ମଇନାଙ୍କୁ ପଚାରିବାରୁ ଅଭିଯୋଗ ଉପରେ ତଦନ୍ତ କରାଯାଇ ସଂପୃକ୍ତ କର୍ମୀଙ୍କ ଦରମା ବନ୍ଦ କରାଯାଇଛି । ଏସଂକ୍ରାନ୍ତରେ ଉପରୀସ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା କହିଥିଲେ ।


