ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତକାଲି ଛେନାପଦିଛକ ଓ ବଞ୍ଚୋଛକ ନିକଟରେ ଘଟିଥିବା ଦୁଇ ପୃଥକ ପୃଥକ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗତକାଲି ଛେନାପଦିଛକ ଟାଙ୍କି ବଜାର ନିକଟରେ ଏକ ବାଇକ ଧକ୍କାରେ କପୁଣ୍ଡି ଗ୍ରାମର ମଦନ ମୋହନ ଦିବେଦୀ(୫୧) ଗୁରୁତର ଆହତ ହୋଇଥିଲେ । ସେ କୌଣସି କାର୍ଯ୍ୟରେ ଛେନାପଦିଛକକୁ ଆସିଥିବା ବେଳେ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିବାବେଳେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଗତକାଲି ସନ୍ଧ୍ୟାରେ ବଞ୍ଚୋଛକ ନିକଟରେ ପିକଅପ ଭ୍ୟାନ ଧକ୍କାରେ ସ୍ୱାମୀସ୍ତ୍ରୀ ଆହତ ହୋଇଥିଲେ । ଆହତ ସ୍ୱାମୀ ସ୍ତ୍ରୀଙ୍କ ଘର ନିମାପଡା ଅଞ୍ଚଳର ସ୍ୱାମୀ ଗୋପାଳ ପ୍ରଧାନ ଓ ଜୟଶ୍ରୀ ସାହୁ ବୋଲି ଜଣାଯାଇଛି । ସେ ଘଣ୍ଟେଶ୍ୱର ଅଞ୍ଚଳରେ ଏକ ଘରୋଇ ଫାଇନାନସ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେମାନେ ଗତକାଲି ନୁଆବର୍ଷ ରେ ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ବାଇକରେ ଆସି ଫେରୁଥିବା ସମୟରେ ବଞ୍ଚୋଛକ ନିକଟରେ ଏକ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାରକରି ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ସେମାନଙ୍କୁ କଟକ ରେଫର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଗୋପାଳ ପ୍ରଧାନ(୨୮)ଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।


