ଗୋଷ୍ଠୀ ସହାୟିକାଙ୍କ ଜିଲାସ୍ତରୀୟ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଗୋଷ୍ଠୀ ସହାୟିକା (ସିଆରପିସିଏମ୍) ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ପଢ଼ୁଆଁପଦାସ୍ଥିତ ଏଆଇଟିୟୁସି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗୋଷ୍ଠୀ ସହାୟିକାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମାସିକ ତିନିହଜାର ଟଙ୍କା ପ୍ରାପ୍ୟ ବୃଦ୍ଧି ସାଙ୍ଗକୁ ବ୍ୟାଙ୍କ ଜରିଆରେ ପ୍ରଦାନ କରିବା, ଗୋଷ୍ଠୀ ସହାୟିକାଙ୍କ ସରକାରୀ କାଗଜପତ୍ର ପ୍ରସ୍ତୁତି ପାଇଁ ଅଫିସ୍ଗୃହ ଯୋଗାଇ ଦେବା, ଉଚ୍ଚ ଅଧିକାରୀଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଓ ସମାନ କାମକୁ ସମାନ ମଜୁରି ଦେବା ଏବଂ ସେମାନଙ୍କ ସାମାଜିକ ସୁରକ୍ଷା ସମ୍ପର୍କରେ ଏହି ବୈଠକରେ ମତ ଉଠିଥିଲା । ଏଆଇଟିୟୁସି ନେତୃତ୍ୱରେ ରାଜ୍ୟସ୍ତରରେ ସଂଗଠନ ପ୍ରତିଷ୍ଠା ହୋଇଥିବାରୁ ବାଲେଶ୍ୱରରେ ଜିଲା ଶାଖା ପ୍ରତିଷ୍ଠା ପାଇଁ ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟ ସ୍ତରରେ ପ୍ରସ୍ତାବିତ ଆନ୍ଦୋଳନରେ ସମସ୍ତ ଗୋଷ୍ଠୀ ସହାୟକ ଯୋଗଦେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ଜିଲ୍ଲାସ୍ତରୀୟ ସଂଗଠନରେ ସଭାପତି ସବିତା ମହାନ୍ତି, ଉପ-ସଭାପତି ପଦ୍ମଜା ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ମନୋରମା ରାଉତ, ସାଧାରଣ ସଂପାଦିକା ବନ୍ଦନା ପାତ୍ର, ସହସଂପାଦକ ଅବନ୍ତୀ ପାତ୍ର ଓ କୋଷାଧ୍ୟକ୍ଷା ଭାବେ ଭାରତୀ ମହାନ୍ତିଙ୍କୁ ମନୋନୀତ କରାଯାଇଛି । ଏଆଇଟିୟୁସିର ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଓ ସଂଗଠନର ରାଜ୍ୟ ସଭାପତି ସୁବାସ ମହାପାତ୍ର ଯୋଗଦେଇ ହକ ଆଦାୟ ପାଇଁ ସଂଗଠିତ ହେବାକୁ ପରାମର୍ଶ ଦେଇଥିଲେ । ପଦ୍ମଜା ଆଚାର୍ଯ୍ୟ, ଅବନ୍ତୀ ପାତ୍ର, ବନ୍ଦନା ବିଶ୍ୱାସ, ମନୋରମା ରାଉତ, ମନସ୍ୱିନୀ ହୋତା, ସ୍ୱର୍ଣ୍ଣଲତା ନାୟକ ଓ ସବିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାବିତ୍ରୀ ଦଳାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


