ରାସ୍ତା ଖୋଳି କଲଭଟ ନିର୍ମାଣ କଲା ଠିକାଦାର, ସୋସୋକୁ ୮ଦିନ ହେଲା ବସ ଚଳାଚଳ ବନ୍ଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଢ଼େଙ୍କା ସୋସୋ ରାସ୍ତା ନିର୍ମାଣ ଲାଗି ସରକାର ଅନୁଦାନ ଯୋଗାଇ ଦେଇଛନ୍ତି । ଠିକାଦାର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରଖିଛି । କିନ୍ତୁ ସର୍ବସାଧାରଣ ଲୋକଙ୍କ ସ୍ୱାର୍ଥକୁ ଠିକାଦାର ଗୁରୁତ୍ୱ ଦେଉ ନାହିଁ । ଯାହାଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ଠିକାଦାର କଲଭଟ ନିର୍ମାଣ ଲାଗି ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳି ପକାଇଛି । ଯାନ ବାହାନ ଚଳାଚଳ ପାଇଁ କୌଣସି ସ୍ଥାନରେ ଆପ୍ରୋଚ ରୋଡ ନିର୍ମାଣ କରିନାହିଁ । ଫଳରେ ଗତ କିଛିଦିନ ଧରି ଲଗାତାର ବର୍ଷା ଲାଗି ରହିଥିବାରୁ କୌଣସି ଯାନବାହାନ ଏହି ରାସ୍ତା ଦେଇ ଚଳାଚଳ କରିପାରୁ ନାହିଁ । ଏପରିକି ଯାତ୍ରୀବାହୀ ବସ ଗୁଡିକ ଢ଼େଙ୍କା ନିକଟରେ ଅଟକି ରହୁଥିବାରୁ ଢ଼େଙ୍କା ଠାରୁ ୪କିଲୋମିଟର ଦୁର ସୋସୋକୁ ଲୋକମାନେ ଚାଲି ଚାଲି ଯିବା ଆସିବା କରୁଛନ୍ତି । ପ୍ରଶାସନ ଓ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


