ପୋଲ ନିର୍ମାଣ କରାଯାଉ ନାହିଁ, ବିପଦପୂର୍ଣ ନଦୀ ପାଦ ଚଲାରେ ଖଟିଆରେ ବୁହା ହୋଇ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଏପରିକି ଅନେକ ଗୁଡିଏ ଗାଁ ରହିଛି ଯେଉଁଠିକି ଯିବା ପାଇଁ ନିତିଦିନିଆ ରାସ୍ତା ନାହିଁ. ଆହୁରି ଅନେକ ଗ୍ରାମ ରହିଛି ଗ୍ରାମକୁ ଯିବାକୁ ହେଲେ ନଦୀ କିମ୍ବା ପାହାଡିଆ ଝରଣା ଦେଇ ଯିବାକୁ ପଡେ. ନଦୀ ଓ ବିପଦପୂର୍ଣ ପାହାଡିଆ ଝରଣା ଉପରେ ପୋଲ ନିର୍ମାଣ ପାଇଁ ବହୁ ଦାବି ହୋଇ ଆସୁଥିଲେ ସୁଦ୍ଧା ପୋଲ ନିର୍ମାଣ କରାଯାଉନାହିଁ. ଏହି ଗାଁଗୁଡିକରେ କେହି ଗୁରୁତର ହେଲେ ଆମ୍ବୁଲାନ୍ସ ସେଠାରେ ପହଞ୍ଚିପାରୁନି. ଫଳରେ ନଦୀ ମଧ୍ୟ ଦେଇ ଗାଁ ଲୋକେ ରୋଗୀଙ୍କୁ ଖଟିଆରେ ବୋହିବାକୁ ବାଧ୍ୟ ହେଉଛନ୍ତି. ଏହିଭଳି ଦୃଶ୍ୟ ରାୟଗଡ଼ ବ୍ଲକ ମାର୍ଲବା ପଞ୍ଚାୟତ ଚାଞ୍ଚଡ଼ା ଗ୍ରାମରେ ଦେଖିବାକୁ ମିଳିଛି. ଗ୍ରାମର ପୂର୍ବତନ ସରପଞ୍ଚ ଲିରି ଶବର (୬୬) ଙ୍କ ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ. କିନ୍ତୁ ଗ୍ରାମକୁ ରାସ୍ତା ନ ଥିବାରୁ ନଦୀ ଆରପଟେ ଆମ୍ବୁଲାନ୍ସ ଅଟକି ରହିଥିଲା. ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୋହି ନଦୀ ପାର କରି ୨କିମି ପାଦ ଚଲାରେ ମାର୍ଲବା ପର୍ଯ୍ୟନ୍ତ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା. କେବଳ ବର୍ତମାନ ନୁହେଁ ଏଭଳି ଘଟଣା ବାରମ୍ବାର ବାରମ୍ବାର ଘଟିବାରେ ଲାଗିଛି. ଲୋକେ ବହୁ ଦୁଃଖ ଯନ୍ତ୍ରଣା ଓ କଷ୍ଟ ସ୍ଵିକାର କରି ଦିନ ହେଉ ବା ରାତି ହେଉ ଖରା ହେଉ ବା ବର୍ଷା ହେଉ ରୋଗୀକୁ କାନ୍ଧରେ ବୋହି ନଦୀ ପାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡେ. କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନଦୀରେ ପୋଲ ନିର୍ମାଣ କରନ୍ତୁ ବୋଲି ଗ୍ରାମବାସୀମାନେ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ