ପାନୀୟଜଳ ପ୍ରକଳ୍ପ ଅଚଳ, ପାଣିପାଇଁ ହିନସ୍ଥା ଭୋଗୁଛନ୍ତି ସଙ୍ଗମ ଓ ଡଙ୍ଗାଚୁଆ ବାସିନ୍ଦା

ହାଟଡିହିି, (ବିକାଶ ବିଶ୍ୱାଳ):ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଡହଡହ ଗରମ ପବନରେ ଜନଜୀବନ ଅସ୍ତବ୍ୟସ୍ତ । ଏହାରି ଭିତରେ ପାନୀୟ ଜଳ ଟିକେ ମିଳୁନଥିବାରୁ ଗାଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସଙ୍ଗମ ଓ ଡଙ୍ଗାଚୁଆ ଗ୍ରାମରେ । ସଙ୍ଗମଠାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ପାନୀୟଜଳ ଯୋଗାଇ ଦିଆଯାଉଥିବାବେଳେ ଗତ ୧୫ଦିନ ହେଲା ଏହି ପ୍ରକଳ୍ପ ଅଚଳ ହୋଇ ପଡିଛି । ଫଳରେ ଗାଁରେ ଥିବା ଏକମାତ୍ର ନଳକୂପ ଉପରେ ୫୦ରୁ ଉର୍ଦ୍ଧ ପରିବାର ନିର୍ଭର କରୁଛନ୍ତି । ନଳକୁପରୁ ମଧ୍ୟ ଅଳ୍ପ ପରିମାଣର ପାଣି ବାହାରୁଥିବାବେଳେ ତାହା ଗୋଳି ଥିବାରୁ ଲୋକମାନେ ପାଣି ଛାଣିକରି ଘରକୁ ନେଉଛନ୍ତି । ଗୋଟିଏ ଗୋଟିଏ ବାଲଟି ପାଣି ବାହାରିବା ପାଇଁ ଦୀର୍ଘ ସମୟ ଲାଗି ଯାଉଥିବାରୁ ଲୋକମାନେ ଧାଡିରେ ଠିଆ ହୋଇ ପାଣି ନେଉଛନ୍ତି । ଏପରିକି ଅନେକ ସମୟରେ ପାଣିପାଇଁ ଲୋକଙ୍କ ମଧ୍ୟରେ ଝଗଡା ଝାଟି ମଧ୍ୟ ଲାଗୁଛି । ଗ୍ରାମବାସୀଙ୍କ ଅଭିଯୋଗ ଯେ ପୁର୍ବରୁ ଥିବା ବ୍ୟକ୍ତି ଜଣକଠିକ ଭାବେ ପାଣି ଯୋଗାଉଥିବାବେଳେ ଏବେ ନିଯୁକ୍ତି ପାଇଥିବା ବ୍ୟକ୍ତି ଠିକ ସମୟରେ ପାଣି ଦେଉ ନାହାନ୍ତି । ପାଣି ଓଭର ହେଡ କରାଯାଉ ନଥିବାରୁ ଡଙ୍ଗାଚୁଆ ଗାଁକୁ ପାଣି ଯାଇପାରୁ ନାହିଁ । ପାଣିଟୋପେ ପାଇଁ ଏପରି ଅନେକ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ସମସ୍ୟାର ସାମାଧାନ ଲାଗି ଲକ୍ଷ୍ମଣ କିସ୍କୁ, ରଘୁ ମାଝୀ, ଦୁଲାରୀ ବେହେରା, ଦାନିଗୀ ମାଝୀ, ଅନିତା ମାଝୀ, ଅଞ୍ଜଳୀ କିସ୍କୁ, ଅର୍ଜୁନ ମାଝୀ, ରାମ ମାଝୀ, ହଜେନ୍ଦ୍ର ସେନାପତି, ସୁବାସ ମହାକୁଡ, ମହେନ୍ଦ୍ର ସେନାପତି, ସବିତା ସେନାପତି, ସାଳାୟ ମାଝୀ, ରମେଶ ମାଝୀ, ମଲ୍ଲୀ ସେନାପତି, ଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି । ଜଦି ତୁରନ୍ତ କୌଣସି ପଦକ୍ଷେପ ନିଆ ନଯାଏ ତେବେ ଗ୍ରାମବାସୀମାନେ ବାଧ୍ୟହୋଇ ରାସ୍ତାରେ ବସି ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଢ଼େଙ୍କା ପଞ୍ଚାୟତର ସରପଞ୍ଚଙ୍କୁ ପଚାରିବାରେ ସେ ଏହି ପ୍ରକଳ୍ପ ପଞ୍ଚାୟତକୁ ହସ୍ତାନ୍ତର ହୋଇ ନଥିବା କହିଛନ୍ତି । ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣି ସେ ବିଭାଗୀୟ ସହକାରୀଯନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ କରିଥିବା ଠିକାଦାରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏକ ଭେଲବ କଟିଯାଇ ଥିବାରୁ ପାଣି ବାହାରୁ ନଥିଲା । ଦିନେ ଭିତରେ ଏହାକୁ ମରାମତି କରି ପାଣି ଯୋଗାଇ ଦେବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ